ଟେକ୍ନୋଲୋଜି ଜରିଆରେ ଲୋକଙ୍କ ପାଖକୁ ଯିବେ ନବୀନ, ଆରମ୍ଭ ହେଲା ‘ସେଲଫି ୱିଥ୍ ସିଏମ୍’

source:http://www.pragativadi.com
ଭୁବନେଶ୍ୱର,୨୩ ।୧(ବ୍ୟୁରୋ): ନବୀନଙ୍କ ସହ ସେଲ୍ଫି ଉଠାଇବେ ଲୋକେ । ନବୀନ ନିଜେ ନ ଗଲେ ମଧ୍ୟ ଟେକ୍ନୋଲୋଜି ଜରିଆରେ ଏ ସବୁ ଫଟୋ ଉଠିବ । ବିଜେଡିର ଜିଲ୍ଲାସ୍ତରରେ ଥିବା ପାର୍ଟି ଅଫିସକୁ ଲୋକେ ଆସି ଏହି ସେଲ୍ଫି ନେଇ ପାରିବେ । ଏହି କାର୍ଯ୍ୟକ୍ରମର ନାମ ‘ସେଲଫି ୱିଥ୍ ସିଏମ୍’ କାର୍ଯ୍ୟକ୍ରମ ରଖାଯାଇଛି । ଭୋଟ ପୂର୍ବରୁ ନବୀନଙ୍କୁ ଲୋକଙ୍କ ସହ ଯୋଡ଼ିବାକୁ ବିଜେଡି ଏ ଅଭିନବ କ୍ୟାମ୍ପେନ୍ ହାତକୁ ନେଇଛି । ଏହାଛଡ଼ା ‘ମୋ ନବୀନ, ମୋ ଘରେ’ ନାମରେ ମଧ୍ୟ ଆଉ ଏକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ।
ବିଜୁ ଜନତା ଦଳ ମୁଖ୍ୟାଳୟରେ ଅନୁଷ୍ଠିତ ଆଇଟି କନକ୍ଳେଭରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି କନକ୍ଲେଭରେ ଭାଷଣ ଦେଇ ସଭାପତି ଶ୍ରୀ ପଟ୍ଟନାୟକ କହିଲେ, ମୁଁ ଆନନ୍ଦିତ ଯେ ଆଜି ଆମ ଦଳର ଯୁବବର୍ଗ ଦଳୀୟ କାର୍ଯ୍ୟାଳୟରେ ଏକ ଆଇଟି କନେ୍କ୍ଲଭ୍ କରୁଛନ୍ତି । ଆଜିର ଦୁନିଆରେ ଆଇଟିର ଆବଶ୍ୟକତା ଅନେକ ରହିଛି । ବିଜୁବାବୁ ବିଜ୍ଞାନରେ ବିଶ୍ୱାସ କରୁଥିବାରୁ ତାଙ୍କୁ ଯେତେବେଳେ ମାତ୍ର ୩୦ବର୍ଷ, ସେତେବେଳେ ସେ ପ୍ୟାରିସରେ ବିଜ୍ଞାନ ପାଇଁ “କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ । ମୋ ବିଚାରରେ ଆଜିର ଯୁଗରେ ଆଇଟିର ଯଥେଷ୍ଟ ଗୁରୁତ୍ୱ ରହିଛି । ମୁଁ ଆନନ୍ଦିତ ଯେ ବିଜେଡି ଆଇଟି ସାମ୍ମୁଖ୍ୟର କେନ୍ଦ୍ର ଓଡ଼ିଶାର ୩୦ଟିଯାକ ଜିଲ୍ଲାରେ ହେବାକୁ ଯାଉଛି ।
ରାଜ୍ୟର ସମସ୍ତ ଜିଲ୍ଲାରୁ ଛାତ୍ର ବିଜେଡିର ୧୨୦୦ ପ୍ରତିନିଧି ଏହି କନକ୍ଲେଭରେ ଯୋଗ ଦେଇଥିଲେ । ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି, ‘ସେଲଫି ୱିଥ୍ ସିଏମ୍’ ଏକ ଆପ୍ ସାହାଯ୍ୟରେ ହେବ । ତେବେ ଏହି (ଆଇଓଏସ)ଆପ୍କୁ ଗୋଟିଏ ମୋବାଇଲ୍ରୁ ଅଲଗା ମୋବାଇଲ୍କୁ ସେୟାର ହୋଇପାରିବନି । ତେବେ ଲୋକେ ବିଜେଡି ଅଫିସକୁ ଆସି ଫଟୋ ଉଠାଇ ପାରିବେ । ଏବେ ଜିଲ୍ଲା ପାର୍ଟି ଅଫିସରେ ‘ସେଲଫି ୱିଥ୍ ସିଏମ୍’ କାର୍ଯ୍ୟକ୍ରମ ଚାଲିବ । ପରବର୍ତ୍ତୀ ସମୟରେ ସାଧାରଣ ଲୋକେ ବ୍ଲକ ସ୍ତରକୁ ଏହାକୁ ସଂପ୍ରସାରିତ କରାଯିବ । ‘ମୋ ନବୀନ, ମୋ ଘରେ’ କାର୍ଯ୍ୟକ୍ରମରେ ନବୀନ ସାଧାରଣ ଲୋକଙ୍କ ଘରକୁ ଯିବେ । ଫଟୋ ଜରିଆରେ ଲୋକେ ତାଙ୍କୁ ନିଜର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ରଖିପାରିବ । ଏ ସବୁ କାର୍ଯ୍ୟକ୍ରମ ପ୍ରାଥମିକ ଭାବେ ମୟୂରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ କରାଯିବ ।
ବିଜେଡି ଆଇଟି ସେଲ୍ ମୁଖ୍ୟ ଶ୍ରୀ ପଟ୍ଟନାୟକ କହିଛନ୍ତି, ଫେସ୍ବୁକ, ହ୍ୱାଟ୍ସଆପ ଆଉ ଟ୍ୱିଟରରେ ବିରୋଧୀଙ୍କ ଅପପ୍ରଚାରର ଜବାବ୍ ଦିଆଯିବ । ସତ କ’ଣ ଆଉ ମିଛ କ’ଣ ଲୋକଙ୍କୁ ଅବଗତ କରାଯିବ । ବିଜୁ ଜନତା ଦଳ (ବିଜେଡି) ଆଇଟି ସେଲ୍ ଲୋକଙ୍କୁ ସଚେତନ କରିବ । ସେମାନେ କେମିତି କାମ କରିବେ? ବିରୋଧୀଙ୍କ ପୋଷ୍ଟ ଉପରେ କେମିତି ଜବାବ୍ ଦେବେ? ଏ ସବୁ ନେଇ ଛାତ୍ର ବିଜେଡି ଆଇଟି ସେଲ୍ କର୍ମକର୍ତ୍ତାଙ୍କୁ ତାଲିମ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ (ସଂଖ୍ୟାଲଘୁ ବ୍ୟାପାର) ସସ୍ମିତ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।