ନୂଆଦିଲ୍ଲୀ/ପାଟନା: ବିହାର ରାଜନୀତିରେ ସମ୍ରାଟ୍ ଚୌଧୁରୀଙ୍କ ଅଭ୍ୟୁଦୟ କେବଳ ଗୋଟିଏ ରାଜ୍ୟର ସୀମା ମଧ୍ୟରେ ଆବଦ୍ଧ ନାହିଁ । ସମ୍ରାଟଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଏକ ବଡ଼ ଗୋଟି ଚଳାଇଛି, ଯାହାର ପ୍ରଭାବ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ପଡ଼ିବାକୁ ଯାଉଛି । ଏହି ଗୋଟିଏ ଚାଲ୍ରେ ମମତା ବାନାର୍ଜୀଙ୍କ 'ଅଭେଦ୍ୟ ଦୁର୍ଗ'କୁ ଭାଙ୍ଗିବା ପାଇଁ ବିଜେପି ଏବେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି । ବିଗତ ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଟିଏ ଶାସନ ଗାଦି ଓବିସି, ଏସସି ଏବଂ ମୁସଲିମ୍ ଭୋଟ୍ ବ୍ୟାଙ୍କ ଉପରେ ତିଷ୍ଠିଛି । ବିହାରରେ ସମ୍ରାଟ୍ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଏକ ବଡ଼ 'ଓବିସି କାର୍ଡ' ଖେଳିଛି । ୨୦୧୭ରେ ଉତ୍ତରପ୍ରଦେଶରେ ଏହି ପ୍ରୟୋଗ ସେତେଟା ସଫଳ ହୋଇନଥିଲେ ମଧ୍ୟ, ବିହାରରେ ଏହାକୁ କାର୍ଯ୍ୟକାରୀ କରି ବିଜେପି ପଶ୍ଚିମବଙ୍ଗକୁ ଏକ ବଡ଼ ବାର୍ତ୍ତା ଦେଇଛି ।
ଏହା ବି ପଢ଼ନ୍ତୁ... ମଣ୍ଡଳ, କମଣ୍ଡଳ ଏବଂ ଲଢ଼େଇ ଶୈଳୀ... ବିହାରରେ ବିଜେପିର ୮ ଏକ୍ସ-ଫ୍ୟାକ୍ଟର, ସମ୍ରାଟ ଚୌଧୁରୀଙ୍କ ଉପରେ କାହିଁକି ବାଜି ଲଗାଇଲା ପଦ୍ମ
ସମ୍ରାଟ୍ କେମିତି ହେବେ ବେଙ୍ଗଲ ପାଇଁ ‘ଗୁଡ୍ ଲକ୍’ ?
ସମ୍ରାଟ୍ ଚୌଧୁରୀ କୁଶୱାହ ଜାତିର ଜଣେ ପ୍ରଭାବଶାଳୀ ନେତା । ପଶ୍ଚିମବଙ୍ଗର କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ଯଥା: ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର, ମାଲଦା, ମୁର୍ଶିଦାବାଦ, ଆସନସୋଲ ଏହି ଅଞ୍ଚଳଗୁଡ଼ିକରେ କୁଶୱାହ ଏବଂ ମୌର୍ଯ୍ୟ ସମୁଦାୟର ଭୋଟରଙ୍କ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ । ବିହାରର କିଶନଗଞ୍ଜ ଓ ପୂର୍ଣ୍ଣିଆ ସୀମାବର୍ତ୍ତୀ ବେଙ୍ଗଲର ଜିଲ୍ଲାଗୁଡ଼ିକରେ ସମ୍ରାଟଙ୍କ ପ୍ରଭାବ ରହିଛି । ବିଜେପି ଆଶା କରୁଛି ଯେ, ସମ୍ରାଟଙ୍କ ଆକ୍ରମଣାତ୍ମକ ଶୈଳୀ ଓବିସି ଭୋଟରଙ୍କୁ ଆକୃଷ୍ଟ କରିବ । ପରିସଂଖ୍ୟାନ ଅନୁଯାୟୀ, ପଶ୍ଚିମବଙ୍ଗରେ କୁଶୱାହ ସମୁଦାୟର ଜନସଂଖ୍ୟା ପ୍ରାୟ ୭.୫୧ ଲକ୍ଷ, ଯାହା ରାଜ୍ୟର ସମୁଦାୟ ଜନସଂଖ୍ୟାର ମାତ୍ର ୦.୭% । ବିହାରରେ ଏହି ସଂଖ୍ୟା ୪.୨୧% ହୋଇଥିବା ବେଳେ ବେଙ୍ଗଲରେ ଏହା କମ୍ । ତଥାପି, ବିଜେପି ଏହାକୁ ଏକ 'ପ୍ରୟୋଗ' ଭାବେ ଦେଖୁଛି । ଯଦି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସମ୍ରାଟ ଫ୍ୟାକ୍ଟର୍ କାମ କରେ, ତେବେ ମମତାଙ୍କ ମୁସଲିମ୍-ଓବିସି ଗଠବନ୍ଧନରେ ବଡ଼ ଧରଣର ପ୍ରଭାବ sପଡ଼ିପାରେ ।
କୁଶୱାହ ସମୁଦାୟଙ୍କୁ ବଡ଼ ସନ୍ଦେଶ:
ସମ୍ରାଟ୍ ଚୌଧୁରୀ ନିଜ ଶୈଳୀ ମାଧ୍ୟମରେ କୁଶୱାହ ସମାଜକୁ ଏକ ସନ୍ଦେଶ ଦେଇଛନ୍ତି ଯେ, 'କୁଶୱାହ କେବଳ ଏକ ଭୋଟ୍ ବ୍ୟାଙ୍କ ନୁହେଁ, ବରଂ ସତ୍ତାର ଦାବିଦାର' । ଏହି ସମାନ ସ୍ଲୋଗାନ ଏବେ ବେଙ୍ଗଲ ନିର୍ବାଚନରେ ବିଜେପି ପାଇଁ ଅସ୍ତ୍ର ସାଜିପାରେ । "ବିଜେପିର ଲକ୍ଷ୍ୟ ହେଉଛି ହିନ୍ଦୀ ହାର୍ଟଲ୍ୟାଣ୍ଡର ଓବିସି ଭୋଟରଙ୍କୁ ଏକାଠି କରିବା । ଯଦି ସମ୍ରାଟ ଚୌଧୁରୀ ବିହାରରେ ଜଣେ ସଫଳ ଓବିସି ଚେହେରା ଭାବେ ଉଭା ହୁଅନ୍ତି, ତେବେ ୨୦୨୬ ବେଙ୍ଗଲ ନିର୍ବାଚନରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିବ ।" ଏବେ ଦେଖିବାକୁ ବାକି ରହିଲା, ବିହାରର ଏହି 'ସମ୍ରାଟ୍ ଯୁଗ' ପଡ଼ୋଶୀ ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବାରେ କେତେ ସହାୟକ ହେଉଛି ।