୬ ଦିନ ପରେ ସାବିତ୍ରୀ ବ୍ରତ; ଜମିଲାଣି ଫଳ ବଜାର

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଆଉ ୬ଦିନ ପରେ ସାବିତ୍ରୀ ବ୍ରତ । ଏଥିପାଇଁ ସରଗରମ ହେଲାଣି ବଜାର । ଶାଢ଼ୀ ଦୋକାନରୁ ଆରମ୍ଭ କରି କସ୍ମେଟିକ୍ ଓ ଫଳ ଦୋକାନ ସବୁଠି ବେପାର ଜୋର ଧରିଲାଣି । ରାଜଧାନୀର ବିଭିନ୍ନ ରାସ୍ତାକଡ଼, ବଜାର ଓ ୧ ନମ୍ବର ହାଟରେ ଫଳ ବ୍ୟବସାୟ ଜମିଲାଣି ।
ସାବିତ୍ରୀ ପାଇଁ ଗତ ୩/୪ ଦିନ ହେବ ସବୁ ଦେକାନରେ ଭିଡ଼ ଜମୁଛି । ଆମ୍ବ ହେଉ କି ସେଓ ଅବା କମଳା ସବୁର ଚାହିଦା ବଢ଼ିଛି । ତେବେ ବାତ୍ୟା ଫୋନି ବେଳେ ପ୍ରାୟ ସବୁ ଗଛରୁ ଆମ୍ବ ଝଡ଼ି ଯାଇଥିବାରୁ ଏଥର ଏହାର ବଜାର ମାନ୍ଦା ରହିଛି । କାଁ ଭାଁ କିଛି ଦୋକାନରେ ଏହା ବିକ୍ରି ହେଉଛି । ହେଲେ ଆମ୍ରପଲ୍ଲୀ, ଦସେରୀ, ବାଇଗଣପଲେଇ, ଚଉଷା, ଲଙ୍ଗେଡୀ ଆଦି ଆମ୍ବ ଯଥେଷ୍ଟ ପରିମାଣର ଉପଲବ୍ଧ ରହିଛି ।

ଏ ସମ୍ପର୍କରେ ଏକ ନମ୍ବର ହାଟର ଫଳ ବେପାରୀ ଶ୍ରୀଧର ବେହେରା କୁହନ୍ତି, ସାବିତ୍ରୀ ଆଉ ଅଳ୍ପ ଦିନ ଥିବାରୁ ବେପାର ବଢ଼ିଛି । ବର୍ତ୍ତମାନ ବଜାରରେ ବାଇଗଣପଲେଇ, ସୁନ୍ଦରୀ, ଆଖୁରସ ଭଳି କିଛି ଆମ୍ବ ମିଳୁଛି । ଲୋକେ ଅଧିକ ବାଇଗଣପଲେଇ ଆମ୍ବକୁ କିଣୁଛନ୍ତି । ଆମ୍ବର ଦାମ୍ ୭୦ରୁ ଆରମ୍ଭ ହୋଇ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ସେହିପରି ପଣସ ବେପାର ବି ଆରମ୍ଭ ହୋଇଗଲାଣି । ହେଲେ ପ୍ରାୟ ସବୁ ଫଳ ଦୋକାନରେ ଏହା ମିଳୁନି । ଯେଉଁଠି ମିଳୁଛି ଦାମ୍ ଉଚ୍ଚା ରହୁଛି । ପଣସର ଆକାର ହିସାବରେ ବେପାରୀ ଭିନ୍ନ ଭିନ୍ନ ଦାମ୍ରେ ଏହାକୁ ବିକ୍ରି କରୁଛନ୍ତି । ଛୋଟ ପଣସର ଦାମ୍ ୧୨୦ ଟଙ୍କା ରହିଥିବାବେଳେ ବଡ଼ ପଣସର ଦାମ୍ ୩୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏ ସମ୍ପର୍କରେ ରାଜେଶ ନାୟକ କୁହନ୍ତି, ସାବିତ୍ରୀକୁ ଆଉ ୬ ଦିନ ରହିଛି । ଏବେଠୁ ପଣସ କିଣିଲେ ସାବିତ୍ରୀକୁ ନଷ୍ଟ ହେବାର ସମ୍ଭାବନା ଥିବାରୁ ଲୋକମାନେ ପ୍ରାୟ ସେତେ କିଣୁନାହାନ୍ତି । ସାବିତ୍ରୀ ବ୍ରତ ୨ ଦିନ ପୂର୍ବରୁ ପଣସ ବେପାର ଭଲ ହେବ । ପାହାଡ଼ ଭଳି ପଣସ ଗଦା ହୋଇଥିଲେ ତାହା ଘଣ୍ଟାଏରେ ସରିଯିବ । ସାବିତ୍ରୀ ଦିନ ବି କିଛି ବେପାର ହେବ ।
ଆମ୍ବ, ପଣସକୁ ଛାଡ଼ିଦେଲେ ଖଜୁରୀ, ଲିଚୁ, ତାଳ ଏହି ବ୍ରତ ପାଇଁ ମୁଖ୍ୟ ଫଳ ଭାବେ ଭଗବାନଙ୍କ ନିକଟରେ ପୂଜା କରାଯାଏ । ଲିଚୁ କୋଳି ଓ ତାଳ ବଜାରର ବିଭିନ୍ନ ସ୍ଥାନରେ ମିଳିଲାଣି । ହେଲେ ଖଜୁରୀ ପ୍ରାୟ ବଜାରକୁ ଆସିନି । ଆଉ ଦୁଇ ଦିନ ଭିତରେ ଖଜୁରୀ କୋଳି ବଜାରକୁ ଆସିବ ବୋଲି ରାଜେଶ କହିଛନ୍ତି । ସେହିପରି ସପୁରୀ ବିକ୍ରି ବି ଜମି ଆସିଲାଣି । ଗୋଟାଏ ସପୁରୀକୁ ୫୦ରୁ ୧୦୦ ଟଙ୍କା ରହିଛି । ଲିଚୁ କିଲୋ ୧୪୦ ଟଙ୍କା, ତାଳ ଗୋଟା ୧୫ ଟଙ୍କା, ନଡ଼ିଆ ଗୋଟା ୩୦ ଟଙ୍କା, କଦଳୀ ଡଜନ ୩୦ରୁ ୬୦ ଟଙ୍କା, ସେଓ ୨୨୦ ଟଙ୍କା, କମଳା ୧୨୦ ଟଙ୍କା, ଅଙ୍ଗୁର ୧୫୦ ଟଙ୍କା, ଜାମୁକୋଳି ୨ଟାକୁ ୫ ଟଙ୍କା, ତରଭୁଜ କେଜି ୧୫ ଟଙ୍କା, ଚେରିକୋଳି ୧୦ ଟଙ୍କା, ଅଁଳା ୫ଟଙ୍କା ଲେଖାଏଁ ବିକ୍ରି ହେଉଛି ।