ଭୁବନେଶ୍ୱର, ୧୭/୦୪: ଯାଜପୁର ଜିଲ୍ଲା NH ୫୩ ବ୍ରାହ୍ମଣୀ ବ୍ରିଜ୍‌ରେ ସିରିଜ୍‌ ଦୁର୍ଘଟଣା । ପ୍ରଥମେ ଟ୍ରକ୍‌କୁ ଧକ୍କା ଦେଲା କାର୍‌ ଏବଂ ପରେ କାର୍‌କୁ ପିଟିଲା ଆଉ ଏକ ଟ୍ରକ୍‌ । ଘଟଣା ସ୍ଥଳରେ କାର୍‌ ଚାଳକଙ୍କ ସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଜେନାପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । 

ସୂଚନା ମୁତାବକ, ୫୩ ନମ୍ୱର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ଟ୍ରକ୍‌ଟି ବ୍ରେକ ଡାଉନ୍ ହୋଇ ଛିଡା ହୋଇଥିଲା । ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ଉକ୍ତ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା । ଏହା ପରେ ଉକ୍ତ କାର୍‌କୁ ପଛପଟୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଯାହା ଫଳରେ କାର୍‌ଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଏହା ଦେଖି କାର୍‌ରେ ଥିବା ଯାତ୍ରୀଙ୍କୁ ସ୍ଥାନୀୟଲୋକେ ତୁରନ୍ତ କାର୍‌ରୁ ଉଦ୍ଧାର କରିଥିଲେ । ଏହା ପରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 

ସେପଟେ ଦୁର୍ଘଟଣା ହେବା ଫଳରେ ଘଟଣା ସ୍ଥଳରେ ଟ୍ରାଫିକ ସମସ୍ୟା ଉପୁଜି ଥିଲା । ଘଟଣା ସମ୍ପର୍କରେ ଖବର ପାଇ ଜେନାପୁର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।