ପ୍ରମୁଖ ଖବର
  • ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ: ଦ୍ୱିତୀୟ ଦଫା ଭୋଟ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ସାତକୋଶିଆ ଅଭୟାରଣ୍ୟରେ ବୁଢ଼ୀ ବାଘୁଣୀର ମିଳୁନି ପତ୍ତା, ୬ ମାସ ହେଲା ଜୀବିତ ଥିବାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରମାଣ ନାହିଁ...

ଅନୁଗୁଳ,୨୨/୦୫: ବ୍ୟାଘ୍ର ସଂରକ୍ଷଣ ଦିଗରେ ବର୍ଷକୁ କୋଟି କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଯାଉଛି, ଅଥଚ ସାତକୋଶିଆ ଅଭୟାରଣ୍ୟ ବାଘ (ମହାବଳ) ଶୂନ୍ୟ । ଏଠାରେ ଗୋଟିଏ ହେଲେ ବି ମହାବଳ ବାଘ ନାହାନ୍ତି । ସାତକୋଶିଆରେ ରହିଥିବା ମୂଳ ବାଘୁଣୀର ୬ ମାସ ହେଲା ଖୋଜ୍‌ଖବର ନାହିଁ । ବାଘୁଣୀର ଉପସ୍ଥିିତିକୁ ନେଇ ପ୍ରତ୍ୟକ୍ଷ କି ପରୋକ୍ଷ ଖବର କିଛି ମିଳୁନାହିଁ । ଅର୍ଥାତ୍‌ ସାତକୋଶିଆ ଜଙ୍ଗଲରେ ଖଞ୍ଜା ଯାଇଥିବା ସାଢ଼େ ୪ଶହ କ୍ୟାମେରା ଲେନ୍‌ସରେ ବାଘୁଣୀ ନା ଧରାପଡ଼ୁଛି ନା ଜୀବିତ ଥିବାର ପରୋକ୍ଷ ପ୍ରମାଣ ସ୍ୱରୂପ ପଦଚିହ୍ନ, ମଳ, ଶିକାର ଛାଡ଼ିଥିବା ବନ କର୍ମଚାରୀଙ୍କ ଆଖିରେ ପଡ଼ିଛି । ବୁଢ଼ୀ ବାଘୁଣୀଟି ଯେ ଜୀବିତ ରହିଛି, ବନ ଅଧିକାରୀ ହଲପ କରି କହିବାକୁ ସାହସ ଜୁଟାଇ ପାରୁନାହାନ୍ତି ।

{"id":419346,"sizeSlug":"full","linkDestination":"none"}

ଗତ ନଭେମ୍ବର ମାସଠାରୁ ବାଘୁଣୀ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ଜୀବିତ ଥିବାର କୌଣସି ପ୍ରମାଣ ବନ ବିଭାଗ ହାତରେ ଲାଗିନଥିଲେ ହେଁ ବିଭାଗୀୟ ଅଧିକାରୀ ଆଶାବାଦୀ ରହିଛନ୍ତି । କହିଛନ୍ତି, ବନ ବିଭାଗ ବାଘୁଣୀକୁ ଠାବ କରିବାକୁ ସାତକୋଶିଆର ହଜାର ହଜାର ଏକର ଜଙ୍ଗଲ ଇଲାକାରେ ତଲାସି ଚଳାଇଛନ୍ତି । ପୂର୍ଣ୍ଣ ବୟସ୍କ ବାଘୁଣୀକୁ ଶହ ଶହ ହେକ୍ଟର ପରିମିତ ଘଞ୍ଚ ଜଙ୍ଗଲ, ପାହାଡ଼ ଘେରା ଇଲାକାରେ ଖୋଜି ଠାବ କରିବା ସମ୍ଭବ କି ବୋଲି ପ୍ରଶ୍ନ ଉଠୁଛି ।

ସାତକୋଶିଆ ବନ୍ୟପ୍ରାଣୀ ଏବଂ ବାଇଶିପାଲି ବନ୍ୟପ୍ରାଣୀ ବନଖଣ୍ଡର ମୋଟ୍‌ ୯୮୮.୩୦ ବର୍ଗକିଲୋମିଟର ଇଲାକାକୁ ନେଇ ଏହି ବିଶାଳ ବ୍ୟାଘ୍ର ପ୍ରକଳ୍ପ ଯୋଜନା କରାଯାଇଥିଲା । ୨୦୦୭ ମସିହାରେ ସାକାର ରୂପ ନେଇଥିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ । ପାଖାପାଖି ୮ ଶହ ବର୍ଗକିଲୋମିଟର ପରିବ୍ୟାପ୍ତ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଇଲାକାରେ ୨୦୧୦ଠାରୁ ଦୁଇଟି ମହାବଳ ବାଘ (ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ)ର ଉପସ୍ଥିତି ସ୍ପଷ୍ଟ ହୋଇଥିଲା ।

ପରିବେଶବିତ୍‌ଙ୍କ ସୂଚନା ଅନୁଯାୟୀ, ୨୦ ବର୍ଷ ତଳେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ପ୍ରାୟ ୧୧ଟି ମହାବଳ ବାଘ ବିଚରଣ କରୁଥିଲେ। ସରକାରୀ ସ୍ତରରେ ଏହି ମହାବଳଙ୍କ ମଧ୍ୟରୁ ଏଯାବତ୍‌ ୩ଟିର ସୂଚନା ରହିଛି । ୨୦୦୬ରେ ପୁରୁଣାକୋଟ୍‌ ବନାଞ୍ଚଳରେ ଶିକାରୀ ଗୁଳିରେ ଆହତ ମହାବଳ ନନ୍ଦନକାନନଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲା । ସେହିପରି ଅନ୍ୟ ଏକ ପ୍ରାପ୍ତବୟସ୍କ ଅଣ୍ଡିରା ମହାବଳ (୭ ବର୍ଷ) ସାଥୀ ସନ୍ଧାନରେ ଢେଙ୍କାନାଳ, ଆଠଗଡ଼ ବନଖଣ୍ଡ ଅତିକ୍ରମ କରି ୨୦୧୩ ଏପ୍ରିଲ୍‌ ମାସରେ ନନ୍ଦନକାନନ ଖୁଆଡ଼ ଭିତରକୁ ଲମ୍ଫ ମାରିଥିଲା । ହେଲେ ବାକି ୮ଟି ମହାବଳର ସନ୍ଧାନ ସରକାରୀ ଭାବେ ବନବିଭାଗ ପାଖରେ ନାହିଁ । ନିଜର ଅପାରଗତା ପଦାରେ ପଡ଼ିବା ଆଶଙ୍କାରେ ବନ ବିଭାଗ ଏ ଦିଗରେ ଖୁଲାସା କରିବାକୁ କେବେ ବି ମନ ବଳାଇ ନାହିଁ । ହେଲେ ବ୍ୟାଘ୍ର ସଂରକ୍ଷଣ ଆଳରେ କୋଟି କୋଟି ଟଙ୍କା ସାତକୋଶିଆରେ ବିନିଯୋଗ ହୋଇଚାଲିଛି । ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ’ ପ୍ରତ୍ୟାବର୍ତ୍ତନ ପରଠାରୁ ସାତକୋଶିଆ ଶ୍ରୀହୀନ ହୋଇଛି ।

ସୂଚନାଯୋଗ୍ୟ, ସାତକୋଶିଆରେ ମହାବଳ ବଂଶବୃଦ୍ଧି ଯୋଜନା ନେଇ ରାଜ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ବିଭାଗ, ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା) ଏବଂ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମ କ୍ରମେ ୨୦୧୮ରେ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ । ତିନି ଯୋଡ଼ା ଯୁବ ମହାବଳ ସାତକୋଶିଆରେ ଛଡ଼ାଯିବାର ଯୋଜନା ରହିଥିଲା । ପ୍ରାଥମିକ ପର୍ଯ୍ୟାୟରେ ୨୦୧୮ ଜୁନ୍‌ରେ ଏକ ଯୋଡ଼ା ମହାବଳ ‘ମହାବୀର’ ଓ ‘ସୁନ୍ଦରୀ’ ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ ଅଣାଯାଇଥିଲା । ଜଙ୍ଗଲରେ ଛଡ଼ାଯିବାର ମାତ୍ର ୬ ମାସ ମଧ୍ୟରେ ଯୁବ ଅଣ୍ଡିରା ମହାବଳ ‘ମହାବୀର’ ଶିକାରୀ ଫାଶରେ ପଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲା । ବାନ୍ଧବଗଡ଼ ପ୍ରକଳ୍ପରୁ ଆସିଥିବା ମାଈ ବାଘୁଣୀ ‘ସୁନ୍ଦରୀ’ ଘଞ୍ଚ ଜଙ୍ଗଲ ପରିବର୍ତ୍ତେ ଜନବସତି ଇଲାକାରେ ମଣିଷ ମାରିବାରୁ ଜନଅସନ୍ତୋଷର ସମ୍ମୁଖୀନ ହୋଇ ସରକାର ପୁଣି ବାଘୁଣୀକୁ ଏନ୍‌କ୍ଲୋଜର୍‌କୁ ଫେରାଇ ଆଣିଥିଲେ । ଏନ୍‌କ୍ଲୋଜର୍‌ରେ ପ୍ରାୟ ଅଢ଼େଇ ବର୍ଷ ଧରି ବନ୍ଦୀ ଜୀବନ କାଟିବା ସହ ସହଜାତ ପ୍ରବୃତ୍ତି ହରାଇବା ପରେ ୨୦୨୧ ମାର୍ଚ୍ଚ ୨୩ରେ ‘ସୁନ୍ଦରୀ’କୁ କାହ୍ନା ଜାତୀୟ ଉଦ୍ୟାନକୁ ଫେରାଇ ନିଆଗଲା ।

ସାତକୋଶିଆ ବନଖଣ୍ଡ ଅଧିକାରୀ ସୁରୋଜ କୁମାର ପଣ୍ଡା କହିଛନ୍ତି, ସାତକୋଶିଆର ମୂଳ ବାଘୁଣୀ ପ୍ରଥମେ ୨୦୧୦ ମସିହାରେ ଠାବ ହୋଇଥିଲା । ସେତେବେଳେ ତା’ର ବୟସ ଦୁଇରୁ ୩ ବର୍ଷ ମଧ୍ୟରେ ରହିଥିଲା । ‘ସୁନ୍ଦରୀ’ ରାଇଗୋଡ଼ାସ୍ଥିତ ଏନ୍‌କ୍ଲୋଜର୍‌ରେ ରହିଥିବା ବେଳେ ବାଘୁଣୀ ଅନେକ ସମୟରେ ଖୁଆଡ଼ ନିକଟକୁ ଆସି ଟକ୍କର ଦେବାକୁ ଉଦ୍ୟମ କରି ଲମ୍ଫ ମାରିଥିଲା । ଅନେକବାର ଏ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ଶହ ଶହ କ୍ୟାମେରା ଅଭୟାରଣ୍ୟ ସାରା ଖଞ୍ଝା ଯାଇଥିଲେ ହେଁ ଗତ ନଭେମ୍ବର ମାସଠାରୁ ବାଘୁଣୀର ସନ୍ଧାନ ମିଳିପାରିନି । ବିଭାଗୀୟ କର୍ମଚାରୀ ଯେତିକି ଅଞ୍ଚଳରେ ଖୋଜାଖୋଜି କରିଛନ୍ତି ନିରାଶ ହୋଇଛନ୍ତି । ଏତେବଡ଼ ଇଲାକାରେ ବନ କର୍ମଚାରୀଙ୍କ ଦ୍ୱାରା ତଲାସି ବି କୋଉ ସମ୍ଭବ? ମହାବଳ ବାଘର ଜୀବନକାଳ ପ୍ରାୟତଃ ୧୫ ବର୍ଷ । ୧୨ ବର୍ଷ ତଳେ ଦେଖାଦେଇଥିବା ବାଘୁଣୀଟି ଜୀବନର ଶେଷ ସମୟରେ ପହଞ୍ଚି ଥାଇପାରେ ଅବା କେଉଁ ଘଞ୍ଚ ଇଲାକାକୁ ଚାଲିଯାଇଥାଇପାରେ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.