କଅଁଳ ହାତ । କଲମ ନୁହଁ, ହାତରେ ବନ୍ଧୁକ । ବସ୍ତାନିରେ ଖାତାବହି । ତା ଭିତରେ ମଦ ବୋତଲ । ସ୍କୁଲରେ ସରସ୍ୱତୀଙ୍କ ପୂଜା । ‘ଯା କୁନ୍ଦେୁନ୍ଦୁ ତୁଷାର ହାର ଧବଳା’... ବନ୍ଦନା ବଦଳରେ ମଦନିଶା କହିଲା କଥା । ଏ ଖବର ଆପଣଙ୍କ ପାଖରେ ପହଞ୍ଚିଥିବ । ନିଶ୍ଚୟ ଭାରାକ୍ରାନ୍ତ କରିଥିବ । ଶିକ୍ଷା ଓ ସାମାଜିକ ଅବକ୍ଷୟର ଏ ଚିତ୍ର ଆନ୍ଦୋଳିତ ବି କରିଥିବ । ହେଲେ ଏ ଘଟଣାକୁ ନେଇ ସରକାର, ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ କେତେ ମର୍ମାହତ? ଭବିଷ୍ୟତରେ ଏଭଳି ବିଡ଼ମ୍ବନାକୁ ଏଡ଼ାଇବାକୁ ଆମେ ଅଣ୍ଟା ଭିଡ଼ିଲୁଣି? ଏହା ବି ଆମର ଦେହସୁହା କି? କିଏ ପ୍ରଶ୍ନ କାହାକୁ କରିବ? କିଏ ବା ଦେବ ଉତ୍ତର? ତାଳୁରୁ ତଳିପା ସମସ୍ତଙ୍କ ମୁହଁରେ ତାଲା । ପ୍ରଶ୍ନକର୍ତ୍ତା-ଉତ୍ତରଦାତା ପୂରା ଚୁପ୍ ।

​​​​​​​

ସାମାଜିକ ସଂକଟ

ସିନେମାର କାହାଣୀ ଭଳି ଲାଗୁଛି । ଓଡ଼ିଶା ଭଳି ରାଜ୍ୟରେ ନବମ ଶ୍ରେଣୀ ପିଲାର ବ୍ୟାଗ୍ରୁ ବାହାରୁଛି ବନ୍ଧୁକ । ଯେଉଁ ବୟସ ଦୁନିଆକୁ ଚିହ୍ନିବା ଆଉ ଜାଣିବାର, ସେ ବୟସରେ ବନ୍ଧୁକ କଥା କେମିତି ମନକୁ ଆସିଲା । ସେ ପୁଣି ଶ୍ରେଣୀଗୃହରେ । ସ୍କୁଲ ବସ୍ତାନିରେ? ଏହାକୁ ଶିକ୍ଷାର ଅବକ୍ଷୟ କହିବା ନା ଅଭିଭାବକପଣିଆକୁ କାଠଗଡ଼ାରେ ଛିଡ଼ା କରାଇବା? ଯେଉଁ ବସ୍ତାନି ଆମ ଭାଗ୍ୟ ଓ ଭବିଷ୍ୟତକୁ ଧରିଥାଏ, ସେଥିରୁ ବନ୍ଧୁକ ବାହାରିଲାଣି । ଭୟ, ରାଗ, ଓ ଚିନ୍ତା ମନକୁ କରୁଛି ଛଟପଟ । କେନ୍ଦ୍ରାପଡା ଗରଦପୁର ବ୍ଲକ କୁଦାନଗରୀ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ର ବ୍ୟାଗରେ ବନ୍ଧୁକ ନେଇ ସ୍କୁଲ ଯାଇଥିଲେ । ପୁଲିସକୁ ଖବର ଗଲା । ପୁଲିସ୍ ସ୍କୁଲ ଯାଇ ଜବତ କଲା ବନ୍ଧୁକ । ସମାନ ଘଟଣା ବାଲେଶ୍ୱରରେ । ରେମୁଣା ବ୍ଲକ୍ ଶ୍ରୀଜଙ୍ଗ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ପିଲା ନିଜ ବସ୍ତାନିରେ ବନ୍ଧୁକ ନେଇ ସ୍କୁଲ ଯାଇଥିଲେ । ସ୍କୁଲରେ ଖେଳିଗଲା ଭୟ ଓ ଆତଙ୍କ । ପୁଲିସକୁ ଖବର ଗଲା । ତା’ପରେ ଏହା ପାଲଟିଗଲା ବ୍ରେକିଂ ନ୍ୟୁଜ୍ । ହୋହଲ୍ଲା, ପାଟିତୁଣ୍ଡ । ଝଡ଼ ପରେ ନିରବତା ।

ଏ ଦୁଇଟି ଘଟଣାକୁ ତଳେଇକି ଦେଖିଲେ ସାମାଜିକ ସଂକଟର ଚିତ୍ର ଜଳଜଳ । କେବଳ ସେତିକି ନୁହଁ, କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ ଦୁଇ ଜଣ ସ୍କୁଲ ଛାତ୍ର ମଦ ପିଇ ଅଚେତ ହେବାର ଭାଇରାଲ ଭିଡିଓ ପାଦ ତଳୁ ମାଟି ଖସାଇ ଦେଇଛି । ଦେବୀ ସରସ୍ୱତୀଙ୍କ ପୂଜା ଦିନ ଦୁଇ ଛାତ୍ର ସ୍କୁଲ ୟୁନିଫର୍ମରେ ହଷ୍ଟେଲରୁ ଗଲେ କେମିତି? ମଦ କେଉଁଠୁ କିଣିଲେ ଓ ପିଇଲେ ତାହା ବଡ଼ ପ୍ରଶ୍ନ ଛିଡ଼ା କରାଇଛି । ପିଲାଙ୍କର ଏଭଳି ବିଶୃଙ୍ଖଳିତ କାର୍ଯ୍ୟ ଯେତିକି ଚିନ୍ତାଜନକ ସେତିକି ଲଜ୍ଜାଜନକ । ଆମର ଗତି କୁଆଡ଼େ? ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ଆମେ ଖାଲି ଆଗକୁ ଯାଉଛୁ । ଆମ ମୂଳଦୁଆ ଉଇ ଖାଇବାକୁ ବସିଲାଣି । ଶିକ୍ଷକ, ଅଭିଭାବକ, ସାମାଜିକ ବ୍ୟବସ୍ଥା କାହାକୁ ଦାୟୀ କରିବା?

ସା ବିଦ୍ୟା ଯା ବିମୁକ୍ତୟେ । ଆମ ଶିକ୍ଷାର ସ୍ଥିତି କେଉଁଠି? ଶ୍ରେଣୀଗୃହରେ ପିଲାଟିଏ କେବଳ ପାଠ୍ୟକ୍ରମରେ ବାନ୍ଧି ହୋଇ ରହୁଛି ନା ସଂସ୍କାର ଶିଖୁଛି? ନୈତିକ ଶିକ୍ଷା ଏବେ କେଉଁଠି? ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ବିଶ୍ୱାସର ସଂକଟ । ଭରସା ନାହିଁ କି ସଂପର୍କରେ ମଧୁରତା ବି ନାହିଁ । ସବୁ ଯେମିତି ରଙ୍ଗହୀନ ଓ ବାସ୍ନାଶୂନ୍ୟ । ପିଲାଟିଏ ଘରେ କ’ଣ କରୁଛି ସେ ଖବର ଶିକ୍ଷକ ରଖୁନାହାନ୍ତି । ସ୍କୁଲରେ ପିଲା କ’ଣ କରୁଛି ଅଭିଭାବକ ବି ଜାଣୁନାହାନ୍ତି । ଆମେ କେବଳ ପିଲାଙ୍କୁ ଚାକିରିର ‘ମାୟାମୃଗ’ ଦେଖାଉଛୁ । ସେ ଦୌଡ଼ୁଛନ୍ତି...ଦୌଡ଼ୁଛନ୍ତି । ଠିକ୍ ଚାବିଦିଆ କଣ୍ଢେଇ ଭଳି । ଆମ ଶିକ୍ଷା ବ୍ୟବସ୍ଥା ମାର୍କ ଏବଂ କ୍ୟାରିୟର ପଛରେ ଦ୍ରୁତ ବେଗରେ ଦୌଡ଼ୁଛି । ‘ଭଲ ମଣିଷ’ ହେବାକୁ ନୈତିକ ଶିକ୍ଷା ପାଇଁ ସମୟ କାହିଁ?

କବର ତଳେ ‘ନୈତିକ ଶିକ୍ଷା’

ସକାଳୁ ସଂଜ ଏବେ ଖାଲି ପାଠ ଆଉ ପାଠ । ପାହାନ୍ତା ପହରରୁ ଅଧାରାତି । ସତେ ଯେମିତି ହାତ ପାଦରେ ବେଡ଼ି । ଭୋଅରୁ ଉଠିବା ମାତ୍ରେ ଆଖି ଆଗରେ ଗଦା ଗଦା ବହି । ସ୍ୱପ୍ନ ପୂରଣ କରିବାକୁ ପ୍ରତିଟି ମୁହୂର୍ତ୍ତ ସହ ଅହରହ ଲଢ଼େଇ । ଏମିତି ଆମ ତରୁଣମାନଙ୍କର ଜୀବନ । ମାନସିକ ଚାପ, ହତାଶା ଓ ଅବସାଦର ଗ୍ରାଫ୍ ଉପରମୁହାଁ । କ୍ୟାରିୟରରେ ଆଗକୁ ଯିବାକୁ ମାରାଥନ୍ ଦୌଡ଼ । ଶ୍ରେଣୀଗୃହରେ ପିଲାଙ୍କ ଉପରେ ଶିକ୍ଷକଙ୍କ ନିୟନ୍ତ୍ରଣ ନାହିଁ । ଚିନ୍ତା, ଚାପ, ଭୟ, ହତାଶ, ଦ୍ୱନ୍ଦ୍ୱ ଆଉ ଶଙ୍କାର ଚକ୍ରବ୍ୟୂହରେ ପିଲାମାନେ ଏବେ ବିଭ୍ରାନ୍ତ । ପିଲାଙ୍କ ବସ୍ତାନିରୁ ବନ୍ଧୁକ ଆଉ ମଦ ବୋତଲ ମିଳିବା ଆମ ସାମାଜିକ ଅବକ୍ଷୟକୁ ଖତେଇ ହେଉଛି ।

ପ୍ରଶ୍ନ ଉଠୁଛି କେଉଁଠୁ ଆସିଲା ବନ୍ଧୁକ ଆଉ ମଦ? ହାଇସ୍କୁଲ ପିଲା ଏହା ପାଇଲା କେଉଁଠୁ? ଶିକ୍ଷା, ସଂସ୍କାର ଓ ମୂଲ୍ୟବୋଧ କେମିତି ଆକଟ କଲାନି । ସବୁକିଛି କ’ଣ ଏବେ କବର ତଳେ? ସ୍କୁଲଗୁଡ଼ିକରେ ନୈତିକ ଶିକ୍ଷା, ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ । ଆମ ସମାଜ ଆଉ ବ୍ୟବସ୍ଥା ଏବେ ଦ୍ରୁତ ବଦଳୁଛି । ଯାହା ପିଲାମାନଙ୍କ ମାନସିକତାକୁ ସିଧାସଳଖ ପ୍ରଭାବିତ କରୁଛି । ଆମ ଜେନ୍ ଜି ଏବେ ଡିଜିଟାଲ୍ ଦୁନିଆ ଓ ଅପସଂସ୍କୃତିର କବଳରେ । ଇଣ୍ଟରନେଟ୍ ଖୋଲିଲେ ହିଂସାତ୍ମକ ଭିଡିଓ ଗେମ୍ ଆଉ ଅଶାଳୀନ ବିଷୟବସ୍ତୁ । ଅଭିଭାବକଙ୍କ ପାଖରେ ପିଲାଙ୍କ ପାଇଁ ସମୟ ନାହିଁ । ସ୍ମାର୍ଟଫୋନ୍‌ରେ ମାୟାଜାଲରେ ପିଲାମାନେ ବନ୍ଧା । ପରିବାରର ବନ୍ଧନ ଏବେ ହୁଗୁଳା । ସ୍ନେହ ମିଳୁନି କି ଶୃଙ୍ଖଳା। ସ୍କୁଲ ପାଖରେ ମଦ ଦୋକାନ । ଖେଳନା ଭଳି ବନ୍ଧୁକ ବି ସହଜରେ ମିଳିଲାଣି । ଆମର ଗତି କୁଆଡ଼େ? ହାଇସ୍କୁଲ ପିଲା ମଦ ନିଶାରେ ଚୁର୍ ହେବା ଅବା ବନ୍ଧୁକ ଧରିବା ଆମ ଶିକ୍ଷା ବ୍ୟବସ୍ଥା ଓ ପାରିବାରିକ ସଂସ୍କାରକୁ କାଠଗଡ଼ାରେ ଛିଡ଼ା କରାଇନି କି?

ବେଳ ଥାଉ ଥାଉ ସାବଧାନ

ରାକ୍ଷସ, ସଇତାନ, ବିଷ ଅବା ନିଶାପାଣି । ଗୋଟିଏ ପାନୀୟ ଦ୍ରବ୍ୟ ‘ମଦ’ । ଭଳିକି ଭଳି ଏମିତି ଅନେକ ନାଁ । ନିଶା ଯେଉଁଠି, ନିରାଶା ସେଇଠି । ଏ ମଦ ନିଶା ପରିବାର ଉଜାଡ଼ୁଛି । ଜୀବନ ବି ନେଉଛି । କାୟା ମେଲାଇ ଚାଲିଛି ନିଶା ସମ୍ରାଟ । ଆମ ଭବିଷ୍ୟତ ପିଢ଼ିଙ୍କୁ ନିଜ ଆଡ଼କୁ ଟାଣିବାକୁ ନିଶା ଜାଲ ଫିଙ୍ଗିଲାଣି । ପିଲା ଧରା ଦେଲେଣି । ଆଗକୁ କ’ଣ ହେବ ସ୍ଥିତି? ମଣିଷ ତିଆରି କରୁଥିବା ସ୍କୁଲରେ ମଦ ଆଉ ବନ୍ଧୁକର ପ୍ରତିଯୋଗିତା ଚାଲିବ?

ରାଜ୍ୟକୁ ଧୀରେଧୀରେ ମଦ ଗିଳିବାକୁ ବସିଲାଣି । ଚୋରି, ଦୁଷ୍କର୍ମ ସଂଖ୍ୟାର ଗ୍ରାଫ୍ ଉପରକୁ ମାଡ଼ି ଚାଲିଛି । ଆମ ରାଜ୍ୟର ଯୁବପିଢ଼ି ମଦ ନିଶାରେ ପୂରା ଚୁର୍ । ଏବେ ସ୍କୁଲ ପିଲାଙ୍କୁ କବଳିତ କରିବାକୁ ଯାଉଛି ନିଶା । ସରକାର ଲଗାମ ଲଗାନ୍ତୁ । ଶିକ୍ଷାନୁଷ୍ଠାନ ପାଖରେ ନିଶା କାରବାର ବନ୍ଦ କରନ୍ତୁ । ସହରରୁ ମଦ ଏବେ ଭାୟା ଗାଁ ଛକ ହୋଇ ସ୍କୁଲ ବସ୍ତାନିରେ ପଶିଲାଣି । ମଦ ମାୟାରେ ପିଲାଏ ବାୟା ହେବାକୁ ଆଉ କେତେ ବା ଦିନ?

ଆଜିର ପିଲାମାନେ ବାସ୍ତବ ଦୁନିଆ ଅପେକ୍ଷା ଡିଜିଟାଲ୍ ଦୁନିଆରେ ଅଧିକ ସମୟ କାଟୁଛନ୍ତି । ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମରେ ଦେଖାଯାଉଥିବା ହିଂସାତ୍ମକ ‘ୱେବ୍ ସିରିଜ୍’ ମନରେ ଛାପ ପକାଉଛି । ବନ୍ଧୁକ ଧରିବା ବା ନିଶା ସେବନ କରିବାକୁ ପିଲା “ଷ୍ଟାଇଲ୍’ ଭାବୁଛନ୍ତି । ସରକାରଙ୍କ ମଥାରେ ପାପ ବୋଳି ଆମେ ଖସି ଗଲେ ହେବନି । ଅଭିଭାବକମାନେ ନିଜେ ନିଜକୁ ପ୍ରଶ୍ନ କରନ୍ତୁ । ପିଲାଙ୍କୁ ‘ଲମ୍ବା ରେସ୍ର ଘୋଡ଼ା’ କରିବାକୁ ଯାଇ ଆମେ ମଣିଷ ନୁହଁ, ମେସିନ୍ କରିବାକୁ ବେଶ୍ ପରିଶ୍ରମ କରୁଛୁ । ପିଲାଙ୍କୁ ସମୟ ଦେଉନୁ । ହାତରେ ମହଙ୍ଗା ମୋବାଇଲ୍ ଧରାଇ ଦେଉଛୁ। ଦିନସାରା ପିଲା କ’ଣ ଦେଖୁଛି ବା କାହା ସହ ମିଶୁଛି, ତାହା ଉପରେ ଆମର ନଜର ନାହିଁ । କେବେ ପିଲାର ମନର ଭାବନାକୁ ଆମେ ପଢ଼ିଛୁ? ସଂସ୍କାରର ଅଭାବ ହିଁ ସେମାନଙ୍କୁ ଅବାଟରେ ନେଉଛି । ସମୟ ଆସିଛି, ଆମକୁ ସଜାଗ ହେବାକୁ ହେବ । ସେମାନଙ୍କୁ ସମୟ ଦେବାକୁ ହେବ । ସାଙ୍ଗ ଭଳି କଥା ହେବାକୁ ପଡ଼ିବ । ନୈତିକତା, ସଂସ୍କାରର ପାଠ ପଢ଼ାଇବାକୁ ହେବ ।

ରାଜ୍ୟରେ ଘଟିଥିବା ଏ ଘଟଣାଗୁଡ଼ିକୁ ସରକାର ଗମ୍ଭୀରତାର ସହ ନିଅନ୍ତୁ । ତର୍ଜମା କରନ୍ତୁ । ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ନିରବତା ଭାଙ୍ଗନ୍ତୁ । ଅଭିଜ୍ଞତା ଓ ଅନୁଭବରେ ମାର୍ଗଦର୍ଶନ କରନ୍ତୁ । ଗୋଟିଏ ସୁସ୍ଥ ଶିକ୍ଷା ବ୍ୟବସ୍ଥା ହିଁ ଏକ ସୁସ୍ଥ ସମାଜ ଗଢ଼ିପାରିବ । ସରକାର ଚରିତ୍ର ଗଠନ ସହ ନୈତିକ ଶିକ୍ଷାର ଧାରାକୁ ଉତ୍ସାହିତ କରନ୍ତୁ । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିକ୍ଷାର ସ୍ୱାସ୍ଥ୍ୟକୁ ସଜାଡ଼ନ୍ତୁ । ପ୍ରକୃତ ଶିକ୍ଷା ହିଁ ମଣିଷକୁ ଅନ୍ଧାରରୁ ଆଲୁଅକୁ ନେବ ।