ବିଗିଡିଲା ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନ୍ଙ୍କୁ ସ୍ୱାସ୍ଥ୍ୟାବସ୍ଥା, ଅକ୍ସିଜେନ ସପୋର୍ଟରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬/୦୫: ମନିଲଣ୍ଡରିଂ ମାମଲାରେ ତିହାର ଜେଲ୍ରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନ୍ଙ୍କୁ ଗୁରୁବାର ଆଇସିୟୁରେ ଭର୍ତ୍ତି କରାଯାଇଛି । ସକାଳେ ସେ ଜେଲ୍ ବାଥ୍ରୁମରେ ପଡ଼ିଯାଇଥିଲେ । ପ୍ରଥମେ ତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଲୋକ ନାରାୟଣ ଜୟ ପ୍ରକାଶ ହସ୍ପିଟାଲକୁ ଅଣଯାଇଥିଲା । ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି । ସତୈନ୍ଦ୍ର ଜୈନ୍ ଏହାକୁ ମିଶାଇ ସପ୍ତାହେ ଭିତରେ ତୃତୀୟ ଥର ପାଇଁ ଅସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ଗତ ୨୨ ତାରିଖରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା । ସେତେବେଳେ ତାଙ୍କ ମେରୁଦଣ୍ଡରେ ସମସ୍ୟା ଥିଲା । ମେ ୨୦ରେ ବି ସମାନ କାରଣରୁ ତାଙ୍କୁ ଦୀନ ଦୟାଲ ହସ୍ପିଟାଲକୁ ଅଣାଯାଇଥିଲା । ମେ ୧୮ରେ ସୁପ୍ରିମକୋର୍ଟରେ ଜୈନ୍ଙ୍କ ଓକିଲ ଅଭିଷେକ ମନୁ ସିଂଘଭି ତାଙ୍କ ସ୍ୱାସ୍ଥ୍ୟ କଥା ଉଠାଇଥିଲେ । ସେ କହିଥିଲେ, ଜେଲରେ ଜୈନ୍ଙ୍କ ଓଜନ ୩୫ କେଜି କମିଗଲାଣି । ତାଙ୍କ ଶରୀର କଙ୍କାଳ ଭଳି ହୋଇଗଲାଣି । ଏହି ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ । ଏ ବାବଦରେ ଜଷ୍ଟିସ୍ ଏ.ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଇଡିକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ।