ବ୍ରହ୍ମପୁର, ୧।୩: କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିସାରିଛନ୍ତି । ଏବେ ମହାନଗର ନିଗମର ବଜେଟ୍ ଉପସ୍ଥାପନ ସମୟ । ଏହାରି ଭିତରେ ଭୁବନେଶ୍ୱର ମହାନଗର ନିଗମ ରାଜଧାନୀ ଲୋକଙ୍କ ପାଇଁ ୧୦୫୦ କୋଟିର ଆୟବ୍ୟୟ ଅଟକଳ ରଖିଛି । ବଜେଟ୍‌ର ଆକାର ଲୋକଙ୍କୁ ଉତ୍ସାହିତ କରିଛି । ଭୁବନେଶ୍ୱର ମହାନଗର ନିଗମ ବଜେଟ୍ ଦେଖି ବ୍ରହ୍ମପୁର ମହାନଗର ନିଗମ ଚିନ୍ତାରେ ପଡ଼ିଯାଇଛି । କାରଣ ଗତ ବର୍ଷ ବ୍ରହ୍ମପୁର ମହାନଗର ନିଗମକୁ ମିଳିଥିବା ବଜେଟ୍ ଅନୁଦାନ ସମସ୍ତଙ୍କୁ ନିରୁତ୍ସାହିତ କରିଥିଲା । ଏଥର କଣ ହେବ ଭାବି ସମସ୍ତେ ଚିନ୍ତିତ ଅଛନ୍ତି । ବ୍ରହ୍ମପୁରର ଲୋକସଂଖ୍ୟା, ଆକାର ଓ ଆୟତନକୁ ଦେଖିଲେ ଅନ୍ୟୂନ ୫୦୦ରୁ ୬୦୦ କୋଟି ଟଙ୍କା ବଜେଟ୍ ହେବା ଅନୁମାନ କରାଯାଉଛି । ଗତ ବର୍ଷ ସେୟା ହିଁ ହୋଇଥିଲା । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଏମ୍ସି ୫୪୯.୮୧ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲା । ବଜେଟ୍ରେ ସହରର ସମସ୍ୟା ଦୂରୀକରଣ, ପାରିପାଶ୍ୱର୍କ ବିକାଶ, ସୌନ୍ଦର୍ଯ୍ୟକରଣ ଓ ରାଜସ୍ୱ ବୃଦ୍ଧିକୁ ଗୁରୁତ୍ୱ ଦେଇ ବ୍ୟୟବରାଦ ହୋଇଥିଲା ।  

ଏହା ବି ପଢ଼ନ୍ତୁ... କଟକରେ ପାର୍କିଂ ଅଡ଼ୁଆ: ସର୍ବସାଧାରଣ ଜାଗାରେ ମାସିକିଆ ଭଡ଼ା, ଟେଣ୍ଡର ଦେଇ ଶୋଇଛି ସିଏମସି !

ବ୍ରହ୍ମପୁରବାସୀଙ୍କୁ ଅନେକ ନୂଆ ପ୍ରକଳ୍ପ କରି ଭେଟି ଦେବ ବୋଲି ବିଏମ୍‌ସି ଭାବିଥିଲା । ହେଲେ ବିଏମ୍‌ସି ଆଶା ମଉଳି ଯାଇଥିଲା । ୫୪୯.୮୧ କୋଟି ଅନୁମୋଦନ ବଦଳରେ ରାଜ୍ୟ ସରକାର ବିଏମ୍ସିକୁ ମାତ୍ର ୧୩୪.୯୬ କୋଟିର ଆକ୍ସନ୍ ପ୍ଲାନ୍ ଉପସ୍ଥାପନ କରିବାକୁ କହିଥିଲେ । ଯାହା ମୋଟ ଆକଳନର ୨୫ ପ୍ରତିଶତ ଥିଲା । ବଜେଟ୍‌ରେ ଏଭଳି ଆକସ୍ମିକ ଓ ଅହେତୁକ ହ୍ରାସ ନିର୍ବାଚିତ ପ୍ରତିନିଧି, କର୍ମଚାରୀ ଓ ସହରବାସୀଙ୍କୁ ନିରାଶ କରିଥିଲା । ବିଏମ୍ସିରୁ ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ରାଜ୍ୟ ସରକାର ବିଏମ୍ସିର ବଜେଟ୍ ଅନୁମୋଦନ ପରିବର୍ତ୍ତେ ୧୩୪.୯୬ କୋଟିର ଆକ୍ସନ ପ୍ଲାନ୍ କରିବାକୁ କହିଥିଲେ । ଯେଉଁଥିରେ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ରେ ୩୮କୋଟି ୫୮ ଲକ୍ଷ ୨୬ ହଜାର, ସ୍ୱଚ୍ଛ ଓଡ଼ିଶା ସ୍କିମ୍‌ରେ ୯କୋଟି ୧୫ଲକ୍ଷ ୪୬ ହଜାର, ବର୍ଷାଜଳ ନିଷ୍କାସନ ପାଇଁ ୧୦କୋଟି ୫୨ଲକ୍ଷ ୬ହଜାର ପ୍ରଦାନ କରାଯାଇଥିଲା । ସେହିପରି ପଞ୍ଚଦଶ ଅର୍ଥ କମିଶନର ୫୧କୋଟି ୨୧ଲକ୍ଷ ୫୨ହଜାର, ପଞ୍ଚମ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୨୫କୋଟି ୮୬ଲକ୍ଷ ୫୦ହଜାର ମିଳିବା ଆଶା ଥିଲା ।

ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ପଞ୍ଚଦଶ ଅର୍ଥ କମିଶନ୍ର ଟାୟାଡ୍ ଫଣ୍ଡ (ସର୍ତ୍ତମୂଳକ ପାଣ୍ଠି)ରୁ ମିଳିବାକୁ ଥିବା ଅନୁଦାନର ୫୦ ପ୍ରତିଶତ ୱାଟ୍କୋ(ୱାଟର୍ କର୍ପୋରେସନ୍)କୁ ଦେବାକୁ ହେବ । ଅର୍ଥାତ୍ ୩୦କୋଟି ୭୨ଲକ୍ଷ ୯୧ହଜାର ଟାୟାଡ୍ ଫଣ୍ଡର ଅଧା ୱାଟ୍‌କୁ ପ୍ରଦାନ କରାଯିବାକୁ ଧାର୍ଯ୍ୟ କରିଥିଲେ । ସେହିପରି ପରିମଳ ବ୍ୟୟ ୩୦ କୋଟି ଟଙ୍କା ସ୍ଥିର କରାଯାଇଥିଲା । ସବୁ ଦେଣନେଣ ପରେ ବଳକା ୮୯କୋଟି ୯୭ଲକ୍ଷ ୩୪ହଜାର ୫୦୦ଟଙ୍କାର ୧୫୦ ପ୍ରତିଶତ ୧୩୪.୯୬ କୋଟି ଟଙ୍କାର ଆକ୍ସନ ପ୍ଲାନ୍ କରିବାକୁ କହିଥିଲେ । ଯାହା ବିଏମ୍‌ସି ପ୍ରଶାସନକୁ ହାତ ଖୋଲିବାକୁ ସୁଯୋଗ ଦେଇନଥିଲା । ଯେତିକି ମିଳିଥିଲା, ଆର୍ଥିôକ ବର୍ଷ ଆରମ୍ଭରୁ ପ୍ରାୟ ଶେଷ ହୋଇଥିଲା । କାରଣ ବିଏମ୍ସି ୨୦୨୪ ଅକ୍ଟୋବରରେ ପ୍ରାୟ ୨୦୦ କୋଟି ଟଙ୍କାର ରାସ୍ତା ଓ ଡ୍ରେନ୍ ନିର୍ମାଣ ପାଇଁ ଟେଣ୍ଡର୍ କରିସାରିଥିଲା । ତାକୁ କାଣ୍ଟଛାଣ୍ଟ କରିବାକୁ ପଡ଼ିଲା । ତେଣୁ ନୂଆ ପ୍ରକଳ୍ପ ଆଉ ଦେଖିବାକୁ ମିଳିଲାନି । ଏଥର ବଜେଟ୍ ଆକାରକୁ ନେଇ ଏବେଠୁ ଚିନ୍ତା ବଢ଼ିଲାଣି ।