ସାନଖେମୁଣ୍ଡି, ୨୫/୦୯ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏସ ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ। ସରକାରଙ୍କ ପ୍ରଦତ୍ତ ଅର୍ଥକୁ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ସଭାପତିଙ୍କ ଅଗୋଚରରେ ଅର୍ଥ ହେରଫେର କରିବା ସହ ଚଳୁ କରିଥିବା ଅଭିଯୋଗ ହୋଇଛି। ଏନେଇ ସାନଖେମୁଣ୍ଡି ବ୍ଲକ ଏସ ରଘୁନାଥପୁର ଗାଁର ଗ୍ରାମବାସୀ ଏବଂ ଅଭିଭାବକଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୦ ଛାତ୍ରଛାତ୍ରୀ ଥିବାବେଳେ ୫ ଜଣ ଶିକ୍ଷକ ରହିଛନ୍ତି। ପୂର୍ବ ବର୍ଷ ଏବଂ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ପୋଷାକ ପତ୍ର ଏବଂ ବିଦ୍ୟାଳୟର ପରିବେଶ ପରିମଳ ସ୍ୱଚ୍ଛତା, କମ୍ପୋଜିଟ ଗ୍ରାଣ୍ଟ ଫଣ୍ଡ ୫୦୦୦୦, ଖେଳ ଉପକରଣ ଅନୁଦାନ ୧୦୦୦୦, ଇକୋ କ୍ଳବ ୧୦୦୦୦, ଗାରିମା ଆୱାର୍ଡ ବାବଦକୁ ୧୦୦୦୦ ସରକାରୀ ଅର୍ଥ ବିଦ୍ୟାଳୟର ପରିଚାଳନା କମିଟି କୌଣସି ସଦସ୍ୟଙ୍କ ବିନା ସ୍ଵାକ୍ଷରରେ ଏବଂ ବିନା ବୈଠକରେ ଆଲୋଚନା ନକରି ମନଇଚ୍ଛା ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି।
ଗତକାଲି ବିଦ୍ୟାଳୟ ସଭାପତି ନିଳ ସେଠି, ପୂର୍ବତନ ନାଏଵ ସରପଞ୍ଚ ଲୋକନାଥ ପାଣିଗ୍ରାହୀ, ଅଭିଭାବକମାନେ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରେଜିଷ୍ଟର ଯାଞ୍ଚ୍ କରିଥିଲେ। ହେଲେ ରେଜିଷ୍ଟର ଦେଖି ହିସାବ କିତାବ ତାଳମେଳ ଖାଉନଥିବା ଅନୁଭବ କରିଥିଲେ। ସେମାନେ ଦାବି କରିଛନ୍ତି ଯେ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସଭାପତି, ବିଇଓଙ୍କ ଉପସ୍ଥିତ ତଦନ୍ତ କରାଯାଉ। ତେବେ ବିଦ୍ୟାଳୟରେ ୨୦୦୬ ରୁ ଚାକିରୀର ପ୍ରଥମ ପୋଷ୍ଟିଂ ହୋଇଥିବା ନାରୁଶୁ ସେଠି ଦୀର୍ଘ ୧୬ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ଶିକ୍ଷକ ପଦବୀରେ ରହି ଆସୁଥିବା ବେଳେ ସେଥି ମଧ୍ୟରୁ ୧୨ ବର୍ଷ ହେଲା ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାଇତ୍ୱ ତୁଲାଇଛନ୍ତି। ପ୍ରଶ୍ନ ଉଠୁଛି ବିଦ୍ୟାଳୟର ଅନେକ ଅଭିଜ୍ଞତା ସମ୍ପନ୍ନ ଶିକ୍ଷକ, ବରିଷ୍ଠ ଶିକ୍ଷକ ଥିବା ବେଳେ କାହିଁକି ନାରୁଶୁ ସେଠି ପ୍ରଧାନ ଶିକ୍ଷକ ପଦବୀ ହାତେଇଛନ୍ତି। ଏନେଇ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଲିଖିତ ଅଭିଯୋଗ ପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରୁଶୁ ସେଠିଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି।