ଆରଆଇଏଚଏସରେ ‘ସେକ୍ସପିୟରିଅନ ଟ୍ରାଜେଡି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଭୋଗରାଇ – ବାଲେଶ୍ଵର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ମହାବିଦ୍ୟାଳୟ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆରଆଇଏଚଏସ)ରେ ଇଂରାଜୀ ବିଭାଗ ପକ୍ଷରୁ ‘ସେକ୍ସପିୟରିଅନ ଟ୍ରାଜେଡି’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର କେଦାର ସିଂ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅମର୍ଦ୍ଦା ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ମାନସ କୁମାର ସାମଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସେକ୍ସପିୟରିଅନ ଟ୍ରାଜେଡି’ର ବିଭିନ୍ନ ଦିଗ ଓ ବିଶ୍ବ ସାହିତ୍ୟ ପ୍ରତି ଏହାର ଗ୍ରହଣୀୟତା ଏବଂ ଉପାଦେୟତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।
ବିଭାଗୀୟ ପ୍ରଫେସର ଡ଼ଃ ବିଜୟ କେତନ ପଟ୍ଟନାୟକ, ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଦାସ, ଅଧ୍ୟାପକ ରାଧାକାନ୍ତ କର, ଅଧ୍ୟାପକ ଲକ୍ଷ୍ମଣ ଶବର, ଅଧ୍ୟାପକ ସଞ୍ଜିବ ଜେନା ପ୍ରମୁଖ ଯୋଗ ଦେଇ ଇଂରାଜୀ ଭାଷା ସମେତ ବିଶ୍ବର ବିଭିନ୍ନ ଭାଷା ସାହିତ୍ୟ ପ୍ରତି ସେକ୍ସପିୟରଙ୍କ ସୃଜନଶୀଳତାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଜଗଦୀଶ ଚନ୍ଦ୍ର ଗିରି ଅତିଥି ପରିଚୟ ପ୍ରଦାନ କରିବା ସହ ଏହି ଆଲୋଚନା ଚକ୍ରର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ।
ବିଭାଗୀୟ ଅଧ୍ୟାପକ ରଞ୍ଜିତ ମଣ୍ଡଳ ବିଷୟବସ୍ତୁ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷ ବର୍ଷ ଛାତ୍ରୀ ପ୍ରତିଜ୍ଞା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।