ନୂଆଦିଲ୍ଲୀ ୨୭/୦୪: ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରଠୁ ପାକ୍‌ କଳାକାରଙ୍କୁ ବିରୋଧ ଜୋର ଧରିଛି । ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍‌ପ୍ଲଇଜ୍‌ (ଏଫ୍‌ଡବ୍ଲ୍ୟୁଆଇସିଇ) ପାକିସ୍ତାନୀ କଳାକାରଙ୍କର ଭାରତରେ କାମ କରିବା ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ପାଇଁ ଦାବି କରିଛି । ଯଦି କୌଣସି ଭାରତୀୟ ନାଗରିକ ପାକ୍‌ କଳାକାରଙ୍କ ସହ କାମ କରିବେ, ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ । ସୂଚନାଯୋଗ୍ୟ, ଆସନ୍ତା ୯ ତାରିଖରେ ପାକ୍‌ କଳାକାର ଫୱାଦ ଖାନ୍‌ଙ୍କ ଫିଲ୍ମ ‘ଅବୀର ଗୁଲାଲ୍‌’ର ରିଲିଜ୍‌କୁ ଅଟକାଇ ଦିଆଯାଇଛି । 

ଏଫ୍‌ଡବ୍ଲ୍ୟୁଆଇସିଇର ଜେନେରାଲ ସେକ୍ରେଟାରୀ ଅଶୋକ ଦୁବେ ଏସିଆନ୍‌ ନ୍ୟୁଜ୍‌ ଇଣ୍ଟର୍‌ନ୍ୟାସନାଲକୁ କହିଛନ୍ତି, ଏହା ରାଷ୍ଟ୍ରହିତ ମାମଲା, ତେଣୁ ଦେଶ ସର୍ବପ୍ରଥମ । ଭାରତ ଉପରେ ଲଗାତାର ଆତଙ୍କୀ ହମ୍‌ଲା ହେଉଛି । ତନ୍ମଧ୍ୟରେ ସଦ୍ୟ ପହଲଗାମ୍‌ ଆକ୍ରମଣ ଅନ୍ୟତମ, ଯାହା ଅତ୍ୟନ୍ତ ଲଜ୍ଜାଜନକ । ଏ ନେଇ ଆମେ ପୁଣି ଥରେ ପ୍ରେସ୍‌ ଇସ୍ତାହାର ଜାରି କରିଛୁ, ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ହୋଇଛି ଯେ ଆମର କୌଣସି ସଦସ୍ୟ ଯଦି ପାକ୍‌ କଳାକାର କିମ୍ବା ଟେକ୍ନିସିଆନ୍‌ଙ୍କ ସହ କାମ କରୁଥିବା ଜଣାପଡ଼ିବେ, ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ତାଙ୍କ ସହ କାମ ବନ୍ଦ କରିଦେବୁ । 

ଅଶୋକ ଦୁବେ ଆହୁରି କହିଛନ୍ତି, ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖି ଅଧିସୂଚନା ଜାରି କରି କହିଛନ୍ତି ଯେ ଯଦି କୌଣସି ଭାରତୀୟ ସଦସ୍ୟ ପାକ୍‌ କଳାକାରଙ୍କ ସହ କାମ କରିବେ, ତେବେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ୍‌ । ଏହା ଦ୍ୱାରା ସେମାନେ ଆଗକୁ ଏହା କରିବା ପୂର୍ବରୁ ହଜାର ଥର ଚିନ୍ତା କରିବେ । ଏଥିସହ ସେ ଏଫ୍‌ଡବ୍ଲ୍ୟୁଆଇସିଇ ସହ ଜଡ଼ିତ ସମସ୍ତ ସଂଗଠନକୁ ଚିଠି ଲେଖୁଥିବା କହିଛନ୍ତି । ଯଦି ପୁଣି କେହି ଏଭଳି ଗତିବିଧିରେ ଲିପ୍ତ ଥିବା ଜଣାପଡ଼ିବେ, ତେବେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବାର ଅନୁମତି ଦିଆଯିବ ନାହିଁ । 

ପୁଲୱାମା ଆକ୍ରମଣ ପରେ ପ୍ରଥମ ଥର ଜଣେ ପାକ୍‌ କଳାକାରଙ୍କ ଫିଲ୍ମ ଭାରତରେ ରିଲିଜ୍‌ ହୋଇଥାନ୍ତା । ଉରୀ ଓ ପୁଲୱାମା ଆକ୍ରମଣ ପରେ ଭାରତରେ ପାକ୍‌ କଳାକାରଙ୍କୁ ବ୍ୟାନ୍‌ କରାଯାଇଥିଲା । କିନ୍ତୁ ପରେ ଏହାକୁ ହଟାଯାଇଥିଲା ।