ଭୁବନେଶ୍ୱର,୨୪/୦୭: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼  ଖବର । ରାଜ୍ୟରେ ଥିବା ୧୦୨ଟି  ହାଇସ୍କୁଲକୁ ଉନ୍ନୀତ କରାଯାଇ  ହାୟର ସେକେଣ୍ଡାରୀ ସ୍କୁଲ (ଉଚ୍ଚ  ମାଧ୍ୟମିକ ବିଦ୍ୟାଳୟ)ରେ ପରିଣତ  କରାଯାଇଛି । ୧୦୨ ହାଇସ୍କୁଲ  ହାୟର ସେକେଣ୍ଡାରୀ ସ୍କୁଲକୁ  ଉନ୍ନୀତ ହେବା ନେଇ ବିଦ୍ୟାଳୟ ଓ  ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  ଏକ୍ସ ଯୋଗେ ସୂଚନା ଦେଇଛନ୍ତି । 

 ହାୟର ସେକେଣ୍ଡାରୀ ସ୍କୁଲ ହେବା  ପରେ ଏଠାରେ ଯୁକ୍ତ ଦୁଇ ପଢିବେ  ଛାତ୍ରଛାତ୍ରୀ । ଯେଉଁମାନେ ଦଶମ  ପଢିସାରି ଅନ୍ୟ କଲେଜ ଯାଉଥିଲେ  ସେମାନଙ୍କୁ ଆଉ କଲେଜ ଖୋଜିବାକୁ  ପଡ଼ିବନି । ଏହି ସବୁ ଉନ୍ନୀତ ହାୟର  ସେକେଣ୍ଡାରୀ ସ୍କୁଲ ମଧ୍ୟରେ  ଅନୁଗୁଳର ୪ଟି, ଭଦ୍ରକର ୯, ବଲାଙ୍ଗିର ୯, ବୌଦ୍ଧର ୩, କଟକର  ଗୋଟିଏ, ଦେବଗଡ଼ର ଗୋଟିଏ, ଢେଙ୍କାନାଳର  ୫, ଗଜପତିର ୪, ଜଗତସିଂହପୁରର ଗୋଟିଏ,  ଝାରସୁଗୁଡ଼ାର ୩, କଳାହାଣ୍ଡିର ୧୨, କନ୍ଧମାଳର ୬,  କେନ୍ଦୁଝରର ୫, କୋରାପୁଟର ୨, ନବରଙ୍ଗପୁରର ୧୫,  ନୂଆପଡ଼ାର ୧୦, ରାୟଗଡ଼ାର ୧୨ଟି ହାଇସ୍କୁଲ ରହିଛି । ୨୦୨୫-୨୬ ଶିକ୍ଷାବର୍ଷରୁ ଏହି ସବୁ ହାୟର ସେକେଣ୍ଡାରୀ  ସ୍କୁଲରେ କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ  ହେବ । 



ଏକ୍ସ ଯୋଗେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଯୁକ୍ତ  ଦୁଇ ପଢାରୁ ବଞ୍ଚିତ ହେଉଥିବା ପିଲା ଏବେ ନିଜ ପାଖ  ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷା ଲାଭ  କରିବେ । ଅପରପକ୍ଷେ, ସିବିଏସଇ ସ୍କୁଲ ଭଳି ରାଜ୍ୟ  ସରକାରଙ୍କ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ  ଖୁବଶୀଘ୍ର ସିସିଟିଭି ଲାଗିବ । ସ୍କୁଲରେ ଘଟୁଥିବା ପ୍ରତିଟି  ଘଟଣା ଉପରେ ସିସିଟିଭିର ନଜର ରହିବ । ବାଲେଶ୍ୱର  ଫକୀରମୋହନ କଲେଜରେ ଯେଉଁଭଳି ଅଘଟଣ ଘଟିଲା  ତାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।  ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନରେ ର‌୍ୟାଗିଂ ଅଭିଯୋଗ  ଆସୁଛି । ତେଣୁ ସ୍କୁଲରେ ପଢୁଥିବା କୋମଳମତି  ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯିବ ବୋଲି  ଗଣଶିକ୍ଷା ବିଭାଗ ବିଚାର କରୁଥିବା ମନ୍ତ୍ରୀ କହିଛନ୍ତି ।