ଭବାନୀପାଟଣା,୧୫/୦୭: ଲଗାଣ ବର୍ଷାରେ ଭୁଶୁଡ଼ିଲା ବିଦ୍ୟାଳୟ ଘର । କଳାହାଣ୍ଡି ଜିଲ୍ଲା ଭବାନୀପଟଣାରେ ବ୍ଲକ ଉପାନ୍ତ ଯୁଗସାଇପାଟଣା ମିଆଙ୍ଗପଦର ଗାଁରେ ପ୍ରାଥମିକ ସ୍କୁଲ ଘର ଭୁଶୁଡ଼ି ପଡ଼ିଛି । ରାତିରେ ଏହି ଅଘଟଣ ଘଟିଥିବାରୁ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ । ପୂର୍ବ ସରକାରରେ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ମାତ୍ର ନିମ୍ନମାନର କାର୍ଯ୍ୟ ପାଇଁ ସ୍କୁଲ ଘର ଭୁଶୁଡ଼ି ପଡ଼ିଛି । ରାତିରେ ଏହି ଘଟଣା ଘଟିଥିବାରୁ ୧ମରୁ ୫ମ ଯାଏଁ ପ୍ରାୟ ୪୦ କୁନିକୁନି ବର୍ତ୍ତି ଯାଇଛନ୍ତି।
ପ୍ରାୟ ୨୦ ବର୍ଷରୁ ଅଧିକ ହେଲା ସ୍କୁଲରେ ରଙ୍ଗ ଟିକେ ଲାଗି ନାହିଁ। କି ଚଟାଣରେ ସିମେଣ୍ଟ ବି ଲାଗି ନାହିଁ। ଭଙ୍ଗା ଦଦରା ସ୍କୁଲ କୋଠାରେ ପିଲାଏ ପଢି ଆସୁଥିଲେ।ଏନେଇ ସ୍ଥାନୀୟ ଗ୍ରାମବାସୀ ତଥା ଅବିଭାବକମାନେ ଶିକ୍ଷା ବିଭାଗକୁ ଗୁହାରି କରି ଥକିଗଲେ ମାତ୍ର କିଛି ଲାଭ ହେଲା ନାହିଁ। ଶେଷରେ ଲଗାଣ ବର୍ଷାରେ ଭୁଶୁଡିଗଲା ସ୍କୁଲ କୋଠା। ଯାହାକୁ ନେଇ ସ୍ଥାନୀୟ ଜନସାଧରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେବେ ଯୁଗସାଇପାଟଣା ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ସାଧାରଣତଃ ସରକାରୀ ଅଧିକାରୀ କର୍ମଚାରୀଙ୍କ ଏଠାରେ ପାଦ ପଡେ ନାହିଁ। ଫଳରେ ଏହି ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ନୁହେଁ ପଛେଇ ଯାଇଥିବା ବେଳେ ଶିକ୍ଷାରୁ ବଞ୍ଚିତ ହୋଇ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି ।