ସେୟାର ବଜାର କ୍ରାସ୍: ସେନସେକ୍ସ ଏବଂ ନିଫ୍ଟି ବ୍ୟାପକ ହ୍ରାସ, ନିବେଶକ ହରାଇଲେ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ ୨୫/ ୦୧: ଭାରତୀୟ ସେୟାର ବଜାରରେ ବୁଧବାର ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି । ଉଭୟ ସେନସେକ୍ସ ଏବଂ ନିଫ୍ଟି କ୍ରାସ୍ କରିଯାଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୭୭୩.୬୯ ପଏଣ୍ଟ (୧.୨୭%) ହ୍ରାସ ପାଇ ୬୦,୨୦୫.୦୬ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୨୬.୩୫ ପଏଣ୍ଟ (୧.୨୫%) ହ୍ରାସ ପାଇ ୧୭୮୯୧.୯୫ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ବ୍ୟାଙ୍କ ନିଫ୍ଟି ସର୍ବାଧିକ ୧୦୮୫.୮୦ ପଏଣ୍ଟ (୨.୫୪%) ହ୍ରାସ ପାଇ ୪୧,୬୪୭.୬୫ ପଏଣ୍ଟରେ କାରବାର ଶେଷ କରିଛି । ଫଳରେ ନିବେଶକ ଆଜି କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି ।
ଭାରତୀୟ ସେୟାର ବଜାରରେ ଆଜି ବ୍ୟାଙ୍କିଂ ସେକ୍ଟର ସମେତ ଆଇଟି, ଫାର୍ମା, ମେଟାଲ୍ସ, ଏନର୍ଜି, ଏଫଏମସିଜି, କଞ୍ଜ୍ୟୁମର ଡ୍ୟୁରେବଲ, ଇନଫ୍ରା ସେକ୍ଟର ଲାଲ୍ ସଙ୍କେତରେ ବନ୍ଦ ହୋଇଛି । ଏପରିକି ମିଡକ୍ୟାପ୍ ଓ ସ୍ମଲକ୍ୟାପ୍ ସେୟାରରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସର ୩୦ ସେୟାର ମଧ୍ୟରୁ କେବଳ ୮ଟି ସବୁଜ ସଙ୍କେତରେ ବନ୍ଦ ହୋଇଥିବା ବେଳେ ୨୨ଟି ରେଡ୍ ମାର୍କରେ ବନ୍ଦ ହୋଇଛି । ସେହିଭଳି ନିଫ୍ଟିର ୫୦ ସେୟାର ମଧ୍ୟରୁ ୪୦ଟି ଲାଲ୍ ସଙ୍କେତରେ ଓ ମାତ୍ର ୧୦ଟି ସବୁଜ ସଙ୍କେତରେ କାରବାର ଶେଷ କରିଛନ୍ତି ।
ବୃଦ୍ଧିପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ମାରୁତି ସୁଜୁକି, ହିଣ୍ଡାଲକୋ, ହିନ୍ଦୁସ୍ଥାନ ୟୁନିଲିଭର, ବଜାଜ ଅଟୋ, ହିରୋ ମୋଟୋକର୍ପ, ମାରିକୋ, ଜେଏସଡବ୍ଲ୍ୟୁ ଷ୍ଟିଲ, ଭାରତୀ ଏୟାରଟେଲ, ଆଇଟିସି । ସେହିଭଳି ଆଦାନୀ ଟ୍ରାନ୍ସମିସନ, ଜୋମାଟୋ, ଅମ୍ବୁଜା ସିମେଣ୍ଟସ୍, ଏସିସି, ୟୁନାଇଟେଡ୍ ସ୍ପିରିଟ୍, ଇଣ୍ଡସଇଣ୍ଡ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଏସବିଆଇ, ପିଏନବି, ଆଦାନୀ ଗ୍ରୀନ୍ ଏନର୍ଜି ବଜାଜ ହୋଲ୍ଡିଂସ ଭଳି ସେୟାର ମୂଲ୍ୟ ହ୍ରାସ ପାଇଛି ।