ନୂଆଦିଲ୍ଲୀ: ବରଯାତ୍ରୀ ଧରି କନ୍ୟାଘରେ ପହଞ୍ଚିଲା ବର । ଭୋଜି ଖାଉଥିଲେ ବରଯାତ୍ରୀ । ସମସ୍ତେ ବେଶ ହସଖୁସିରେ ଷ୍ଟେଜରେ ନବଦମ୍ପତ୍ତିଙ୍କ ସହ ଉଠାଉଥିଲେ ଫଟୋ । ଆଉ ଠିକ୍ ସେହି ସମୟରେ ପହଞ୍ଚିଥିଲେ ଜଣେ ମହିଳା । କେହି କିଛି ଭାବିବା ପୂର୍ବରୁ ସେ ବରକୁ ଟାଣି ଆଣି ମାଡ଼ ମାରିଥିଲେ । ବିହାରର ସମସ୍ତିପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଶେଷରେ ପୁଲୁସ ଏହି ଘଟଣାରେ ହସ୍ତକ୍ଷେପ କରିଥିବାବେଳେ ବର ଏବଂ ତାଙ୍କ ପରିବାରକୁ ପଚରା ଉଚରା କରୁଛି । ନ୍ୟାୟ ପାଇଁ ଅଡ଼ି ବସିଛନ୍ତି କନ୍ୟାଘର ଲୋକେ ।

ମିଳିଥିବା ଖବର ଅନୁସାରେ, ପଙ୍କଜ କୁମାର ଯିଏକି ବାହାହେବାକୁ ଯାଇଥିବାବେଳେ ଏଭଳି କାଣ୍ଡ ଘଟିଛି । ମହିଳା ଜଣକ ଅଭିଯୋଗ କରିଛନ୍ତି କି, ସେ ମୋ ସ୍ବାମୀ । ମୋ ସହ ଏକାଠି ରହୁଥିଲେ ଆଉ ସମ୍ପର୍କ ରଖୁଥିଲେ । ଏବେ ସେ ଆଉ ଜଣକୁ ବାହା କେମିତି ହେଉଛନ୍ତି । ମହିଳା ଜଣକ କହିଛନ୍ତି କି, ଆମ ଦୁଇଜଣଙ୍କର ସମ୍ପର୍କ ୬ ବର୍ଷର । ସେ ମୋ ସହ ଗୋଟିଏ ଘରେ ରହୁଥିଲେ । ମୋ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବାବେଳେ ସେ ମୋତେ ରଖିଥିଲେ ।

ମହିଳା ଜଣକ କହିଛନ୍ତି କି, ତାମିଲନାଡ଼ୁ ଏକ କମ୍ପାନୀରେ କାମ କରୁଥିବାବେଳେ ପଙ୍କଜଙ୍କ ସହ ମୋର ଦେଖା ହୋଇଥିଲା । ଆଉ ତାଙ୍କ ପ୍ରେମରେ ପଡ଼ିଥିଲି । ମୋର ଦୁଇଟା ଛୁଆ ଅଛନ୍ତି । ମୋ ସ୍ବାମୀ ମୋତେ ଛାଡ଼ପତ୍ର ଦେଇଥିବାବେଳେ ପଙ୍କଜ ମୋତେ ବିବାହ କରିବାକୁ କହିଥିଲେ । ସେ ମୋ ସହ ତାମିଲନାଡ଼ୁରେ ଗୋଟିଏ ଘରେ ରହୁଥିଲେ । ଆଉ ଏବେ ଘରକୁ ଆସିବା ପରେ ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି । ମୁଁ ଖବର ପାଇବା ପରେ ଏଠାକୁ ଆସିଛି ।

ସେପଟେ ବର, ବରଯାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । କନ୍ୟାଘର ଲୋକେ ବରର ବାପା ଏବଂ ଦାଦାଙ୍କ ସହ ଦୁଇଟି ଗାଡ଼ି ବନ୍ଧକ ରଖିଥିଲେ । ଘଟଣା ଘଟିବା ପରେ ପୁଲିସ ଖବର ପାଇ ପହଞ୍ଚିଥିଲା । ସମସ୍ତଙ୍କୁ ଥାନାକୁ ଡକାଇ ବୁଝାଶୁଝା କରିବା ପାଇଁ ଚେଷ୍ଟା କରିଛି । ତେବେ ଏବେ କନ୍ୟା କାହାକୁ ବାହାହେବେ ବୋଲି ପ୍ରଶ୍ନ ଉଠାଇଛନ୍ତି ଝିଅ ଘର ଲୋକେ । ସେପଟେ ମହିଳା ଜଣକ ନିଜ ଜିଦରେ ମଧ୍ୟ ଅଟଳ ରହିଛନ୍ତି । ଆଉ ସେ ମୋ ସ୍ବାମୀ ବୋଲି ଦାବି କରିଛନ୍ତି ।

ଏହାସହ ପଢ଼ନ୍ତୁ : ହିଟମ୍ୟାନଙ୍କ ରିଆକ୍ସନ ଭାଇରାଲ : ଫ୍ୟାନ୍ ସେଲଫି ନେଉ ନେଉ ବନ୍ଦ ହେଲା ଫୋନ୍