ଆଜି ‘ସାରୋଳଦାସ ମହାଭାରଥ’ କର୍ଣ୍ଣାଦିଦଶପର୍ବ ସମର୍ପଣ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପଦ୍ମଭୂଷଣ ଡ. ଚନ୍ଦ୍ରଶେଖର କମ୍ବର

ଭୁବନେଶ୍ୱର,୦୨/୦୭: ଆଜିଠୁ ପ୍ରାଚୀନ, ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଆନୁକୂଲ୍ୟରେ ସାରୋଳଦାସ ମହାଭାରଥ କର୍ଣ୍ଣାଦିଦଶପର୍ବ ସମର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ଏକ ସଭା ସୋଆ କ୍ୟାମ୍ପସ୍-୨, କନ୍ଭେନ୍ସନ୍ ହଲ୍ରେ ଆୟୋଜିତ ହୋଇଛି । ଏଥିରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ପଦ୍ମଭୂଷଣ ଡ. ଚନ୍ଦ୍ରଶେଖର କମ୍ବର ମୁଖ୍ୟ ଅତିଥି ଏବଂ ଏକାଡେମୀ ସଚିବ ଡ. କେ ଶ୍ରୀନିବାସ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେବେ । ସେଥିଲାଗି ଭୁବନେଶ୍ୱରରେ ପହଞ୍ଚିଲାବେଳେ ସୋଆ ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିଶିଷ୍ଟ ସାହିତ୍ୟିକ ଦ୍ୱୟଙ୍କୁ ସ୍ୱାଗତ କରିଛନ୍ତି । ପାଖରେ ପ୍ରାଚୀନ ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ଉପଦେଷ୍ଟା କମିଟିର ଆବାହକ ଡ. ବିଜୟାନନ୍ଦ ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଦୁଇଟି ଅଧିବେଶନରେ ଏହି ସମର୍ପଣ ଉତ୍ସବ ଅନୁଷ୍ଠିତ ହେବ । ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୧ଟା ୪୫ ପର୍ଯ୍ୟନ୍ତ ଉଦ୍ଘାଟନ ଅଧିବେଶନରେ ପଦ୍ମଭୂଷଣ ରମାକାନ୍ତ ରଥ ଉଦ୍ଘାଟକ ଭାବେ ଯୋଗ ଦେବେ । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ପୁସ୍ତକ ସମ୍ପର୍କରେ ବିଶେଷ ଆଲୋଚନା କରିବେ ଡ. ପ୍ରଦୀପ୍ତ କୁମାର ପଣ୍ଡା । ସ୍ୱାଗତ ଭାଷଣ ଦେବେ ପ୍ରାଚୀନ ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା । ଶେଷରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଦେବେ ।
ସେହିପରି ଦ୍ୱିତୀୟ ଅଧିବେଶନ ମଧ୍ୟାହ୍ନ ୧୨ଟା ସାଢ଼େ ୧ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ମହାଭାରତ ପାଠ-ଆଧାରିତ ସମ୍ପାଦନା ବିମର୍ଶ ହେବ । ଆଲୋଚକ ଭାବେ ଓମ୍କାରନାଥ ମହାନ୍ତି, ନଟବର ଶତପଥୀ, କୈଳାସ ଚନ୍ଦ୍ର ଦାଶ, ବୈଷ୍ଣବ ଚରଣ ମହାନ୍ତି, ଦୀପ୍ତିରଞ୍ଜନ ପଟ୍ଟନାୟକ, ହୃଷୀକେଶ ମଲ୍ଲିକ, ଅସିତ ମହାନ୍ତି, ସନ୍ତୋଷ କୁମାର ରଥ ପ୍ରମୁଖ ଯୋଗଦେବେ । ସଭାମୁଖ୍ୟ ଭାବେ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ କାର୍ଯ୍ୟ ସମ୍ପାଦନ କରିବେ । ଫଣୀନ୍ଦ୍ର ଭୂଷଣ ନନ୍ଦ ସଂଯୋଜନା କରିବେ । ଡ. ନଚିକେତା ଶର୍ମା ଧନ୍ୟବାଦ ଦେବେ।