ଭାରତୀୟ ଭୌତିକ ବିଜ୍ଞାନୀ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (ସି.ଭି. ରମଣ)ଙ୍କ ଦ୍ୱାରା "ରମଣ ପ୍ରଭାବ’ ଆବିଷ୍କାରକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୨୮ ତାରିଖରେ ଭାରତରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି । ଏହି ଅବସର ଆମ ଦେଶର ବିକାଶରେ ଆମର ବୈଜ୍ଞାନିକ ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରିବା ଏବଂ ଜନସଚେତନତା ବୃଦ୍ଧି କରିବା ପାଇଁ ଏକ ମଞ୍ଚ ଭାବରେ ମଧ୍ୟ କାର୍ଯ୍ୟ କରେ ।
ସି.ଭି. ରମଣ ୧୮୮୮ ମସିହା ନଭେମ୍ବର ମାସ ୭ ତାରିଖରେ ତାମିଲନାଡୁ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାଦିନରୁ ବହୁତ ବୁଦ୍ଧିମାନ ଛାତ୍ର ଥିଲେ । ମାତ୍ର ୧୧ବର୍ଷ ବୟସରେ ଦଶମ ଓ ୧୩ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲେ । ୧୯୦୨ ମସିହାରେ ସେ ପ୍ରେସିଡେନ୍ସି କଲେଜରେ ଯୋଗଦେଇ ପ୍ରଥମ ଶ୍ରେଣୀରେ ସ୍ନାତକ ସମାପ୍ତ କରି, ସେହି କଲେଜରୁ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ମଧ୍ୟ ପ୍ରଥମ ଶ୍ରେଣୀରେ ସମାପ୍ତ କରିଥିଲେ । ଏହାପରେ ୧୯୦୭ ମସିହାରେ ଆର୍ଥିକ ସିଭିଲ ସେବା ପରୀକ୍ଷାରେ ପ୍ରଥମ ହୋଇ କୋଲକାତା ଠାରେ ଏହି ସରକାରୀ ଚାକିରିରେ ଯୋଗ ଦିଅନ୍ତି । କିନ୍ତୁ ତାଙ୍କର ଆଗ୍ରହ ବିଜ୍ଞାନ ପ୍ରତି ଅତୁଟ ରହିଥିଲା । ତେଣୁ ଦିନ ସମୟରେ ଚାକିରି ଓ ରାତି ସମୟରେ ସେ ବିଜ୍ଞାନ ପଠନ ଓ ଗବେଷଣା ଜାରି ରଖିଥିଲେ । ସେ ଭାରତୀୟ ବିଜ୍ଞାନ ସଚେତନତା ସଂଘର ଏକ ଛୋଟ ପ୍ରୟୋଗଶାଳାରେ ତାଙ୍କର ଗବେଷଣା କରୁଥିଲେ । ଏଠାରେ ସାଧନ ଅତ୍ୟନ୍ତ ସୀମିତ ଥିଲେବି ରମଣଙ୍କର ଗବେଷଣାତ୍ମକ ପ୍ରବନ୍ଧମାନ ନେଚର ତଥା ପଦାର୍ଥ ବିଜ୍ଞାନର ଅନେକ ବିଖ୍ୟାତ ପତ୍ର ପତ୍ରିକାରେ ପ୍ରକାଶିତ ହେବାରେ ଲାଗିଥିଲା । ରମଣଙ୍କର ପ୍ରାରମ୍ଭିକ ଗବେଷଣା କ୍ଷେତ୍ର ଥିଲା ଶବ୍ଦ ଓ ଶବ୍ଦ ତରଙ୍ଗ ।
୧୯୨୦ ମସିହା ବେଳକୁ ସିଭି ରମଣଙ୍କୁ ଏବଂ ତାଙ୍କର କାର୍ଯ୍ୟକୁ ବିଶ୍ୱର ଅନେକ ବୈଜ୍ଞାନିକ ସ୍ୱୀକୃତି ପ୍ରଦାନ କରିସାରିଥିଲେ । ୨୮ ଫେବ୍ରୁଆରୀ ୧୯୨୮ରେ ସାର୍ ସି.ଭି. ରମଣ ପଦାର୍ଥର ଅଣୁ ସହିତ ଧକ୍କାରେ ଆଲୋକର ବିଚ୍ଛୁରଣ ଉପରେ ଏକ ଉଲ୍ଲେଖନୀୟ ଆବିଷ୍କାର କରିଥିଲେ । ରମଣ ପ୍ରଭାବ ଆବିଷ୍କାର ପୂର୍ବରୁ ତତ୍ତ୍ୱ ବା ବିଶ୍ୱାସ ଥିଲା ଯେ, ଆଲୋକ ରଶ୍ମି କୌଣସି ଅଣୁ ମଧ୍ୟଦେଇ ଗତି କଲାବେଳେ ରଶ୍ମିର ତରଙ୍ଗଦୈର୍ଘ୍ୟ ଓ ଶକ୍ତିରେ କୌଣସି ପରିବର୍ତ୍ତନ ହୁଏନାହିଁ, ଅର୍ଥାତ୍ ଏହା ସମାନ ରହେ । କିନ୍ତୁ ରମଣ ପ୍ରଥମେ ମତ ଦେଲେ ଯେ, ଆଲୋକ ରଶ୍ମି ଏକ ଅଣୁ ଭିତରେ ପ୍ରବେଶ କଲେ ଏହି ରଶ୍ମିର ତରଙ୍ଗଦୈର୍ଘ୍ୟ ଓ ଶକ୍ତି ସମାନ ରହିବନାହିଁ, କାରଣ ଅଣୁରେ ଧକ୍କା ଖାଇ ଭିନ୍ନ ଭିନ୍ନ ତରଙ୍ଗଦୈର୍ଘ୍ୟର ରଶ୍ମି ଅଲଗା ଅଲଗା ପରିମାଣରେ ବିଚ୍ଛୁରିତ ହେବ । ଏଥିରୁ ପ୍ରମାଣିତ ହେଲା ଯେ, କମ୍ ତରଙ୍ଗଦୈର୍ଘ୍ୟ ଥିବା ନୀଳ ରଙ୍ଗ ଅଧିକ ବିଚ୍ଛୁରିତ ହୋଇଯାଏ । ଯେହେତୁ ସମୁଦ୍ର ଜଳର ପରିମାଣ ବା ଗଭୀରତା ବହୁତ ଅଧିକ, ଆଲୋକକୁ ଅଧିକ ବାଟ ଗତି କରିବାକୁ ପଡ଼ିଥାଏ, ଫଳରେ ନୀଳ ରଙ୍ଗର ଆଲୋକ ସଂପୂର୍ଣ୍ଣ ରୂପେ ବିଚ୍ଛୁରିତ ହେଇ ସମୁଦ୍ର ଜଳ ନୀଳ ରଙ୍ଗ ଦେଖାଯାଏ । ଏହି ଆବିଷ୍କାର ଦ୍ୱାରା ଅନ୍ଧକାର ବା କଳା ରଙ୍ଗର ଆକାଶ କାହିଁକି ଦିନବେଳେ ନୀଳ ରଙ୍ଗ ଦେଖାଯାଏ ମଧ୍ୟ ବ୍ୟାଖ୍ୟା କରାଯାଇପାରିଲା । ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିର ଏହି ଯୁଗାନ୍ତକାରୀ ଆବିଷ୍କାର ତାଙ୍କୁ ସାରା ବିଶ୍ୱରେ ପରିଚିତ କରାଇଥିଲା । ବିଶ୍ୱର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମ୍ମାନ ଏବଂ ପୁରସ୍କାର ମିଳିଲା ।
୧୯୩୦ ମସିହାରେ ତାଙ୍କୁ ପଦାର୍ଥ ବିଜ୍ଞାନରେ ପ୍ରଥମ ଭାରତୀୟ ଏବଂ ପ୍ରଥମ ଏସୀୟ ଭାବରେ ନୋବେଲ ପୁରସ୍କାର ଦିଆଯାଇଥିଲା । ୧୯୩୦ ମସିହାରେ ତାଙ୍କୁ ନାଇଟ୍ ଉପାଧି ମିଳିଲା, ସେଥିପାଇଁ ତାଙ୍କ ନାମର ପୂର୍ବରୁ "ସାର୍' ଯୋଡ଼ାଯାଏ । ତାଙ୍କୁ ୧୯୫୪ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ୨୧ ନଭେମ୍ବର ୧୯୭୦ ମସିହାରେ ପରୀକ୍ଷାଗାରରେ କାମ କରୁଥିବା ସମୟରେ ହୃଦଘାତରେ ସେ ଦୁନିଆରୁ ବିଦାୟ ନେଇଥିଲେ । ୨୮ ଫେବ୍ରୁଆରୀକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯିବାର ଉଦ୍ଦେଶ୍ୟ ହେଲା ବିଜ୍ଞାନର ଗୁରୁତ୍ୱ ଏବଂ ଦୈନନ୍ଦିନ ଜୀବନରେ ଏହାର ପ୍ରୟୋଗର ବାର୍ତ୍ତା ପ୍ରସାର କରିବା, ଯୁବପିଢ଼ିଙ୍କୁ ବୈଜ୍ଞାନିକ କାର୍ଯ୍ୟକଳାପରେ ସାମିଲ କରିବା, ବିଜ୍ଞାନ ଏବଂ ସେମାନଙ୍କୁ ପ୍ରଯୁକ୍ତିବିଦ୍ୟାରେ ସାମିଲ ହେବାକୁ ଉତ୍ସାହିତ କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ।
କିନ୍ତୁ ଦୁଃଖର ବିଷୟ ଯେ, ଆମ ଦେଶ ଭଳି ଏକ ପ୍ରଗତିଶୀଳ ରାଷ୍ଟ୍ରରେ ଶିକ୍ଷା ଓ ବୈଜ୍ଞାନିକ ମନୋବୃତ୍ତିର ବିକାଶ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଆଶାତୀତ ଭାବରେ ହୋଇପାରିଲା ନାହିଁ । ଆମ ଦେଶର ଲୋକମାନେ ଏକବିଂଶ ଶତାଦ୍ଦୀ ପ୍ରଯୁକ୍ତିବିଦ୍ୟାର ସମସ୍ତ ଯନ୍ତ୍ରପାତି ବ୍ୟବହାର କରୁଥିଲେ ମଧ୍ୟ ଅନେକ ଲୋକଙ୍କର ଏବେବି ରହିଛି ସେହି ପୁରୁଣା ମଧ୍ୟଯୁଗୀୟ ମାନସିକତା ଓ ଅତ୍ୟନ୍ତ ଧର୍ମର ଭୟ । ଅନେକ କୁସଂସ୍କାର ଏବେବି ଆମ ସମାଜରେ ଭରି ରହିଛି । ଏହାର ମୁଖ୍ୟ କାରଣ, ବୈଜ୍ଞାନିକ ମନୋବୃତ୍ତିର ଘୋର ଅଭାବ । ସବୁଠାରୁ ଚିନ୍ତାର ବିଷୟ ହେଲା ଯେ କିଛି ଧର୍ମାନ୍ଧ ଲୋକ, ନେତା ଓ ବାବାମାନେ ପ୍ରଯୁକ୍ତିବିଦ୍ୟାର ସମସ୍ତ ଯନ୍ତ୍ରପାତି ବ୍ୟବହାର କରି ସମାଜରେ ଅଣବିଜ୍ଞାନ, କୁସଂସ୍କାର ଓ ଭୁଲ ବିଶ୍ୱାସମାନ ବହୁଳ ଭାବରେ ପ୍ରଚାର ପ୍ରସାରରେ ଲାଗିଛନ୍ତି । ଏବେ ଆମ ଦୃଷ୍ଟିକୋଣ ପରିବର୍ତ୍ତନ କରିବାର ସମୟ ଆସିଛି । ସାଧାରଣ ଲୋକଙ୍କ ମନରେ ଥିବା ବିଭିନ୍ନ ଶଙ୍କା ଦୂର କରିବା ସହ ଆମ ସମାଜରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବାର ଦାୟିତ୍ୱ ଆମ ସମସ୍ତଙ୍କର । ଆମ ସମ୍ବିଧାନରେ ଥିବା ୫୧(ଏ)ର(ଏଚ୍) ଅନୁଚ୍ଛେଦରେ ଉଲ୍ଲେଖ ଅଛି ଯେ, ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ ହେଲା ବୈଜ୍ଞାନିକ ଚିନ୍ତାଧାରା, ମାନବବାଦ ଏବଂ ଅନୁସନ୍ଧାନ ଓ ସଂସ୍କାରର ବିକାଶ କରିବା । ତେଣୁ ଏହାକୁ ଆମର କର୍ତ୍ତବ୍ୟ ରୂପେ ବିଚାର କରିବା ଉଚିତ । ତେଣୁ ନିଜେ ବଦଳନ୍ତୁ ଓ ସମାଜ ବଦଳାଇବାରେ ସହାୟକ ହୁଅନ୍ତୁ । ତାହା ହିଁ ଆମ ସମାଜର ବୈଜ୍ଞାନିକ ଚିନ୍ତାଧାରାର ବିକାଶରେ ସହାୟକ ହେବ ଓ ସମ୍ବିଧାନ ପ୍ରତି ଥିବା ଆମର କର୍ତ୍ତବ୍ୟ ସଠିକ୍ ରୂପେ ସଂପାଦିତ ହେବା ସହ ଜାତୀୟ ବିଜ୍ଞାନ ଦିବସ ପାଳନର ପ୍ରକୃତ ଲକ୍ଷ୍ୟ ସାଧନ ହେବାରେ ସହାୟ ହେବ ।