ଜୟପୁର,୦୮/୦୮: ଆଗାମୀ ଆଇପିଏଲ୍‌ ପୂର୍ବରୁ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ମହେନ୍ଦ୍ର ସିଂହ ଧୋନି,  ବିରାଟ କୋହଲି, ରୋହିତ ଶର୍ମାଙ୍କ ପରେ ସବୁଠୁ ଲୋକପ୍ରିୟ  ଖେଳାଳି ଭାବେ ଗଣା ହେଉଥିବା ସଞ୍ଜୁ ସାମସନ ରାଜସ୍ଥାନ  ରୟାଲ୍ସ ଛାଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ସେ ରାଜସ୍ଥାନ ରୟାଲ୍ସର ସବୁଠୁ ପୁରୁଣା ଖେଳାଳି ଓ ଅଧିନାୟକ ।  ଫ୍ରାଞ୍ଚାଇଜ ପକ୍ଷରୁ ୧୪୯ଟି ମ୍ୟାଚ୍‌ ଖେଳି ସାରିଛନ୍ତି ଓ ୪୦୨୭  ରନ ସଂଗ୍ରହ କରିଛନ୍ତି । 

ଏକ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର  ଅନୁଯାୟୀ ସାମସନ ଓ ରାଜସ୍ଥାନ ରୟାଲ୍ସ ମ୍ୟାନେଜମେଣ୍ଟ  ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇଛି । ଯାହାକୁ ଆଧାର  କରି ସାମସନ ନିଜ ପ୍ରିୟ ଫ୍ରାଞ୍ଚାଇଜରୁ ଓହରିଯିବାକୁ ନିଷ୍ପତ୍ତି  ନେଇଛନ୍ତି । ଏପରିକି ତାଙ୍କୁ ନିଲାମ ପୂର୍ବରୁ ରିଲିଜ କରିବା  ପାଇଁ ସାମସନ ଫ୍ରାଞ୍ଚାଇଜ ମ୍ୟାନେଜମେଣ୍ଟକୁ ଅନୁରୋଧ  କରିଛନ୍ତି । ସାମସନ କିମ୍ବା ଫ୍ରାଞ୍ଚାଇଜ ପକ୍ଷରୁ ଏପର୍ଯ୍ୟନ୍ତ ଏବିଷୟରେ କିଛି ଘୋଷଣା କରାଯାଇ ନାହିଁ । ଆଗାମୀ ସିଜନ  ପୂର୍ବରୁ ସାମସନଙ୍କୁ କିଣିବା ପାଇଁ ଚେନ୍ନାଇ ସୁପରକିଙ୍ଗ୍‌ସ  ଆଗ୍ରହୀ ଥିବା ଗତ କିଛି ଦିନ ତଳେ ପ୍ରକାଶ ପାଇଥିଲା ।  

ସୂଚନାଯୋଗ୍ୟ, ସାମସନଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ  ପ୍ରଥମ କରି ୨୦୧୨ ସିଜନରେ କିଣିଥିଲେ ହେଁ ଖେଳିବାକୁ  ସୁଯୋଗ ଦେଇ ନଥିଲା । ୨୦୧୩ ସିଜନ ପୂର୍ବରୁ ତାଙ୍କୁ ରିଲିଜ  କରିଥିଲା ଓ ରାଜସ୍ଥାନ ରୟାଲ୍ସ ନିଲାମରେ ତାଙ୍କୁ କିଣିଥିଲା ।  ସେବେଠୁ ସାମସନ ରାଜସ୍ଥାନ ରୟାଲ୍ସ ଦଳର ସଦସ୍ୟ  ରହିଛନ୍ତି । ରାଜସ୍ଥାନ ରୟାଲ୍ସକୁ ମଝିରେ ଦୁଇ ବର୍ଷ ପାଇଁ  ନିଲମ୍ବିତ କରାଯାଇଥିବା ସମୟରେ ସାମସନ ଦିଲ୍ଲୀ କ୍ୟାପିଟାଲ୍ସ  ପକ୍ଷରୁ ଖେଳିଥିଲେ । ୨୦୧୮ ସିଜନରେ ସାମସନ ପୁଣିଥରେ  ରାଜସ୍ଥାନ ରୟାଲ୍ସକୁ ଫେରିଥିଲେ । ଗତ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୮କୋଟି ଟଙ୍କାରେ ରିଟେନ କରିଥିଲା ।