କଣ୍ଟାବାଞ୍ଜି, ୨୧।୬ : ବର୍ଷ ତମାମ ଜଣେ ଚାଷୀ ଜଗି ବସିଥାଏ ଯେ କେବେ ବର୍ଷା ଋତୁ ଆସିବ ଏବଂ ଚାଷ କରି ଦୁଇ ପଇସା ରୋଜଗାର କରି ନିଜ ପରିବାରର ଭରଣପୋଷଣ କରିବ। ହେଲେ କେତେବେଳେ ବର୍ଷା ଦାଉ ସାଧୁଛି ତ କେତେବେଳେ ବିହନ ବ୍ୟବସାୟୀ ଦାଉ ସାଧୁଛନ୍ତି।  ଫଳରେ ଚାଷୀ କୋଣସି ଉପାୟ ନପାଇ ଚାଷ କରି ନପାରି ନିରାଶ ହୋଇପଡୁଛି। 

ଏପଟେ ଏ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେଉନଥିବାବେଳେ କାଁ ଭାଁ କେତକ ଅଞ୍ଚଳରେ ଦୁଇରୁ ତିନି ଦିନ ମାତ୍ର ବର୍ଷା ହୋଇଛି। ଏହି ଦୁଇ ତିନି ଦିନର ବର୍ଷାକୁ ଦେଖି କେତକ ଚାଷୀ କପା ଏବଂ ଧାନ ଅମଳ ପାଇଁ ଉପଯୋଗୀ ସମୟ ଭାବି କପା ଏବଂ ଧାନ ବିହନ କିଣିବା ପାଇଁ ବିହନ ଦୋକାନୀଙ୍କ  ପାଖକୁ ଆସୁଛନ୍ତି।  ହେଲେ ବ୍ୟବସାୟୀମାନେ ବିହନ ଗୁଡିକୁ ଚଢା ଦରରେ ବିକ୍ରି କରୁଥିବାରୁ ଚାଷୀ ବିହନ କିଣିନପାରି ନିରାଶ ହୋଇ ଫେରୁଛନ୍ତି। ଆଖ ପାଖର ଚାଷୀମାନେ କଣ୍ଟାବାଞ୍ଜି ଉପରେ ନିର୍ଭର କରିଥାନ୍ତି। ଏହି ସହରର ୫ରୁ ଅଧିକ ବିହନ ଓ ସାର ଦୋକାନ ରହିଛି।  ହେଲେ ଏହି ବ୍ୟବସାୟୀମାନେ ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ବିହନ ବିକ୍ରି ନକରି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ କମ୍ପାନୀର ସାର ବିହନର ଛପା ମୂଲ୍ୟ ଠାରୁ ପ୍ରାୟ ୩୦୦ରୁ ୪୦୦ ଟଙ୍କା ଅଧିକ ବିକ୍ରି କରୁଛନ୍ତି।   ଏ ନେଇ ଭୁବନେଶ୍ୱର ବେହେରା, ଏକାମ୍ବର ବନଛୋର,ରାଜା ହାତୀ କୃଷି ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ପାଇପାରିନାହାନ୍ତି ଚାଷୀମାନେ । ଏ  ନେଇ କୃଷିଅଧିକାରୀ ଆନନ୍ଦ ମଲ୍ଲିକଙ୍କୁ ଫୋନ ଯୋଗେ ପଚାରିବାରୁ ସେ କେହିଥିଲେ ଯେ ଅଭିଯୋଗ ମିଳିଛି। ସମ୍ପୃକ୍ତ ସାର ଓ ବିହନ ଦୋକାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଷ୍ଟକ ରେଜିଷ୍ଟ୍ରର ଏବଂ ଅନ୍ୟାନ୍ୟ କାଗଜ ପତ୍ର ଦେବା ପାଇଁ କୁହାଯାଇଛି।  ହେଲେ ସମ୍ପୃକ୍ତ ଦୋକାନ ମାଲିକ ଏପର୍ଯ୍ୟନ୍ତ ତାହା  ଦେଇ  ନାହାନ୍ତି, କାଗଜ ଆଦି  ଯଦି ନ ଦେଖେଇବେ ତା’ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଲାଇସେନ୍ସକୁ ରଦ୍ଦ କରାଯିବ।