ଅସୁରକ୍ଷିତ ଏସ୍ସି/ଏସ୍ଟି ନାବାଳିକା: ବଳାତ୍କାର ବଢ଼ିଛି ୩୮%

ଭୁବନେଶ୍ୱର,୫ା୨(ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଛି ଅନୁସୂଚତି ଜାତି ଓ ଜନଜାତି (ଏସ୍ସି/ଏସ୍ଟି) ନାବାଳିକାଙ୍କ ଉପରେ ନିର୍ଯାତନା । ଏମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି । ୨୦୧୮ରେ ଏସ୍ସି/ଏସ୍ଟି ନାବାଳିକାଙ୍କ ବଳାତ୍କାର ହାର ପୂର୍ବ ବର୍ଷ ଠାରୁ ୩୮ ପ୍ରତିଶତରୁ ଅଧିକ । ଖାଲି ନାବାଳିକା ନୁହେଁ ଯୁବତୀ ଓ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଢେର ଅଧିକ । ବିଧାନସଭା ତଥ୍ୟରୁ ଏହା ଜଣାପଡ଼ିଛି । ରିପୋର୍ଟରୁ ଜଣାପଡ଼ିଛି, ୨୦୧୭ରେ ଅନୁସୂଚିତ ଜନଜାତିର ୧୫ ଜଣ ନାବାଳିକା ବଳାତ୍କାରର ଶିକାର ହୋଇଥିବା ବେଳେ ୪୦ ଜଣ ଯୁବତୀ ଓ ୩୩ ଜଣ ମହିଳାଙ୍କୁ ବଳାତ୍କାର କରାଯାଇଥିଲା । ୨୦୧୮ରେ ଅନୁସୂଚିତ ଜନଜାତିର ୧୯ ଜଣ ନାବାଳିକା, ୩୯ ଯୁବତୀ, ୨୨ ଜଣ ମହିଳା ବଳାତ୍କାରର ଶିକାର ହୋଇଥିଲେ । ଅର୍ଥାତ ୨ ବର୍ଷରେ ରାଜ୍ୟରେ ଅନୁସୂଚିତ ଜନଜାତିରେ ମୋଟ ୧୬୮ଟି ବଳାତ୍କାର ଘଟିଥିଲା । ସେହିପରି ୨୦୧୭ରେ ଅନୁସୂଚିତ ଜାତିର ୨୪ ନାବାଳିକା, ୫୫ ଯୁବତୀ ଓ ୩୮ ମହିଳା ବଳାତ୍କାରର ଶିକାର ହୋଇଥିଲେ । ୨୦୧୮ରେ ଏହି ସଂଖ୍ୟା ଢେର ବଢ଼ି ଯାଇଥିଲା । ୨୦୧୮ରେ ଅନୁସୂଚିତ ଜାତିର ୩୫ ଜଣ ନାବାଳିକା, ୮୧ ବାଳିକା ଓ ୪୪ ଜଣ ମହିଳାଙ୍କୁ ବଳାତ୍କାର କରାଯାଇଥିଲା । ଦୁଇ ବର୍ଷରେ ମୋଟ ୨୭୭ ଅନୁସୂଚିତ ଜାତିର ନାବାଳିକା, ବାଳିକା ଓ ମହିଳା ବଳାତ୍କାର ଶିକାର ହୋଇଥିଲେ । ରାଜ୍ୟରେ ଏସ୍ସି/ଏସ୍ଟି ନାବାଳିକା ବଳାତ୍କାର ସଂଖ୍ୟା କମିବାର ନାଁ ନେଉନି । ଅନେକ ସ୍ୱେଚ୍ଛାସେବୀ ସଂଗଠନ ସରକାରଙ୍କ ଠାରୁ ସଚେତନତା ପାଇଁ କୋଟି କୋଟି ଟଙ୍କା ନେଉଛନ୍ତି । ହେଲେ କିଛି ହେଉନାହିଁ । ୨୦୧୭ରେ ୩୯ଜଣ ଏସ୍ସି/ ଏସ୍ଟି ନାବାଳିକା ବଳାତ୍କାର ଶିକାର ହୋଇଥିଲେ । ୨୦୧୮ରେ ଏହି ସଂଖ୍ୟା ୩୮ ପ୍ରତିଶତ ବଢ଼ି ୫୮ରେ ପହଞ୍ଚିଛି । ୨୦୧୭ ଏବଂ ୨୦୧୮ ମସିହାରେ ଉଭୟ ବର୍ଗର ୪୪୫ ଜଣ ନାବାଳିକା, ଯୁବତୀ ଓ ମହିଳା ବଳାତ୍କାରର ଶିକାର ହୋଇଛନ୍ତି । ତେବେ ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଯାଇ ବଳାତ୍କାର ଓ ନିର୍ଯାତନାର ଶିକାର ହୋଇଥିବା ନାବାଳିକା, ଯୁବତୀ ଓ ମହିଳାଙ୍କ ତଥ୍ୟ ମିଳିନାହିଁ ବୋଲି ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ମନ୍ତ୍ରୀ ଚନ୍ଦ୍ରଶେଖର ମାଝୀ ଏକ ପ୍ରଶ୍ନର ଉତ୍ତରରେ ଏହା ଗୃହକୁ ଜଣାଇଛନ୍ତି ।