ଖୋର୍ଦ୍ଧା, ୧।୩: ଖୋର୍ଦ୍ଧା ବ୍ଳକ ପୁବୁସାହି ପଞ୍ଚାୟତ ଅନ୍ତର୍ଗତ ଜୟମଙ୍ଗଳ ଗ୍ରାମର ୪୦ ବର୍ଷୀୟ ସଂଗୀତା ଗୁମାନସିଂହ । ୫ ବର୍ଷ ତଳେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପକ୍ରିୟାକରଣ ଶିଳ୍ପ ଏବଂ ପଞ୍ଚାୟତ ମହାସଂଘ ପକ୍ଷରୁ ମାତ୍ର ୫୫ ହଜାର ଆର୍ଥିକ ସହାୟତା ନେଇ ଝୋଟ ସାମଗ୍ରୀ ସିଲେଇ ଆରମ୍ଭ କରିଥିଲେ । ଏବେ ସେ ବାର୍ଷିକ ୭ରୁ ସାଢ଼େ ୭ ଲକ୍ଷ ଟଙ୍କା ରୋଜଗାରକରି ସ୍ୱାବଲମ୍ବୀ ହେବା ସହ ଓଡ଼ିଶା ଜୀବିକା ମିଶନ ଲକ୍ଷପତି ଦିଦି ତାଲିକାରେ ଯୋଡ଼ିହୋଇଛନ୍ତି । ଏଥିପାଇଁ ଜିଲ୍ଳା ପ୍ରଶାସନ ତାଙ୍କୁ ପୁରସ୍କୃତ କରିଛି । ଖାଲି ସେତିକି ନୁହେଁ ବରଂ ପରିବେଶକୁ ପ୍ଳାଷ୍ଟିକ ଓ ପଲିଥିନମୁକ୍ତ କ୍ଷେତ୍ରରେ ପରିବେଶ ସୁରକ୍ଷାବାର୍ତ୍ତା ବାଣ୍ଟି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଏହା ବି ପଢ଼ନ୍ତୁ... ବିଏମସିର ବିଜେଟ୍ ‘ବାଜି’: ୧୦୫୦ କୋଟିର ଆୟବ୍ୟୟ ଅଟକଳରେ ଝଲସିବ ରାଜଧାନୀ, ପଛରେ ପଡ଼ିଯିବ କି ବ୍ରହ୍ମପୁର ?

ଝୋଟ ସାମଗ୍ରୀ ସିଲେଇ ତାଲିମ ପ୍ରଦାନ କରି ସଂଗୀତା ୨୦ ମହିଳାଙ୍କୁ ରୋଜଗାର ବାଟ ଦେଖାଇ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ଜିଲ୍ଳାରେ ସୁନାମ ଅର୍ଜନ କରିଛନ୍ତି । ସଂଗୀତା ଗ୍ରାଜୁଏଟ୍ ଶିକ୍ଷା ସମପ୍ତ କରିବା ପରେ ସରକାରୀ ଚାକିରିଟିଏ କରିବାକୁ ମନରେ ଆଶା ରଖିଥିଲେ । ମାତ୍ର ପରିସ୍ଥିତିରେ ପଡ଼ି ବାପା ଓ ମା’ ଜୟମଙ୍ଗଳ ଗ୍ରାମର ବ୍ୟବସାୟୀ ଗୁରୁଦେବ ସାମନ୍ତରାୟଙ୍କ ସହ ତାଙ୍କ ବିବାହ କରିଦେଲେ । ବିବାହ ପରେ ପରିବାର ଜଞ୍ଜାଳରେ ଫସିଯାଇଥିଲେ । ବୟସ ବୃଦ୍ଧି ପାଇବାରୁ ତାଙ୍କର ଚାକିରି ଆଶା ଧୂଳିସାତ ହୋଇଗଲା । ବାଧ୍ୟ ହୋଇ ସ୍ୱାଧୀନ ଜୀବନ ବିତାଇବାକୁ ସଂକଳ୍ପ ନେଇଥିଲେ । ପରିବେଶ ପାଇଁ ପ୍ଲାଷ୍ଟିକ ଓ ପଲିଥିନ ବିପଦ କଥାକୁ ଅନୁଭବ କରିଥିଲେ । ତେଣୁ ପରିବେଶ ସୁରକ୍ଷା ନିମନ୍ତେ ଝୋଟ ସାମଗ୍ରୀ ତିଆରି କରିବାକୁ ଶପଥ ନେଇଥିଲେ । ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପକ୍ରିୟା କରଣ ଶିଳ୍ପ ଓ ପଞ୍ଚାୟତ ମହାସଂଘ ପକ୍ଷରୁ ମଳିଥିବା ଅନୁଦାନରେ ପ୍ରଥମେ ଛୋଟକାଟିଆ ବେପାର ଆରମ୍ଭ କଲେ । ମାତ୍ର ପଲିଥିନ ଓ ପ୍ଳାଷ୍ଟିକମୁକ୍ତ ପରିବେଶ କଥା ମନରୁ ଭୁଲିପାରିନଥିଲେ ବରଂ ଓଡ଼ିଶା ଜୀବକ ମିଶନ ଜରିଆରେ ଦୁଇ ଲକ୍ଷ ୪୦ ହଜାର ଟଙ୍କା ଋଣନେଇ ୬ ଅଟୋମେଟିକ୍ ସିଲେଇ ମେସିନ୍ କିଣି ଘରେ ଝୋଟର ଘରକରଣା ଓ ଅଫିସ ସାମଗ୍ରୀ ସିଲେଇ ଆରମ୍ଭ କରିଥିଲେ । ଅଫିସ ଫୋଲଡର,ବ୍ୟାଗ,ମନିପର୍ସ, ମୋବାଇଲ ପର୍ସ, ଭ୍ୟାନିଟି ବ୍ୟାଗ, ଲାପଟପ୍ ବ୍ୟାଗ,ପେନଷ୍ଟାଣ୍ଡ ଏବଂ ପାପୋଛ ଭଳି ବିଭିନ୍ନ ପ୍ରକାର ସାଜସଜ୍ଜା ଉପକରଣ ସିଲେଇ କରିଥିଲେ ।

ଏସବୁ ସାମଗ୍ରୀରେ ଦେବଦେବୀ,ମହାପୁରୁଷ ଏବଂ ରାଜ୍ୟର କୋଣ ଅନୁକୋଣରେ ଥିବା ମନ୍ଦିରଗୁଡ଼ିକର ଅବିକଳ ଚିତ୍ର ଆଙ୍କିବା ପରେ ତାକୁ ବିକ୍ରି କରିଥିଲେ । ଗୋଟିଏ ଝୋଟ ସାମଗୀ ମୂଲ୍ୟ ୧୦ ଟଙ୍କାଠାରୁ ୧୦ ହଜାର ହୋଇଥିବା ବେଳେ କ୍ରମଶଃ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ତାଙ୍କର ହାତ ପ୍ରସ୍ତୁତ ସାମଗୀ ଚାହିଦା ବେଶ ବୃଦ୍ଧି ପାଇଥିଲା । ଆଗକୁ ମେଳା ମହୋତ୍ସବ ଏବଂ ସଭାସମିତି ଗୁଡ଼ିକରେ ପ୍ଲାଷ୍ଟିକ ଫୋଲଡର ମନ୍ତ୍ରୀ,ବିଧାୟକ, ଅତିଥିମାନଙ୍କୁ ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ସଂଗୀତା ତାଙ୍କର ହାତରେ ପ୍ରସ୍ତୁତ ଝୋଟ ସାମଗ୍ରୀ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାକୁ ବିକ୍ରି କରଛନ୍ତି । ତାଙ୍କର ଘରକରଣା ଉପକରଣ ସାମଗ୍ରୀ ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଚାହିଦା ବଢିବାରୁ ସଂଗୀତା ବର୍ତ୍ତମାନ ୧୦ଟି ମେସିନରେ ଗ୍ରାମର ୨୦ ଜଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛନ୍ତି । ତାଙ୍କଠାରୁ ତାଲିମ ନେଇ କାମ କରୁଥିବା ମହିଳାମାନେ ମାସିକ ପ୍ରାୟ ୫ ହଜାର ରୋଜଗାର କରୁଛନ୍ତି ।

ଏ ଝୋଟ ସାମଗ୍ରୀ ପ୍ରସ୍ତୁତ କରିବାକୁ କଞ୍ଚାମାଲ ପାଇଁ ତାଙ୍କୁ ପଶ୍ଚିବମଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି । କଞ୍ଚାମାଲ ବାବଦ ବାର୍ଷିକ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପରିବହନ ଖର୍ଚ୍ଚ ବାଧୁଥିବା ପ୍ରକାଶ କରିଛନ୍ତି । ତେଣୁ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ଜୁଟ୍ ବୋର୍ଡ଼ ସରକାର ଗଠନକଲେ ଝୋଟ ସାମଗ୍ରୀ ସିଲାଇ କରୁଥିବା ଅନେକ ମହିଳା ଲାଭବାନ ହୋଇପାରିବେ ବୋଲି କହିଛନ୍ତି । ସେହିପରି ଝୋଟ ସାମଗ୍ରୀ ବିକି ଲାଭ ଅର୍ଥରେ ନିଜସ୍ୱ ସିଲେଇ ଗୃହ ନିର୍ମାଣ କରିବାରେ ସଂଗୀତା ସକ୍ଷମ ହୋଇଛନ୍ତି । ତାଙ୍କର ଏମିତି ସଂଘର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି । ଲକ୍ଷପତି ଦିଦି ସଂଗୀତାଙ୍କୁ ଗତବର୍ଷ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।