ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା; ‘ଫଳଶୂନ୍ୟ’ ସ୍କୁଲ୍ ଶିକ୍ଷକଙ୍କୁ ନୋଟିସ୍

କଟକ,୬ା୬(ବ୍ୟୁରୋ): ଚଳିତ ମାଟ୍ରିକ ପରୀକ୍ଷାରେ ୮୨ଟି ‘ଫଳଶୂନ୍ୟ’ ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେଉଁ କାରଣ ପାଇଁ ସଂପୃକ୍ତ ବିଦ୍ୟାଳୟରେ କେହି ଜଣେ ହେଲେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ନାହିଁ ସେ ସଂପର୍କରେ ଜବାବ ଲୋଡ଼ାଯାଇଛି । କେବଳ ସେତିକି ନୁହେଁ, ଏଭଳି ସ୍ଥିତିକୁ ଭବିଷ୍ୟତରେ କିଭଳି ଏଡ଼ାଇ ଦିଆଯିବ ସେ ସଂପର୍କରେ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ହେବା ପରେ ଆଜି ଶ୍ରୀ ଦାଶ ପ୍ରଥମ ଥର କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟ ଆସି ମାଟ୍ରିକ ପରୀକ୍ଷା ପରବର୍ତ୍ତୀ ସ୍ଥିତି ସଂପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନରେ କିଭଳି ଭାବେ ମାଟ୍ରିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିବ ସେ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
ଗତ ବର୍ଷ ମାଟ୍ରିକ୍ରେ ୩୬ଟି ସ୍କୁଲ୍ର କୌଣସି ଛାତ୍ରଛାତ୍ରୀ ପାସ୍ କରିନଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୮୨କୁ ବୃଦ୍ଧି ପାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସବୁଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବାବେଳେ ଆଜି ମନ୍ତ୍ରୀ ଶ୍ରୀ ଦାଶ ଏହାର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ନିଜେ ଏହି ସବୁ ସ୍କୁଲମାନଙ୍କୁ ଗସ୍ତ କରି ସ୍ଥିତି ପରଖିବା ସହ କ’ଣ ପାଇଁ ଏଭଳି ସ୍ଥିତି ସୃଷ୍ଟି ହେଲା ସେ ସଂପର୍କରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିବାର ଯୋଜନା ଅଛି । ସେହିପରି ଫଳଶୂନ୍ୟ ସ୍ଥିତି ଏଡ଼ାଇବା ପାଇଁ ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍ ଓ ପୂର୍ବତନ ଶିକ୍ଷକମାନଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଘୋଷଣା କରିଛନ୍ତି ।
ଶ୍ରୀ ଦାଶ ଦିନ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ବିଭିନ୍ନ ସମସ୍ୟା ବିଷୟରେ ବୋର୍ଡ ସଭାପତି ଡ. ଜାହାନ୍ ଆରା ବେଗମ୍ ଓ ସମ୍ପାଦକ ରାମାଶିଷ୍ ହାଜରାଙ୍କ ସହ ଆଲୋଚନା କରିଥିଲେ । ବିଶେଷ ଭାବେ ଫଳଶୂନ୍ୟ ୮୨ଟି ସ୍କୁଲ୍ ସଂପର୍କରେ ସମୀକ୍ଷା କରାଯାଇଥିଲା । ଫଳଶୂନ୍ୟ ସ୍କୁଲ୍ ସଂଖ୍ୟା କିଭଳି ହ୍ରାସ ପାଇବ ସେ ସଂପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ସିବିଏସ୍ଇ ଢାଞ୍ଚାରେ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା ନେଇ ମଧ୍ୟ ଆଜି ବୈଠକରେ ଆଲୋଚନା କରାଯାଇଛି । ସିବିଏସ୍ସି ଭଳି ସିଲାବସ୍ କରାଯିବା ଦ୍ୱାରା ଛାତ୍ରଛାତ୍ରୀଙ୍କର ପାସ୍ହାର ବଢ଼ିବ ଓ ଫଳଶୂନ ହେଉଥିବା ସ୍କୁଲମାନଙ୍କର ସଂଖ୍ୟା ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଆଶାବ୍ୟକ୍ତ କରିବା ସହ ଇଂରାଜୀରେ ଛାତ୍ରଛାତ୍ରୀମାନଙ୍କର ଫଳ ନୈରାଶ୍ୟଜନକ ରହୁଥିବାରୁ ପାଠ୍ୟକ୍ରମରେ ସ୍ପୋକନ୍ ଇଂରାଜୀକୁ ସାମିଲ କରାଯିବା ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି । ଯଦି ଏନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୁଏ, ଚଳିତ ଶିକ୍ଷା ବର୍ଷରେ ଏହି ପାଠ୍ୟକ୍ରମକୁ ସାମିଲ କରିବାକୁ ଯୋଜନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।