ନୂଆଦିଲ୍ଲୀ, ୧୦/୦୬ : ସ୍ଵପ୍ନ... ସମସ୍ତେ ଦେଖନ୍ତି। କିଏ ଶୋଇବା ବେଳେ ଦେଖେ ତ କିଏ ଚେଇଁବା ବେଳେ ଦେଖେ। ବାସ୍ ତଫାତ୍ ଏତିକି ଶୋଇଥିବା ବେଳେ ଦେଖିଥିବା ସ୍ଵପ୍ନକୁ ପାସୋରି ଦିଅନ୍ତି। ଚେଇଁଥିବା ବେଳେ ଦେଖିଥିବା ସ୍ଵପ୍ନକୁ ସାକାର କରିବାକୁ ଲାଗି ପଡ଼ନ୍ତି। ତେବେ ଆପଣ ଜାଣିଛନ୍ତି କି ? ଏବେ ନିଦ୍ରାବସ୍ଥାରେ ଦେଖିଥିବା ସ୍ଵପ୍ନ ଚାହିଁଲେ ଭିଡିଓ ପରି ପୁନର୍ବାର ଦେଖିପାରିବେ। ଆଶ୍ଚର୍ଯ୍ୟ ଲାଗୁଛି ନା। ହେଲେ ଏହା ସତ।
ଶୋଇଥିବା ବେଳେ ଆମ ମାନସପଟରେ ତିଆରି ହୋଇଥିବା ଛବିକୁ ଏବେ ଫିଲ୍ମ ପରି ପ୍ଲେ ବ୍ୟାକ୍ କରିହେବ। ଏଥିପାଇଁ ଏକ ଯନ୍ତ୍ରାଂଶ ଉଦ୍ଭାବନ କରିଛନ୍ତି ଜାପାନର ବୈଜ୍ଞାନିକ। କ୍ୟାଟୋର ଏଟିଆର୍ କମ୍ୟୁଟେସନାଲ ନ୍ୟୁରୋସାଇନ୍ସ ପ୍ରୟୋଗଶାଳାରେ ବୈଜ୍ଞାନିକମାନେ ଏମିତି ଏକ ଯନ୍ତ୍ରଂଶର ଉଦ୍ଭାବନ କରିଛନ୍ତି । ଯାହା ସ୍ନାୟୁର କାର୍ଯ୍ୟକଳାପକୁ ବିସ୍ତୃତ ରେକର୍ଡ କରିବ। ନିଦ୍ରାବସ୍ଥାରେ ମସ୍ତିଷ୍କରେ ପରିଚାଳିତ ହେଉଥିବା ଦୃଶ୍ୟାଂଶ ଓ ସ୍ନାୟୁର ବିଭିନ୍ନ ଗତିବିଧିକୁ ରେକର୍ଡ କରିପାରିବ।
ପ୍ରୟୋଗଶାଳାର ପ୍ରଫେସର ୟୁକିୟାସୁ କାମିତାନୀ ଏସଂକ୍ରାନ୍ତରେ କହିଛନ୍ତି ଯେ, ସ୍ଵପ୍ନ ହେଉଛି ଅବଚେତନ ମନର ଏକ ପ୍ରତିଫଳନ। ମଣିଷର ମସ୍ତିଷ୍କରେ ନିରନ୍ତର ଭାସମାନ ଚିନ୍ତା ଓ ଚେତନା ଅନେକ ସମୟରେ ସ୍ଵପ୍ନ ହୋଇ ଦେଖାଯାଏ। ମସ୍ତିଷ୍କର ଗତିବିଧିକୁ ତର୍ଜମା କରି ମଣିଷ ଦେଖୁଥିବା ସ୍ଵପ୍ନର ଅର୍ଥ ବିଶ୍ଳେଷଣ କରାଯିବା ସମ୍ଭବ। ସମ୍ପ୍ରତି ଏହି ଯନ୍ତ୍ରାଂଶଟିର ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଖୁବଶୀଘ୍ର ଏହି ଉପକରଣର ନିର୍ମାଣ ଶେଷ ହେବ ବୋଲି ପ୍ରୟୋଗଶାଳାର ବୈଜ୍ଞାନିକମାନେ ଆଶା କରିଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ପ୍ରଯୁକ୍ତିବିଦ୍ୟା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ, ନ୍ୟୁରୋସାଇନ୍ସ ଏବଂ ମନସ୍ତତ୍ତ୍ୱ କ୍ଷେତ୍ରରେ ଏହାର ଗୁରୁତ୍ୱ ରହିଛି। ସ୍ୱପ୍ନକୁ କଏଦ କରି, ବୈଜ୍ଞାନିକମାନେ ନ୍ୟୁରୋସାଇନ୍ସ, ମନସ୍ତତ୍ତ୍ୱ ଏବଂ ମାନବ ମସ୍ତିଷ୍କର କାର୍ଯ୍ୟ ବିଷୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ।