ନୂଆଦିଲ୍ଲୀ: ପ୍ଲେଅଫରେ ସ୍ଥାନ ପକ୍କା କରିବା ପାଇଁ ହେବ କଡ଼ା ଟକ୍କର । ଆଜିର ମ୍ୟାଚରେ ରାଜସ୍ଥାନ ଏବଂ ଗୁଜୁରାଟ ମଧ୍ୟ ଖେଳାଯାଉଛି । ରାଜସ୍ଥାନ ଟସ୍ ଜିତିଥିବାବେଳେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ତେବେ ଗୁଜୁରାଟକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଉଭୟ ଦଳର ବ୍ୟାଟିଂ ଭଲ ରହିଥିବାବେଳେ ବଡ଼ ସ୍କୋର ହେବ ବୋଲି ଆଶା କରାଯାଉଛି ।
ଉଭୟ ଦଳ ୧୨ ପଏଣ୍ଟ ଲେଖାଏଁ ଅର୍ଜନ କରି ସାରିଛନ୍ତି । ମାତ୍ର ରାଜସ୍ଥାନ ଖେଳିଥିବା କ୍ରମାନ୍ୱୟରେ ପ୍ରଥମ ୪ଟି ମ୍ୟାଚ ଜିତିବା ପରେ ରାଜସ୍ଥାନ ଶେଷ ୬ଟି ମ୍ୟାଚରୁ ୪ଟିରେ ପରାଜିତ ହୋଇଛି । ପ୍ରଦର୍ଶନରେ ବ୍ୟତିକ୍ରମ ରାଜସ୍ଥାନ ପାଇଁ ଚିନ୍ତାର କାରଣ ସାଜିଛି । ଗୁଜରାଟର ପ୍ରଦର୍ଶନ ଉତ୍ଥାନ ପତନ ଦେଇ ଆରମ୍ଭ ହୋଇଥିଲେ ହେଁ ଶେଷ ୩ଟି ମ୍ୟାଚ ଜିତି ଲୟକୁ ଫେରଛି ।
ପୂର୍ବ ରେକର୍ଡ ଗୁଜରାଟ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୯ଥର ଭେଟିଛନ୍ତି । ଏଥିରୁ ଗୁଜରାଟ ୬ଟି ମ୍ୟାଚ ଜିତିଛି । ଚଳିତ ସିଜନରେ ଉଭୟ ଦଳ ଥରେ ସାମ୍ନା ସାମ୍ନି ହୋଇ ସାରିଛନ୍ତି । ଗତ ମାସ ୪ ତାରିଖରେ ଅନୁଷ୍ଠିତ ଏହି ମ୍ୟାଚରେ ରାଜସ୍ଥାନ ୬ ରନ୍ରେ ବିଜୟ ହାସଲ କରିଥିଲା । ଏଥର ଗୁଜରାଟ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଆଜି ଏକ ଭିନ୍ନ ବ୍ୟାଟିଂ ଶୈଳୀ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ରାଜସ୍ଥାନର ଦୁଇ ଓପନର ଯଶସ୍ୱୀ ଜୈସ୍ୱାଲ ଓ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଗୁଜରାଟ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆଗରେ ବିଶାଳ ଲକ୍ଷ୍ୟ ମଧ୍ୟ ଛୋଟ ମନେ ହେଉଛି ।
ଉଭୟ ଦଳର ପେସ୍ ବୋଲିଂ ବିଭାଗ ଫର୍ମରେ ରହିଛି । ସ୍ପିନ ବୋଲିଂକୁ ନେଇ ଉଭୟ ଦଳ ସାମାନ୍ୟ ଚିନ୍ତାରେ ରହିଛନ୍ତି । ଅବଶ୍ୟ ବିଳମ୍ବରେ ହେଉ ପଛେ ରସିଦ ଖାନ ଫର୍ମକୁ ଫେରିଛନ୍ତି । ରାଜସ୍ଥାନ ରବି ବିଷ୍ଣୋଇକୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଉଛି । ସେ ଗତ ଗୁଜରାଟ ବିପକ୍ଷ ମ୍ୟାଚରେ ୪ଟି ୱିକେଟ୍ ନେଇଥିଲେ ।
ଆଜିବୈଭବଙ୍କ ଉପରେ ନଜର ରହିବ । ଗତ ବର୍ଷ ସେ ଏହି ଗ୍ରାଉଣ୍ଡ୍ରେ ଗୁଜରାଟ ବିପକ୍ଷରେ ପ୍ରଥମ ଶତକ ଅର୍ଜନ କରିଥିଲେ । ଚଳିତ ବର୍ଷ ମଧ୍ୟ ସେ ଏକ ଶତକୀୟ ପାଳି ଖେଳି ସାରିଛନ୍ତି ଓ ଚମତ୍କାର ଫର୍ମରେ ରହିଛନ୍ତି । ତାଙ୍କୁ ଅଟକାଇବା ପାଇଁ ଗୁଜରାଟ ସ୍ୱତନ୍ତ୍ର ରଣନୀତି ଆପଣେଇବ । ଡୋନୋଭାନ ଫେରେରାଙ୍କ ପାଇଁ ମଧ୍ୟ ଗୁଜରାଟକୁ ରଣ କୌଶଳ ପ୍ରସ୍ତୁତ କରିବାକୁ ହେବ । ସେ ଡେଥ ଓଭରରେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି । ଇତି ମଧ୍ୟରେ ସେ ଡେଥ୍ ଓଭରଗୁଡ଼ିକରେ ମୋଟ୍ ୧୧ଟି ଛକା ମାରି ସାରିଛନ୍ତି ।
ଏହାସହ ପଢ଼ନ୍ତୁ : ମଞ୍ଚକୁ ଚଢ଼ି ବରକୁ ଟାଣି ନିର୍ଦ୍ଧୁମ୍ ଛେଚିଲେ ପ୍ରେମିକା, କନ୍ୟାଘର ଲୋକ କହିଲେ....