ପରିବର୍ତ୍ତନ ଯେ ଅବଶ୍ୟମ୍ଭାବୀ, ଯାହାକୁ ଆମେ ସ୍ୱୀକାର କରିବାକୁ ବାଧ୍ୟ । ଆମର ବାସସ୍ଥାନ ପୃଥିବୀ ସହିତ ତା'ର ଚତୁଃପାଶ୍ୱର୍ରେ ଘେରିରହି ଜୀବଜନ୍ତୁମାନଙ୍କୁ ବଞ୍ଚିବାରେ ସାହାଯ୍ୟ କରୁଥିବା ପୃଥିବୀର ଶ୍ରେଷ୍ଠ ପ୍ରାକୃତିକ ସମ୍ପଦ ବାୟୁ ଏବେ ବିଜ୍ଞ ମାନବର କାର୍ଯ୍ୟଶୈଳୀରେ ଅତିଷ୍ଠ ହୋଇ ଧୀରେ ଧୀରେ କଡ଼ ଲେଉଟାଇଲା ଭଳି ମନେହେଉଛି । କେବଳ ବାୟୁ ନୁହେଁ, ଅନ୍ୟ ଶ୍ରେଷ୍ଠ ସମ୍ପଦ ମଧ୍ୟରେ ଜଳ ଏବଂ ମୃତ୍ତିକା କେବଳ ଯେ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମଣିଷଙ୍କୁ ବଞ୍ଚାଇ ରଖିଛି ତାହା ନୁହେଁ, ବରଂ ସମଗ୍ର ଜୀବଜଗତକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରେ । ମାତ୍ର ଦୁଃଖର କଥା ହେଲା, ଏବେ ବାୟୁମଣ୍ଡଳର ମାନକୁ ମାପିବା ପାଇଁ ପରିବେଶ ବିଶେଷଜ୍ଞମାନେ ଏକ ସୂଚକାଙ୍କୁ ବ୍ୟବହାର କରୁଛନ୍ତି, ଯାହାକୁ ଏୟାର କ୍ୱାଲିଟି ଇଣ୍ଡେକ୍ସ ବୋଲି କୁହାଯାଏ । ଉକ୍ତ ମାନକ ଅନୁସାରେ ବାୟୁମଣ୍ଡଳରେ ପ୍ରଦୂଷକର ମାତ୍ରା ଶହେରୁ ଶହେ ପଚାଶ ମଧ୍ୟରେ ରହିଲେ ଉତ୍ତମ ବୋଲି ଗଣାଯିବାବେଳେ ଦୁଇଶହ ଟପିଲେ ମଧ୍ୟମ ବୋଲି ଧରାଯାଏ । ତା'ଠାରୁ ଅଧିକ ହେଲେ ସ୍ଥାନୀୟ ବାୟୁମଣ୍ଡଳ ଖରାପ ବୋଲି ଧରିବାକୁ ହେବ । ମାତ୍ର ଦୁଃଖର କଥା ହେଲା, ଆମ ଦେଶର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳର ଏବେ ଚାରିଶହ ପଚାଶକୁ ପାର କରିସାରିଲାଣି ।

ଏହା ସହିତ ଯୋଡ଼ି ହୋଇଯାଉଛି ସମୁଦ୍ର କୂଳଠାରୁ ଦୂରରେ ଥିବା ହାଇଦ୍ରାବାଦ, ବାଙ୍ଗାଲୋର, ପୁନେ ଭଳି ଅନେକ ସହର, ଯେଉଁଠାରେ ଲୋକେ ବସବାସ କରିବାକୁ ଡରୁଛନ୍ତି । ବାୟୁମଣ୍ଡଳର ଏଭଳି ଅବସ୍ଥା ପାଇଁ ଦାୟୀ ହେଉଥିବା ପ୍ରଦୂଷକଗୁଡ଼ିକ ମଧ୍ୟରେ ରହିଛି ସୂକ୍ଷ୍ମ ଧୂଳିକଣା ସହିତ ଧୂଆଁ, ଓଜୋନ ସ୍ତରର ଉଚ୍ଚତା ହ୍ରାସ, କାର୍ବନ ମନୋକ୍ସାଇଡ୍‌, ସଲଫର୍‌ ଡାଇଅକ୍ସାଇଡ୍‌, ନାଇଟ୍ରସ୍‌ ଅକ୍ସାଇଡ୍‌ ଇତ୍ୟାଦି । ଯାହା କେବଳ ମାନବ ସମାଜକୁ ଯେ ରୋଗାକ୍ରାନ୍ତ କରୁଛି ତାହା ନୁହେଁ, ବରଂ ଅନ୍ୟ ପ୍ରାଣୀଙ୍କ ସହିତ ଉଦ୍ଭିଦରାଜି ମଧ୍ୟ ଅଣନିଃଶ୍ୱାସୀ ହୋଇପଡୁଛନ୍ତି । ସେମାନଙ୍କ କଷ୍ଟକୁ ଗୁରୁତର ସହିତ ବିଚାର କରିବା ଉଚିତ୍‌, ନଚେତ୍‌ ଈଶ୍ୱର କେବେହେଲେ ମାନବ ଜାତିକୁ କ୍ଷମା କରିବେନାହିଁ । ତେବେ ସେ ଯାହା ହେଉନା କାହିଁକି, ଈଶ୍ୱରଙ୍କ ବରଦାନ ସ୍ୱରୂପ ପୃଥିବୀକୁ ମିଳିଥିବା ବାୟୁମଣ୍ଡଳ ଅନ୍ୟ କୌଣସି ଗ୍ରହରେ ଦେଖାଯାଏନାହିଁ । ସେଥିପାଇଁ ଅନ୍ୟ କୌଣସି ଗ୍ରହରେ ଜୀବଜଗତର ସ୍ଥିତି ଏଯାଏଁ ଜଣାପଡ଼ିନାହିଁ । ଏତେସବୁ କଥାକୁ ବିଜ୍ଞ ମାନବ ଜାତି ବୁଝିପାରୁଥିଲେ ମଧ୍ୟ "ଜାଣି ଅଜଣା' ନୀତିକୁ ଆପଣେଇ ନିଜର ଆବଶ୍ୟକତା ସହିତ ସୌଖିନ ଜୀବନ ଜିଇବା ପାଇଁ ଅନେକଗୁଡ଼ିଏ ଯାନବାହନର ଚଳପ୍ରଚଳ ସହିତ ମାଳମାଳ ଶିଳ୍ପ କଳକାରଖାନାକୁ ବସାଇ ବାୟୁମଣ୍ଡଳ ସହିତ ଜଳ ଓ ମୃତ୍ତିକାକୁ ମଧ୍ୟ ବିଷାକ୍ତ କରିଦେଉଛନ୍ତି । ସମଗ୍ର ପୃଥିବୀର ଅଧିକାଂଶ ଦେଶରେ ଏବେ ମଧୁର ଜଳର ପରିମାଣ ଏବଂ ଗୁଣବତ୍ତାକୁ ନେଇ ଅସନ୍ତୋଷ ମୁଣ୍ଡ ଟେକୁଛି । କାରଣ ମାଟିତଳେ ଥିବା ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।

ଭୂପୃଷ୍ଠରେ ଥିବା ବିଶାଳ ଜଳଭାଗରୁ ମାତ୍ର ଦୁଇଭାଗ ମଧୁର ଜଳ ଆମର ବ୍ୟବହାର ପାଇଁ ମିଳିଥିବାବେଳେ ଉକ୍ତ ଜଳ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ, ଭାଇରସ୍‌, ପରଜୀବୀ ଠାରୁ ଆରମ୍ଭକରି ରାସାୟନିକ ସାର, ବିଷାକ୍ତ ଔଷଧ, ତେଜଷ୍କ୍ରିୟ ରଶ୍ମି, ଯବକ୍ଷାରଜାନ, ଫସ୍‌ଫରସ୍‌ ସହିତ ପ୍ଲାଷ୍ଟିକ ଏବଂ ଶେଷରେ ଜୀବଜନ୍ତୁଙ୍କର ଦେହାବଶେଷ ଜଳ ପାଇଁ ଘୋର ବିପଦ ସୃଷ୍ଟିକରୁଛି । ମଧୁର ଜଳରେ ପ୍ରଦୂଷକର ମାତ୍ରା ବଢ଼ିବା କେବଳ ମଣିଷ ସମାଜ ପାଇଁ ନୁହେଁ ବରଂ ଅଧିକାଂଶ ସ୍ଥଳଚର ପ୍ରାଣୀଙ୍କର ସ୍ଥିତି ବିଗିଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପରିବେଶ ବିଜ୍ଞାନୀଙ୍କ ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ବାରମ୍ବାର ତାଗିଦ୍‌ ସତ୍ତେ୍ୱ ବିଜ୍ଞମାନେ ନଚେତିବା ସବୁଠାରୁ ବଡ଼ ଚିନ୍ତାର ବିଷୟ ସାଜିଛି । "ଜଳ ହିଁ ଜୀବନ' ଭଳି ସମ୍ମାନକୁ ବହନ କରିଥିବା ପ୍ରାକୃତିକ ସମ୍ପଦର ବିକଳ୍ପ ମଧ୍ୟ ଆଉ କେଉଁ ଗ୍ରହରେ ଦେଖାନଯିବା ସତ୍ତେ୍ୱ ସେଥିପ୍ରତି ଯତ୍ନବାନ ନହେବା ଆମପାଇଁ ଏକ ଆହ୍ୱାନ ରୂପେ ଆର୍ବିଭାବ ହୋଇଛି, ଯାହାକୁ ଆମେ ଅତ୍ୟନ୍ତ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବା ଉଚିତ ।

ଉପରୋକ୍ତ ଦୁଇଟି ସମ୍ବଳର ଦୁରବସ୍ଥା କଥା ଚିନ୍ତା କଲାବେଳେ ସ୍ୱତଃ ମନକୁ ଆସିଯାଏ ମୃତ୍ତିକା ସମ୍ବଳର କଥା । ସ୍ଥଳଚର ପ୍ରାଣୀମାନଙ୍କର ବାସସ୍ଥଳୀ ପାଲଟିଥିବା ସ୍ଥଳଭାଗର ପରିମାଣ ଭୂପୃଷ୍ଠର ଶତକଡ଼ା ମାତ୍ର ତିରିଶି ଭାଗ ହୋଇଥିବାବେଳେ କୃଷି ଉପଯୋଗୀ ଜମି ବ୍ୟତୀତ କଳକାରଖାନା, ବାସସ୍ଥାନ ନିର୍ମାଣ, ରାସ୍ତାଘାଟର ପ୍ରଶସ୍ତୀକରଣ ଯୋଗୁଁ ସ୍ଥଳଭାଗ ସତେଯେପରି ଅନ୍ୟ ଜୀବମାନଙ୍କ ପାଇଁ ସଂକୁଚିତ ହୋଇପଡ଼ୁଛି । ଖଣିଜ ପଦାର୍ଥର ଉତ୍ତୋଳନ ସାଙ୍ଗକୁ ପରମାଣୁ ବୋମାର ପରୀକ୍ଷଣ ମାଟିକୁ ଅନୁର୍ବର କରିବା ସହିତ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଏଭଳି ବିପର୍ଯ୍ୟୟକୁ ସୁଧାରିବାର ଆଶା ରଖି ବିଶ୍ୱ ନେତୃବୃନ୍ଦ ଏ-୨୦ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ଆୟୋଜନ କରି ଦେଶ-ଦେଶ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବା ସହିତ ଅନେକ ଜନହିତକର କାମ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହେଉଛନ୍ତି ।

ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗ ଠାରେ ଆରମ୍ଭ ହୋଇଥିବା ଏ-୨୦ ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ହେଲା- ଏକାଠି ହୋଇ କାମ କରିବା, ସମାନ ଭାବରେ ଉପଭୋଗ କରିବା ଏବଂ ସ୍ଥାୟୀ ଭାବରେ ରହିବା । ପରିବେଶକୁ ଦୀର୍ଘମିଆଦୀ ରୂପରେ ବଦଳାଇବା ସହିତ ଅନେକ ସମୟୋପଯୋଗୀ ତଥା ଜନହିତକର କାର୍ଯ୍ୟକୁ ଆପଣେଇବା ଲାଗି ପ୍ରତିଶ୍ରୁତିବଦ୍ଧ ହେବାପାଇଁ କୋଡ଼ିଏଟି ଦେଶର ରାଷ୍ଟ୍ରନେତା ଆପ୍ରାଣ ଉଦ୍ୟମ କରିବେ । ସେମାନଙ୍କୁ ସ୍ୱାଗତ କରିବାପାଇଁ ଦକ୍ଷିଣ ଆଫ୍ରିକାର ଅନେକ ସହର ନିଜର ରାସ୍ତାଘାଟ, ହୋଟେଲ, ଏୟାରପୋର୍ଟକୁ ସଂପ୍ରସାରଣ କରିବାରେ ଲାଗିଛନ୍ତି । ଫଳରେ ଅନେକ ବଡ଼ ବଡ଼ ଗଛକୁ କାଟିବାକୁ ବିଭାଗୀୟ ଅଧିକାରୀମାନେ ବାଧ୍ୟ ହେବାବେଳେ, ପରିବେଶପ୍ରେମୀମାନଙ୍କର ବିରୋଧ ଆଉ ଏକ ଜନଜାଗରଣ ସୃଷ୍ଟି କରିଛି । କେବଳ ମୃତ୍ତିକା ସଂରକ୍ଷଣ ନୁହେଁ, ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ଉତ୍ପାଦନକୁ ନେଇ ଏବେ ପରିବେଶବିତ୍‌ମାନେ ବଡ଼ ବଡ଼ ସମ୍ମିଳନୀରେ ପ୍ରଶ୍ନ ଉଠାଇଲେଣି । ସେମାନଙ୍କ ହିସାବରେ ପ୍ଲାଷ୍ଟିକ ଉତ୍ପାଦନ କରୁଥିବା ଉଦ୍ୟୋଗପତିମାନଙ୍କର ମନୋମୁଖି କାମ ପାଇଁ ଏବେ ବାର୍ଷିକ ପ୍ରାୟ ଚାରିଶହ ନିୟୁତ ଟନ୍‌ ପ୍ଲାଷ୍ଟିକ ଉତ୍ପାଦନ ହେଉଛି । ସେଥିମଧ୍ୟରୁ ଦୁଇଶହ ନିୟୁତ ଟନ୍‌ ପ୍ଲାଷ୍ଟିକ ଥରେମାତ୍ର ବ୍ୟବହାର ଉପଯୋଗୀ, ଅର୍ଥାତ୍‌ ଥରେ ବ୍ୟବହାର କରିସାରିଲା ପରେ ଫୋପାଡ଼ିଦେବା କଥା । ମାତ୍ର ସାଧାରଣ ଲୋକଙ୍କର ଅଜ୍ଞତା ଯୋଗୁଁ ସେଗୁଡ଼ିକୁ ବାରମ୍ବାର ବ୍ୟବହାର କରିବା ଫଳରେ ଉକ୍ତ ପ୍ଲାଷ୍ଟିକର ସୂକ୍ଷ୍ମକଣିକା ବା ନାନୋ ପାର୍ଟିକିଲ୍‌ ଆମ ରକ୍ତରେ ଭାସୁଥିବା କଥା ନଜରକୁ ଆସିଲାଣି³ ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଭାସମାନ ପ୍ଲାଷ୍ଟିକ ବୃକକ୍‌ ବା କିଡ୍‌ନୀକୁ ଖରାପ କରିଦେବା ସହିତ କ୍ୟାନସର୍‌ ଭଳି ମାରାତ୍ମକ ରୋଗ ସୃଷ୍ଟି କରିବାର ପ୍ରମୁଖ କାରକ ହୋଇପାରେ ବୋଲି ବୈଜ୍ଞାନିକମାନେ ସତର୍କ ସୂଚନା ଜାରି କରିଛନ୍ତି । ତଥାପି କ୍ୟାନସର୍‌ ରୋଗର ସଠିକ୍‌ କାରଣକୁ ଖୋଜା ଚାଲିଛି । କାରଣ ଆମ ଦେଶରେ ବାର୍ଷିକ କ୍ୟାନସରଜନିତ ମୃତ୍ୟୁ ନଅଲକ୍ଷ ତିରିଶ ହଜାରକୁ ପାର୍‌ କରିସାରିଲାଣି । ସେଥିପାଇଁ କିଏ ମଦ, ଗଞ୍ଜେଇ, ଖଇନିକୁ ଦାୟୀ କଲାଣି, ତ କିଏ ରକ୍ତରେ ଭାସୁଥିବା ପ୍ଲାଷ୍ଟିକର କଣିକାକୁ ଦାୟୀ କଲାଣି ।

ପ୍ଲାଷ୍ଟିକର ମାରାତ୍ମକ ପ୍ରଭାବ କେବଳ ଯେ ମଣିଷଙ୍କ ଉପରେ ପଡୁଛି ତାହା ନୁହେଁ, ସମୁଦ୍ରରେ ବାସ କରୁଥିବା ଜଳଜୀବମାନଙ୍କ ମଧ୍ୟରୁ ବର୍ଷକୁ ପ୍ରାୟ ଏକଶହ ନିୟୁତ ଛୋଟ ବଡ଼ ପ୍ରାଣୀ କେବଳ ପ୍ଲାଷ୍ଟିକ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । ସ୍ଥଳଚର ପ୍ରାଣୀମାନଙ୍କ ମଧ୍ୟରୁ ଯେଉଁମାନେ ଖୋଲା ପଡ଼ିଆରୁ କିମ୍ବା ଅଳିଆଗଦାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ସେମାନଙ୍କ ଅବସ୍ଥାକୁ ଆମେ ଅନେକବାର ଟି.ଭି. ପରଦା କିମ୍ବା ଖବରକାଗଜରୁ ଦେଖିଛୁ । ତଥାପି ଆମେ ସତର୍କତା ଅବଲମ୍ବନ କରିବା ତ ଦୂରର କଥା, ସାମାନ୍ୟତମ ମଣିଷପଣିଆକୁ ଯଦି ପ୍ରଦର୍ଶିତ କରନ୍ତେ ତେବେ ଆମର ବିପର୍ଯ୍ୟୟମୁଖୀ ଜୀବଜଗତ ପୁନର୍ଜନ୍ମ ପାଇଲା ଭଳି ପ୍ରତୀୟମାନ ହୁଅନ୍ତା । ଅଥଚ ଆମର ସମ୍ମିଳନୀ ସହିତ ଆମର ଯୋଜନାଗୁଡ଼ିକ ସଠିକ୍‌ ରୂପ ନେଇପାରନ୍ତା । ମାତ୍ର ଖୁସିର କଥା ହେଲା, ଭାରତର ଆର୍ଥିକ ଅଭିବୃଦ୍ଧି ହାର ଏବେ ସାତ ଦଶମିକ ପାଞ୍ଚ ଶତକଡ଼ାରେ ପହଞ୍ଚି ସମଗ୍ର ବିଶ୍ୱର ଦୃଷ୍ଟିକୁ ଆକର୍ଷିତ କରିଛି । ସେଥିପାଇଁ ଆମେ ବେଶ୍‌ ଗର୍ବିତ । ଘରେ ଘରେ ମୋଟର ସାଇକେଲ୍‌ର ଉପସ୍ଥିତି ଏବେ ସାଧାରଣ ବାଇସାଇକେଲକୁ ତାଚ୍ଛଲ୍ୟ କରୁଛି ।

ଏକ ହିସାବରୁ ଜଣାଯାଇଛି ରେଜିଷ୍ଟର ହୋଇଥିବା ମୋଟର ସାଇକେଲର ସଂଖ୍ୟା ଏବେ ଭାରତ ବର୍ଷରେ ତିରିଶି କୋଟିକୁ ପାର୍‌ କରିସାରିଲାଣି ଏବଂ କାର୍‌ର ସଂଖ୍ୟା ସାତକୋଟିକୁ ଟପିସାରିଲାଣି । ସେହି ଅନୁପାତରେ ରାସ୍ତାଘାଟ ସଂପ୍ରସାରଣ, ପୋଲ ନିର୍ମାଣ ଭଳି ଗଠନମୂଳକ କାର୍ଯ୍ୟ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଏତେସବୁ ଖୁସି ସତ୍ତେ୍ୱ ଦୁଃଖ ଦେଉଛି ରାସ୍ତାରେ ଦୁର୍ଘଟଣାଜନିତ ମୃତ୍ୟୁର ସଂଖ୍ୟା ଏବେ ପ୍ରତିଦିନ ଅଣତିରିଶି ହଜାରରେ ପହଞ୍ଚିଲାଣି । ଏହିଭଳି ଅଘଟଣ ଘଟିବାର କାରଣକୁ ଖୋଜା ଚାଲିଛି । ବିଜ୍ଞ ଅର୍ଥାତ୍‌ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ମତ ହେଲା, ଆମ ଦେଶର ଲୋକମାନଙ୍କ ମଧ୍ୟରେ ଏବେ ଏକ ବେପରୁଆ ମନୋଭବ ସୃଷ୍ଟି ହେଉଛି । ଯାହାର ପ୍ରଭାବ ଏବେ କୃଷିକ୍ଷେତ୍ରରେ ସାର ଔଷଧର ପ୍ରୟୋଗଠାରୁ ଆରମ୍ଭ କରି ଗୋପାଳନ କରୁଥିବା ବ୍ୟକ୍ତିମାନେ ଅଧିକ ଦୁଗ୍‌ଧ ଉତ୍ପାଦନ ଲକ୍ଷ୍ୟ ରଖି ଗାଈମାନଙ୍କୁ ଇଞ୍ଜେକ୍ସନ ଦେବା ଖବର ଏକ ଭୟର ବାତାବରଣ ସୃଷ୍ଟି କରୁଛି । "ଆପେ ବଞ୍ଚିଲେ ବାପାର ନାଁ' ହିସାବରେ ଏବେ ଦେଶ ଚାଲିଛି । ଯୁବପିଢ଼ିମାନଙ୍କର ଏତାଦୃଶ କାର୍ଯ୍ୟକଳାପକୁ ଦେଖି ବୟସ୍କମାନଙ୍କର ଚିନ୍ତା ବଢ଼ିଯାଉଛି । ସେମାନଙ୍କର ପ୍ରଶ୍ନ- ଯଦି ଡାଇନୋସରସ୍‌, ପେରାସ୍ମଥ୍‌, ଟ୍ରିଲୋବାଇଟ୍‌, ମମାଥ ଭଳି ବଳଶାଳୀ ତଥା ବହୁସଂଖ୍ୟାରେ ବସବାସ କରୁଥିବା ଜୀବ ପୃଥିବୀର ପରିବର୍ତ୍ତିତ ପରିବେଶରେ ନିଜକୁ ଖାପଖୁଆଇ ନପାରି ନିଶ୍ଚିହ୍ନ ହୋଇଗଲେ । ତେବେ ଆଧୁନିକ ତଥା ବେପରୁଆ ମନୋଭାବକୁ ପୋଷଣ କରୁଥିବା ମଣିଷର ସ୍ଥିତି ଆଉ କେତେ ଦିନ?

‘ଆପେ ବଞ୍ଚିଲେ ବାପାର ନାଁ’ ହିସାବରେ ଏବେ ଦେଶ ଚାଲିଛି । ଯୁବପିଢ଼ିମାନଙ୍କର ଏତାଦୃଶ କାର୍ଯ୍ୟକଳାପକୁ ଦେଖି ବୟସ୍କମାନଙ୍କର ଚିନ୍ତା ବଢ଼ିଯାଉଛି । ସେମାନଙ୍କର ପ୍ରଶ୍ନ- ଯଦି ଡାଇନୋସରସ୍‌, ପେରାସ୍ମଥ୍‌, ଟ୍ରିଲୋବାଇଟ୍‌, ମମାଥ ଭଳି ବଳଶାଳୀ ତଥା ବହୁସଂଖ୍ୟାରେ ବସବାସ କରୁଥିବା ଜୀବ ପୃଥିବୀର ପରିବର୍ତ୍ତିତ ପରିବେଶରେ ନିଜକୁ ଖାପଖୁଆଇ ନପାରି ନିଶ୍ଚିହ୍ନ ହୋଇଗଲେ । 

​​​​​​​