ଅଯୋଧ୍ୟା ମାମଲାରେ ମଧ୍ୟସ୍ଥି ନିଯୁକ୍ତ କଲେ ସୁପ୍ରିମକୋର୍ଟ, ଦେଲେ ୮ ସପ୍ତାହ ସମୟ

ନୂଆଦିଲ୍ଲୀ,୮।୩: ଅଯୋଧ୍ୟା ରାମ ମନ୍ଦିର ବିବାଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଇବ୍ରାହିମ୍ ଖଲିଫ୍ଉଲ୍ଲାଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗଠନ କରିଛନ୍ତି। ଗଠିତ ଏହି ପ୍ୟାନେଲ୍ରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସହ ବରିଷ୍ଠ ଆଇନଜୀବି ଶ୍ରୀରାମ ପଞ୍ଚୁ ମଧ୍ୟ ରହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ମଧ୍ୟସ୍ଥତା ପ୍ରକ୍ରିୟାରୁ ଗଣମାଧ୍ୟମକୁ ଦୂରେଇ ରଖାଯିବ। କୋର୍ଟଙ୍କ ତତ୍ତ୍ବାବଧାନରେ ମଧ୍ୟସ୍ଥତା ପକ୍ରିୟା ପ୍ୟାନେଲ୍ର ସମସ୍ତ ଆଲୋଚନା ଗୁପ୍ତ ରହିବ। ସୁପ୍ରିମକୋର୍ଟ କହିଛନ୍ତି ସିପିସିର ନିୟମ-୮ ଅନୁସାରେ ଏହି ମାମଲାର ମଧ୍ୟ ମଧ୍ୟସ୍ଥତା ପାଇଁ ରେଫର କରିବାର ଅଧିକାର ରହିଛି। ଯାହା ଆମେ କରୁଛୁ। ମଧ୍ୟସ୍ଥତା ପକ୍ରିୟା ୪ ସପ୍ତାହରେ ଆରମ୍ଭ ହୋଇଯିବା ଦରକାର ଓ ୮ ସପ୍ତାହ ଭିତରେ ଏହାକୁ ପୂରଣ କରାଯିବା ଦରକାର।
ଉତ୍ତରପ୍ରଦେଶ ଫୈଜାବାଦ୍ରେ ମଧ୍ୟସ୍ଥତାର ସମସ୍ତ ସୁବିଧା ପ୍ରଦାନ କରାଯିବ ଦରକାର।। ଏହି ପ୍ୟାନେଲ୍ ଫୈଜାବାଦ୍ରେ ଏହି ମାମଲାର ସମସ୍ତ ଆବେଦନକାରୀଙ୍କ ଯୁକ୍ତିକୁ ଶୁଣିବେ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମଧ୍ୟସ୍ଥିମାନେ ଚାହିଁବେ, ତା’ହେଲେ ପ୍ୟାନେଲ୍ରେ ଅଧିକ ସଦସ୍ୟଙ୍କୁ ନିଯୁକ୍ତ କରିପାରିବେ।ଏହା ସହ ଆଇନଗତ ସହାୟତା ନେଇପାରିବେ।ମାମଲାର ଶୁଣାଣି ବେଳେ ୫ ଜଣିଆ ଖଣ୍ଡପୀଠ କହିଥିଲେ ଯେ ଏହି ମାମଲା ସଂପତ୍ତିକୁ ନେଇ ନୁହେଁ। ଏହା କୌଣସି ସମ୍ପତ୍ତିର ମାଲିକାନାକୁ ନେଇ ନୁହେଁ। ଏହା ଲୋକଙ୍କ ମାନସିକତା, ଭାବାବେଗ ଓ ସୌହାର୍ଦ୍ଦ୍ୟ ସ୍ଥାପନ ସହ ଜଡ଼ିତ ଏକ ମାମଲା।
ଏହା ପୂର୍ବରୁ ସିଜେଆଇ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ୫ ସଦସ୍ୟ ବିଶିଷ୍ଟ ସମ୍ବିଧାନ ପୀଠ ଗତ ବୁଧବାର ଏହି ପ୍ରସଙ୍ଗ ଉପରେ ବିଭିନ୍ନ ପକ୍ଷର କଥା ଶୁଣିଥିଲେ। ନିର୍ମୋହି ଆଖଡା ବ୍ୟତୀତ ହିନ୍ଦୁ ସଂଗଠନ ଏହି ବିବାଦରେ ମଧ୍ୟସ୍ଥତା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବକୁ ବିରୋଧ କରିଥିଲେ। କିନ୍ତୁ ମୁସଲିମ ସଂଗଠନ ଏହି ବିଚାରକୁ ସମର୍ଥନ କରିଥିଲେ। ପୂର୍ବରୁ ମଧ୍ୟ ଏପରି ପ୍ରୟାସ ବିଫଳ ହୋଇସାରିଛି ବୋଲି ହିନ୍ଦୁ ପକ୍ଷ ଯୁକ୍ତି ବାଢ଼ିଥିଲା। ହିନ୍ଦୁଙ୍କ ପକ୍ଷରୁ ମଧ୍ୟସ୍ଥତା ପାଇଁ କେବଳ ହିନ୍ଦୁ ମହାସଭା ୩ ଜଣଙ୍କ ନାମ ପ୍ରସ୍ତାବ ଦେଇଥିଲା। ଏଥିରେ ସୁପ୍ରିମ୍କୋର୍ଟର ଦୁଇ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ୍ ଜଗଦୀଶ ସିଂହ ଖେହର ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ ନାମ ରହିଥିଲା। ତେବେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଏବେ ନିଯୁକ୍ତ ହୋଇଥିବା ପ୍ୟାନେଲରେ ଏମାନଙ୍କ ମଧ୍ୟରୁ କେହି ନାହାନ୍ତି। ଉଲ୍ଳେଖନୀୟ ଯେ, ଏହି ମାମଲାରେ ଏପର୍ଯ୍ୟନ୍ତ ୯୦ ହଜାର ପୃଷ୍ଠାର ସାକ୍ଷ୍ୟ ଅଲଗା ଅଲଗା ଭାଷାରେ ଏକାଠି ଗ୍ରହଣ କରାଯାଇଛି।