ଭୁବନେଶ୍ବର, ୧୯।୩ : ଏପ୍ରିଲ ୨ରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ।ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ  ଏ ନେଇ  ସୂଚନା ଦେଇଛନ୍ତି। ସେହିପରି  ସକାଳ ୭ଟାରୁ ୯ଟାରୁ ଖୋଲିବ ଅଙ୍ଗନବାଡି। ପୂର୍ବାହ୍ନ ୧୧ଟାରୁ ୩ ଶ୍ରମିକମାନଙ୍କ ପାଇଁ କାମ ବନ୍ଦ ରହିବ। ଯଦି ଏଥିରେ କେହି ଖିଲାପ କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବନ୍ୟା ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି ଜିରୋ କାଜୁଆଲିଟି ଲକ୍ଷ୍ୟ  ରହିଛି।  ରାସ୍ତା ରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ ।  ଜଳଛତ୍ର ଖୋଲାଯିବ। ନଳକୂପ ଖନନ ପାଇଁ ଜିଲା ଗୁଡିକୁ ୩୦୦ କୋଟି ଦିଆଯାଇଛି ।  ଅଘୋଷିତ ବିଦ୍ୟୁତ କାଟ୍ ହେବନି।  ଦିନ ୧୧ଟାରୁ ଅପରାହ୍ନ ୩ଟା  ଓ ରାତିରେ ବିଦ୍ୟୁତ୍ କାଟ ହେବନି।  କିନ୍ତୁ ଘୋଷିତ ବିଦ୍ୟୁତ୍ କାଟ ହେବ ବୋଲି ରାଜସ୍ବ ମନ୍ତ୍ରୀ  କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ  ମଙ୍ଗଳବାର ସମୀକ୍ଷା କରିଥିଲେ। ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଉପସ୍ଥିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଗୁଆ ଆସିଛି । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଛି । ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା ଏସଓପି ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ ଏସଓପି ବାହାରେ ମଧ୍ୟ କାମ କରିବା ପାଇଁ  ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଖରା ଦିନେ ବିଦ୍ୟୁତ କାଟ୍‌ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିନ ୧୧ଟା ରୁ ୫ଟା  ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍‌ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ । ଅଘୋଷିତ ବିଦ୍ୟୁତ କାଟ୍‌ ଯେପରି ନ ହୁଏ,  ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ସେ କହିଥିଲେ।