ଆଜି ଧରାପୃଷ୍ଠକୁ ବିରାଜିବେ ମା’ ବିଦ୍ୟାଦାତ୍ରୀ, ଏଥର ଧୁମ୍ଧାମ୍ରେ ହେବ ପୂଜା

ଭୁବନେଶ୍ୱର,୨୬/୦୧: ଆଜି ବିରାଜିବେ ମା’ ବାଗ୍ଦେବୀ । କୋଭିଡ କଟକଣା ଲାଗି ଗତବର୍ଷ ପୂଜା ଧୁମ୍ଧାମ୍ରେ ପାଳନ ହୋଇନଥିଲା । ହେଲେ ଏଥର ସେ କଟକଣା ନାହିଁ । ଗୋଟିଏ ଦିନରେ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ପଡ଼ୁଥିବାରୁ ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିବ । ସ୍କୁଲ, କଲେଜରେ ସରସ୍ୱତୀ ପୂଜା ଲାଗି ପ୍ରସ୍ତୁତି ସରିଛି ।
ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଓଡ଼ିଶାର ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନର ସହ ପାଳନ କରାଯାଏ ସରସ୍ୱତୀ ପୂଜା । ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ନାମରେ ଏହା ପ୍ରସିଦ୍ଧ । ଏହି ଦିନ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା-ପୁସ୍ତକଧାରିଣୀ ଦେବୀ ସରସ୍ୱତୀ ଧରାବତରଣ କରନ୍ତି । ଘରେ ଘରେ ବିଜେକରି ମା’ ଅଭୟ ବର ପ୍ରଦାନ କରନ୍ତି । ଏ ଅବସରରେ ଶିକ୍ଷାନୁଷ୍ଠାନମାନଙ୍କରେ ବେଶ ଧୂମ୍ଧାମରେ ମା’ଙ୍କ ପୂଜା କରାଯାଏ । ମା’ ଶୁକ୍ଳବସ୍ତ୍ର ପରିଧାନପୂର୍ବକ କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ, ଗଳାରେ ଗଜମୋତି ଓ ମୁକ୍ତାହାରରେ ସୁସଜ୍ଜିତ ହୋଇ ଶ୍ୱେତପଦ୍ମରେ ବିରାଜମାନ କରିଥାନ୍ତି ।
ଯୋଗମାୟା ଆଦିଶକ୍ତିଙ୍କ କଣ୍ଠରୁ ଦେବୀ ସରସ୍ୱତୀ ସମ୍ଭୁତା । ଶାସ୍ତ୍ର ଅନୁସାରେ, ଶ୍ରୀପଞ୍ଚମୀ ଦିନ ବିବାହ, ନିର୍ବନ୍ଧ ଆଦି ମାଙ୍ଗଳିକ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ପଞ୍ଚପଲ୍ଲବ ଲାଗିହୁଏ ଏବଂ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୁଳ ହୁଏ । ଶ୍ରୀଠାକୁରମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସେ । ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପରମ୍ପରା ଓ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଏ । ଶ୍ରୀଠାକୁରମାନେ ଏହି ତିଥିଠୁ ଗୌରବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗକରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ୱାନ ଦେଇଥାନ୍ତି ।