ମିଳିଲା ୪ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ, ମିଥ୍ୟା ପ୍ରମାଣିତ ହେଲା ଅପହରଣ, ଦୁର୍ଘଟଣାରେ ମୃତ୍ୟୁ

ଉମରକୋଟ, ୧୨/୧୨: ମିଳିଲା ୪ ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ଅପହରଣ ନୁହେଁ ଦୁର୍ଘଟଣା । ପଡ଼ୋଶୀ ରାଜ୍ୟ ଛତିଶଗଡ଼ର କାଁକେରରୁ ଭୋଜି ଖାଇ ଫେରୁଥିବା ସମୟରେ ଉମରକୋଟ ସହରର ୪ ଜଣଙ୍କୁ ଅପହରଣ ଅଭିଯୋଗ ହୋଇଥିଲା । କିନ୍ତୁ, ତାହା ପରବର୍ତ୍ତୀ ମୂହୁର୍ତ୍ତରେ ମିଥ୍ୟା ବୋଲି ଜଣାପଡ଼ିଥିଲା । ସୂଚନାନୁସାରେ, ଉମରକୋଟ ସହରର ସପନ ସରକାର ଗତ ୧୦ ତାରିଖରେ ଛତିଶଗଡ଼ର କାଁକେରରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋଣ୍ଡାଗାଁସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଫେରୁଥିବା ସମୟରେ ନିଖୋଜ ହୋଇ ଯାଇଥିବା କାଁକେର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଛତିଶଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

କାଁକେରଠାରୁ ମାତ୍ର ଆଠ କିଲୋମିଟର ଦୂର ରାସ୍ତାକଡ଼ରେ ଥିବା ଗୋଟିଏ ପରିତ୍ୟକ୍ତ କୂଅରୁ ଗାଡ଼ି ସହ ଚାରି ଜଣଙ୍କ ମୃତଦେହ ମିଳିଥିବା ଛତିଶଗଡ଼ ପୋଲିସ ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣା ପରେ ଗାଡ଼ିଟି କୂଅରେ ପଡ଼ିଥିବା ଛତିଶଗଡ଼ ପୋଲିସ କହିଛି । ମିଳିଥିବା ସୂଚନା ଅନୁଯାୟୀ ସପନ ଉମରକୋଟ ବ୍ଲକ ଅନ୍ତର୍ଗତ ୟୁଭି ୧୫ ନଂ ସିଲାଟି ଗ୍ରାମର ବାସିନ୍ଦା । ତାଙ୍କ ବୟସ ୧୬ ବର୍ଷରୁ ଉର୍ଦ୍ଧ୍ୱ ହେବ ।
ସପନଙ୍କ ସମେତ ତାଙ୍କ ପତ୍ନୀ ରିତା ସରକାର, ଶଳା ବିଶ୍ୱଜିତ୍ ଅଧିକାରୀ ଓ ପଡ଼ୋଶୀ ହଜାରି ଢାଲି ରାଇଘର ଅଞ୍ଚଳରେ କାଙ୍କେରରୁ କୋଣ୍ଡାଗାଁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ସମସ୍ତେ ରାତି ୧୦.୩୦ ସମୟରେ କାଙ୍କେରରୁ ବାହାରିଥିବା ସୂଚନା । ସକାଳୁ ଘରେ ନ ପହଞ୍ଚିବାରୁ ସପନଙ୍କ ପୁଅ ତାଙ୍କୁ ଖୋଜିବାକୁ ଯାଇଥିଲେ । କିନ୍ତୁ, ତାଙ୍କର କୌଣସି ପତ୍ତା ନ ମିଳିବାରୁ ସପନଙ୍କ ପୁଅ କାଙ୍କେର ଥାନାରେ ଲିଖିତ ଏତଲା ଦେଇଥିଲେ । ସପନ ନିଜ ସ୍ଵିଫ୍ଟ କାର୍ ଓଡି ୨୪ ସି ୧୭୦୫ ଯୋଗେ କାଙ୍କେର ଯାଇଥିବା ସୂଚନା ।