ବୀରମିତ୍ରପୁର,୨୨/୧୧: ସୁନ୍ଦରଗଡ଼ ଜିଲ୍ଲା  ବୀରମିତ୍ରପୁର ଅଞ୍ଚଳର ଶିକ୍ଷୟିତ୍ରୀ ଦେବଶ୍ରୀ କୁଣ୍ଡୁ  (୩୨)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।  ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମଣରେ ତାଙ୍କ ଜୀବନ ଯାଇଥିବା  ପରିବାର ପକ୍ଷରୁ କୁହାଯାଇଛି । ହେଲେ ମେଡିକାଲ  ରିପୋର୍ଟ ଆସି ନ ଥିବାରୁ ଏହା ସ୍କ୍ରବ୍‌ ଟାଇଫସ୍‌ କି  ନୁହେଁ³ ତାହା ସ୍ପଷ୍ଟ ହୋଇପାରିନାହିଁ ।   

ବୀରମିତ୍ରପୁର ପୌରାଞ୍ଚଳର ୱାର୍ଡ ନଂ.୫  ନିବାସୀ ସୁମିତ୍‌ କୁମାର ମାଝୀଙ୍କ ପତ୍ନୀ ଦେବଶ୍ରୀ  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷୟିତ୍ରୀ  ଭାବେ କାର୍ଯ୍ୟ କରୁଥିଲେ । ସୁମିତ୍‌ଙ୍କ କହିବା କଥା,  ଗତ ୯ ତାରିଖ ସନ୍ଧ୍ୟାରେ ଦେବଶ୍ରୀ ୪ ବର୍ଷର  ପୁଅକୁ ନେଇ ପୌରପାଳିକା ପକ୍ଷରୁ ନିର୍ମିତ ଗାନ୍ଧି ପାର୍କକୁ  ବୁଲିବାକୁ ଯାଇଥିଲେ । ସେଠାରେ  ଦେବଶ୍ରୀଙ୍କ ହାତକୁ ଏକ କୀଟ  କାମୁଡ଼ି ଦେଇଥିଲେ । ୧୦  ତାରିଖରେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା । ଔଷଧ  ଖାଇବା ପରେ ଜ୍ୱର କମି ଯାଇଥିଲେ । ହେଲେ ସେ  ଦୁର୍ବଳ ଅନୁଭବ କରୁଥିଲେ । 

ଗତ ୧୯ ତାରିଖରେ  ହଠାତ୍‌ ଅଚେତ ହୋଇପଡ଼ି ଯିବାରୁ ତାଙ୍କୁ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌)ର ଆଇସିୟୁରେ  ଭର୍ତ୍ତି କରାଯାଇଥିଲା । ଗୁରୁବାର ଭୋର୍‌ରେ ଚିକିତ୍ସାଧୀନ  ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍କ୍ରବ୍‌  ଟାଇଫସ୍‌ରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା  ସୁମିତ୍‌ କହିଛନ୍ତି । ହେଲେ ଡାକ୍ତରଖାନା  କର୍ତ୍ତୃପକ୍ଷ ଏହା ସ୍ପଷ୍ଟ କରିନାହାନ୍ତି ।  ଅପରପକ୍ଷେ ଘଟଣା ପରେ ଗାନ୍ଧି ପାର୍କକୁ  ବନ୍ଦ କରି ଦିଆଯାଇଛି । ଶୁକ୍ରବାର ପାର୍କକୁ  ସାନିଟାଇଜେସନ କରାଯିବ ଓ ଲୋକଙ୍କୁ  ସଚେତନ କରାଯିବ ବୋଲି ପୌରପାଳିକା  ପକ୍ଷରୁ କୁହାଯାଇଛି।   

ସୂଚନାଯୋଗ୍ୟ, ୨୦୧୨ରୁ ଦେବଶ୍ରୀ  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକତା  କରୁଥିଲେ । ମୃତଦେହ ବାରୁପଡ଼ାରେ ପହଞ୍ଚିବା  ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।  ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ବିଦ୍ୟାଳୟ  କର୍ତ୍ତୃପକ୍ଷ ସ୍କୁଲ ଛୁଟି କରିଥିଲେ । ବେଦବ୍ୟାସ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି