ନବରଙ୍ଗପୁର/ଉମରକୋଟ ୧।୬(ଆପ) : ଚନ୍ଦାହାଣ୍ଡି ପରେ ଉମରକୋଟରେ ବିହନ କଳାବଜାରୀ ରୋକିବା ଲାଗି ବିହନ ବ୍ୟବସାୟୀଙ୍କ ଦୋକାନ ଗୁଡିକ ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶରେ ବିହନ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ଉମରକୋଟର ୧୫ଟି ବିହନ ବ୍ୟବସାୟୀଙ୍କ ଦୋକାନରେ ବିହନ ମାନ ଓ ନଥୁପତ୍ର ଗୁଡିକ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚରେ କାହା ପାଖରେ କେତେ ପରିମାଣର ବିହନ ଗଚ୍ଛିତ ରହିଛି ତାହାର କୌଣସି ରେଡର୍କ ନଥିବା ବେଳେ ଅଧିଗୃହୀତ କଂମ୍ପାନୀ ଗୁଡିକ ମଧ୍ୟ କୌଣସି କାଗଜପତ୍ର ନଥୁବା ଯୋଗୁ ୧୪ଜଣ ବିହନ ବ୍ୟବସାୟୀଙ୍କୁ କାରଣ ଦର୍ଶାଆ ନୋଟିସ୍ ଜାରୀ କରାଯାଇଛି। ସେଥିରୁ ୩ ଜଣ ବ୍ୟବସାୟୀଙ୍କ ଲାଇସେନ୍ସ ନିଲମ୍ବନ କରିବାକୁ କୃଷି ଜିଲ୍ଲା ଅଧିକାରୀ ଉମରକୋଟଙ୍କୁ ସ୍କ୍ବାର୍ଡ ଦଳ ସୁପାରିଶ କରିଛି।
ସେଭଳି ଢେପଗୁଡା ସ୍ଥିତ ଜଣେ ବିହନ ବ୍ୟବସାୟୀ ରାକେଶ କୁମାର ଅଗ୍ରୱାଲଙ୍କ ବେଆଇନ ଭାବେ ୩ଟି କମ୍ପାନୀ ଶ୍ରୀବ୍ରାଣ୍ଡ, ଆଡଭାଣ୍ଡା, ସିନଜେଣ୍ଡା କମ୍ପାନୀର ୭୬ଟି ବ୍ୟାଗ ଜବତ କରଯାଇଛି । ଏହି ବିହନର ମୂଳଉତ୍ସ ଗୁଡିକର କୌଣସି ପ୍ରମାଣପତ୍ରକୁ ବ୍ୟବସାୟୀ ଦେଖାଇ ପାରିନଥିଲେ । ଗୋଟିଏ ବ୍ୟାଗର ବିହନର ମୂଲ୍ୟ ପ୍ରାୟ ୧୬ ହଜାର ଟଙ୍କାର ମୂଲ୍ୟ ହେବ। ୭୬ଟି ବ୍ୟାଗର ମୂଲ୍ୟ ୧୨ଲକ୍ଷ ୧୬ ହଜାର ଟଙ୍କା ମୂଲ୍ୟର ବିହନକୁ ସ୍ବାର୍ଡ ଦଳ ଜବତ କରିଛି। କୃଷି ବିଭାଗର ପରବର୍ତ୍ତି ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ ବିନା ଅନୁମତିରେ କୌଣସି ବିହନକୁ ବିକ୍ରି କରିପାରିବେ ନାହିଁ କିମ୍ବା ସ୍ଥାନାନ୍ତର କରିପାରିବେ ନାହିଁ ବୋଲି ବ୍ୟବସାୟୀ ରାକେଶ କୁମାର ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେଭଳି ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ବିହନ କାରବାର କରିବା ପାଇଁ ସରକାରଙ୍କ ଧାର୍ଯ୍ୟ ନିୟମକୁ ଉଲଂଘନ କଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଏନ୍ଫୋର୍ସମେଣ୍ଟ ଟିମ୍ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧ ପ୍ରଣୟ କୁମାର ମନ୍ତ୍ରୀ, ଅତିରିକ୍ତ ତହସିଲଦାର ନିଳାମ୍ବର ପୁଝାରୀ, ନବରଙ୍ଗପୁର କୃଷି ଜିଲ୍ଲା ଅଧୁକାରୀ ଅନୀଲ କୁମାର ପ୍ରହରାଜ, ଉମରକୋଟ ବିହନ ନିରୀକ୍ଷକ ପ୍ରଶାନ୍ତ କୁମାର ବାଗ ପ୍ରମୁଖ ଚଢାଉରେ ସାମିଲ ଥିଲେ।