ସାମିଙ୍କ ଶେଷ ଓଭର ହ୍ୟାଟ୍ରିକ୍ ବଳରେ ଜିତିଲା ଭାରତ

ସାଉଥମ୍ପଟନ୍,୨୨ା୬(ଏଜେନ୍ସି): ଦୁର୍ବଳ ଆଫଗାନିସ୍ତାନ ବିପକ୍ଷରେ ଘମାଘୋଟ ଲଢ଼େଇ ପରେ ଟାଇଟଲ ଦାବିଦାର ଟିମ୍ ଇଣ୍ଡିଆ ଶେଷରେ ବିଜୟ ହାସଲ କରିଛି । ମହମ୍ମଦ ସାମିଙ୍କ ଶେଷ ଓଭର ହ୍ୟାଟ୍ରିକ୍ ବଳରେ ଭାରତ ୧୧ ରନ୍ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ରେ ଆଫଗାନିସ୍ତାନର ଯାଦୁକରୀ ସ୍ପିନ୍ ବୋଲିଂକୁ ସାମ୍ନା କରି ନ ପାରି ଭାରତ ୮ ୱିକେଟ୍ ବିନିମୟରେ ୨୨୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଆଫଗାନିସ୍ତାନ ୪୯ ଓଭର ପର୍ଯ୍ୟନ୍ତ ବିଜୟ ଆଶା ଉଜ୍ଜୀବିତ ରଖିଥିଲା । ଅନ୍ତିମ ଓଭରରେ ସାମି ଶେଷ ୩ଟି ୱିକେଟ୍ ନେଇ ଆଫଗାନିସ୍ତାନକୁ ୨୧୩ ରନ୍ରେ ଅଲ୍ ଆଉଟ୍ କରିଦେଇଥିଲେ । ଜଶପ୍ରୀତ ବୁମରା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ରୋଜ ବାଉଲ୍ ଗ୍ରାଉଣ୍ଡ୍ରେ ଭାରତକୁ ଆଜି କଡ଼ା ଟକ୍କର ଦେଇଥିଲା ଆଫଗାନିସ୍ତାନ । ବିରାଟ କୋହଲି ଓ କେଦାର ଯାଦବଙ୍କୁ ଛାଡ଼ିଦେଲେ ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ୨୨୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଆଫଗାନିସ୍ତାନ ପ୍ରାରମ୍ଭିକ ୱିକେଟ୍ ହରାଇଥିଲେ ହେଁ ମଧ୍ୟଭାଗରେ ଅଭିଜ୍ଞ ମହମ୍ମଦ ନବି ଲଢୁଆ ବ୍ୟାଟିଂ କରି ବିଜୟ ସୁଯୋଗ ସୃଷ୍ଟି କରିଥିଲେ । ଶେଷ ଓଭରରେ ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ହେଉଥିଲା । ପ୍ରଥମ ବଲ୍ରେ ନବି ଚୌକା ମାରିଥିଲେ । ଦ୍ୱିତୀୟ ବଲ୍ରେ ରନ୍ ବାହାରି ନଥିଲା । ଆଫଗାସ୍ତାନ ନିୟନ୍ତ୍ରଣରେ ମ୍ୟାଚ୍ ରହିଥିଲା । ହେଲେ ସାମି ଘାତକ ବୋଲିଂ କରି ବିଜୟ ଛଡ଼ାଇ ଆଣିଥିଲେ ସେ ପରବର୍ତ୍ତୀ ୩ଟି ବଲ୍ରେ ଯଥାକ୍ରମେ ନବି(୫୨), ଅଫତାବ ଆଲମ ଓ ମୁଜିବଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ । ଆଫଗାନିସ୍ତାନର ବିଜୟ ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ଭାରତକୁ ମହଙ୍ଗା ପଡ଼ିଥିଲା । ଦଳୀୟ ସ୍କୋର ୭ ବେଳେ ଓପନର ରୋହିତ ଶର୍ମା (୧) ଆଉଟ୍ ହୋଇଥିଲେ ।
ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଅପରାଜିତ ଅନ୍ୟ ଓପନର ଲୋକେଶ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ୬୪ରେ ପହଞ୍ଚାଇଥିଲେ । ବ୍ୟକ୍ତିଗତ ୩୦ ରନ୍ କରିଥିବାବେଳେ ରାହୁଲ ଚିରା ଚରିତ ଦୁର୍ବଳ ସଟ୍ ଚୟନ କରି ଆଉଟ୍ ହୋଇଥିଲେ । କୋହଲିଙ୍କ ସହ ବିଜୟ ଶଙ୍କର ତୃତୀୟ ୱିକେଟ୍ରେ ୫୮ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୨୨ ବେଳେ ଶଙ୍କର ବ୍ୟକ୍ତିଗତ ୨୯ ରନ କରି ଆଉଟ୍ ହୋଇଥିଲେ । ପିଚ୍ ସ୍ପିନରଙ୍କୁ ସହାୟତା କରୁଥିବା ଦେଖି ଆଫଗାନିସ୍ତାନ ଅଧିନାୟକ ୪ ଜଣ ସ୍ପିନରଙ୍କୁ ନିୟୋଜିତ କରିଥିଲେ । ମୁଜିବ,ନବିଙ୍କ ଓ ରହମତ ଶାହ ପ୍ରଥମ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ରସିଦ ଖାନ୍ ବୋଲିଂ କରିବା ପରେ ରନ୍ ସଂଗ୍ରହ କରିବା ମୁସ୍କିଲ ହୋଇ ଯାଇଥିଲା । କୋହଲି ଅର୍ଦ୍ଧଶତକ ଅର୍ଜନ କରିଥିଲେ ହେଁ ଶେଷରେ ୬୭(୫ଚୌକା) ରନ୍ କରି ପାଭିଲିୟନ ଫେରିଥିଲେ । ମହେନ୍ଦ୍ର ସିଂ ଧୋନି ଓ କେଦାର ଯାଦବ ମନ୍ଥର ବ୍ୟାଟିଂ କରି ୱିକେଟ୍ ବଞ୍ଚାଇବା ସହ ୫୮(ପଞ୍ଚମ ୱିକେଟ୍)ର ଭାଗିଦାରୀ ଗଠନ କରିଥିଲେ । ବ୍ୟକ୍ତିଗତ ୨୮ ରନ୍ କରି ଧୋନି ଆଉଟ୍ ହେବା ପରେ ବଡ଼ ସ୍କୋର ଆଶା ମଉଳି ଯାଇଥିଲା । କେଦାର ଲଢ଼ୁଆ ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋରକୁ ୨୨୪ରେ ପହଞ୍ଚାଇଥିଲେ । ସେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୫୨ ରନ୍ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଏବ ଓ ନବି ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଜବାବରେ ଆଫଗାନିସ୍ତାନ ୨୦ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ବ୍ୟକ୍ତିଗତ ୧୦ ରନ୍ କରି ହଜରତୁଲ୍ଲା ଜାଜାଇ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରିଥିଲେ । ପ୍ରତି ୱିକେଟ୍ରେ ଉପଯୋଗୀ ଭାଗିଦାରୀ ଗଠନ କରିବାରେ ସଫଳ ହୋଇଥିଲା ଆଫଗାନିସ୍ତାନ । ଭାରତୀୟ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ହାସଲ କରୁଥିଲେ ହେଁ ଆଫଗାନିସ୍ତାନ ନିୟନ୍ତ୍ରଣରେ ମ୍ୟାଚ୍ ରହିଥିଲା । ଗୁଲବଦିନ ନାଏବ ୨୭, ରହମତ ଶାହ ୩୬, ହସମତୁଲ୍ଲା ସାହିଦି ୨୧ ଓ ଅସଗର ଅଫଗାନ ୮ ରନ କରି ପାଭିଲିୟନ ଫେରିଯାଇଥିଲେ । ୧୩୦ ରନ୍ରେ ଦଳ ୫ଟି ୱିକେଟ୍ ହରାଇଥିଲା ।
ଅଭିଜ୍ଞ ନବି ଓ ନଜିବୁଲ୍ଲା ଜାଡ୍ରାନ୍ ଷଷ୍ଠ ୱିକେଟ୍ରେ ୩୬ ରନ୍ ଯୋଗ କରି ଦଳୀୟ ସ୍କୋରକୁ ୧୬୬ରେ ପହଞ୍ଚାଇଥିଲେ । ନଜିବୁଲ୍ଲା ୨୧ ରନ୍ କରି ପାଭିଲିୟନ ଫେରିଥିଲେ । ତଥାପି ବିପଦ ଟଳି ନଥିଲା । ନବି ଅନ୍ତିମ ଭାଗ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ୪୯ ଓଭର ପର୍ଯ୍ୟନ୍ତ ଆଫଗାନିସ୍ତାନର ବିଜୟ ଆଶା ଉଜ୍ଜ୍ୱଳ ରହିଥିଲା । ପ୍ରଥମ ମ୍ୟାଚ୍ ଖେଳୁଥିବା ସାମି ଅନ୍ତିମ ଓଭର ବୋଲିଂ କରିବାକୁ ଆସି ବାଜି ପଲଟାଇ ଦେଇଥିଲେ । ସେ ୪୦ ରନ୍ ବିନିମୟରେ ହ୍ୟାଟ୍ରିକ୍ ସହ ୪ଟି ୱିକେଟ୍ ନେଇଥିଲେ । ବିଶ୍ୱକପ୍ ଇତିହାସରେ ଦ୍ୱିତୀୟ ଭାରତୀୟ ବୋଲର ଭାବେ ସାମି ହ୍ୟାଟ୍ରିକ୍ ନେବାରେ ସଫଳ ହୋଇଥିଲେ ।