ଭୋଗରାଇରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ

ଭୋଗରାଇ,୧/୧୨,(ଆ.ପ୍ର.) ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ଦାବି ପୂରଣ ଉଦ୍ଦେଶ୍ୟରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ କୋର୍ଡିନେସନ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ ହୋଇଛି। ଏନେଇ ଗୁରୁବାର ଅପରାହ୍ନରେ ଭୋଗରାଇ ବ୍ଲକ ଅନ୍ତର୍ଗତ ଥାନାଛକ ସ୍ଥିତ ଓଡ଼ିଶା ନିମ୍ନ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଭୋଗରାଇ ବ୍ଲକ ଶାଖା କାର୍ଯ୍ୟାଳୟ ଠାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋର୍ଡିନେସନ କମିଟିର ମହାସଚିବ ତଥା ଦକ୍ଷିଣ ଭୋଗରାଇ ଓଷ୍ଟା ସମ୍ପାଦକ ନଟରଞ୍ଜନ ଘରାଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ୩ ତାରିଖରେ ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଭୋଗରାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ମଧ୍ୟରେ ୭ମ ବେତନ କମିଶନ ସୁପାରିଶ ମୁତାବକ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା,୨୦୧୮ ଅନୁଦାନପ୍ରାପ୍ତ ସମସ୍ତ କର୍ମଚାରୀ ମାନଙ୍କୁ ସଠିକ ଭାବେ ୭ମ ବେତନ କମିଶନ ଅନୁସାରେ ଦରମା ପ୍ରଦାନ ତଥା ଅଣତାଲିମପ୍ରାପ୍ତ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ ମାନଙ୍କୁ ଦରମା ପ୍ରଦାନ,ଅନୁଦାନ ପାଇବାକୁ ଯୋଗ୍ୟ ସମସ୍ତ ବିଦ୍ୟାଳୟକୁ ଯଥା ଶୀଘ୍ର ଅନୁଦାନ ପ୍ରଦାନ,ନୂତନ ଅନୁଦାନପ୍ରାପ୍ତ ସ୍କୁଲର ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସମସ୍ତ ସୁବିଧା ସୁଯୋଗ ପ୍ରଦାନ,ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ କଲେଜରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷା କର୍ମଚାରୀ ପଦବୀ ପୂରଣ ନିମନ୍ତେ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବା,ସୁପ୍ରିମ କୋର୍ଟ ନିର୍ଦ୍ଦେଶ ମୁତାବକ କ୍ଷତିଗ୍ରସ୍ତ ସମସ୍ତ କର୍ମଚାରୀ ମାନଙ୍କୁ ଟିଜି ସ୍କେଲ ପ୍ରଦାନ,୨୦୨୨ ମସିହାରେ ଉଚ୍ଛେଦ ହୋଇଥିବା ଠିକା କର୍ମଚାରୀ ମାନଙ୍କୁ ପୁରୁଣା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଓଷ୍ଟା ଜିଲ୍ଲା ଯୁଗ୍ମ ସମ୍ପାଦକ ରାଜେନ୍ଦୁ ବିକାଶ ପାତ୍ର,ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନ୍ମଥ କୁମାର ବେହେରା,ଦକ୍ଷିଣ ଭୋଗରାଇ ଓଷ୍ଟା ସଭାପତି ଶ୍ରୀନିବାସ ପ୍ରଧାନ,କାର୍ଯ୍ୟକାରୀ ସଭାପତି ଦେବାଶିଷ ପଟ୍ଟନାୟକ,ଉତ୍ତର ଭୋଗରାଇ ଓଷ୍ଟା ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି,ବାଲଗୋପାଳ ଦାସ,ପ୍ରଫୁଲ୍ଲ କୁମାର ଦାସ,ମନୋରଞ୍ଜନ ଦାସ,ଶାଶ୍ବତ ଜେନା,ସୈାଭାଗ୍ୟ ଦେ,ଚୈତନ୍ୟ ସାମଲ,ଦେବଶଙ୍କର ପଣ୍ଡା,ଦୁର୍ଗାଶଙ୍କର ପଣ୍ଡା,ଭବଶଙ୍କର କରଣ,କୁଳମଣି ଜେନା,ହିମାଂଶୁ ଦାସ ପ୍ରମୁଖ ଶିକ୍ଷକ କର୍ମଚାରୀ କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲା ବେଳେ ଭୋଗରାଇର ୫୩ ଟି ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।