ଭୁବନେଶ୍ବର : ଆସନ୍ତାକାଲି (ସୋମବାର) ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି (ରବିବାର) ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦର ଏହି ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ଏଥିରେ ୧୫ଟି କାର୍ଯ୍ୟ ଦିବସ ରହିବ। ଗତ ଅଧିବେଶନ ସମୟରେ ଗୃହୀତ ହୋଇ ପାରି ନଥିବା କିଛି ବିଲ୍ ବି ଗୃହରେ ଆଗତ ହେବ। ଏସବୁ ପ୍ରସଙ୍ଗରେ ବିରୋଧୀ ନେତା ମାନଙ୍କୁ ଅବଗତ କରିଛନ୍ତି ସରକାର। କାରଣ ବିରୋଧୀ ଦଳର ବିରୋଧ ଯୋଗୁ କିଛି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇପାରି ନଥିଲା। ବୈଠକରେ ବିଭିନ୍ନ ବିରୋଧୀ ନେତା ମାନେ ସାମିଲ ହୋଇଥିବା ବେଳେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସାଂସଦ ସସ୍ମିତ ପାତ୍ର ସାମିଲ ହୋଇଥିଲେ।
ଏନେଇ ବିଜେଡି ନେତା ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି,"ଆମର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ, ମୁଁ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ (ବିଜେଡି) ସଂସଦୀୟ ଦଳର ପ୍ରତିନିଧିତ୍ୱ କରିଥିଲି। ଏହି ଅଧିବେଶନରେ ବିଜେଡି ସାଂସଦ ମାନେ ଅନେକ ପ୍ରସଙ୍ଗ ଉଠାଇବେ…
ଏବେ ଆସନ୍ତୁ ନଜର ପକାଇବା କେଉଁ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିଜେଡି…
ସଂସଦ ପାଇଁ ବିଜେଡିର ପ୍ରମୁଖ ପ୍ରସଙ୍ଗ….
୧. ମୂଲ୍ୟବୃଦ୍ଧି ଏବଂ ମୁଦ୍ରାସ୍ଫୀତି, ବେକାରୀ…
୨. ଓଡ଼ିଶା ପାଇଁ ସ୍ୱତନ୍ତ୍ର ବର୍ଗ ରାଜ୍ୟ ମାନ୍ୟତା ଦାବି…
୩. ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଉଛି…
୪. ଓଡ଼ିଶାରେ ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ପାଉଛି…
୫ ନୂଆପଡ଼ା ଉପନିର୍ବାଚନରେ ବଡ଼ ଧରଣର ନିର୍ବାଚନ ଅନିୟମିତତା ଦେଖାଦେଇଛି ଏବଂ ଅତୀତରେ ଓଡ଼ିଶାରେ ମଧ୍ୟ ୨୦୨୪ ନିର୍ବାଚନର ନିର୍ବାଚନୀ ବିସଙ୍ଗତି ନେଇ ନିର୍ବାଚନ କମିଶନ ନୂଆଦିଲ୍ଲୀକୁ ଅନେକ ଥର ଯୋଗାଯୋଗ କରିଥିଲେ। ଏହି ଢାଞ୍ଚା ସମ୍ପର୍କରେ ଆମର ଗମ୍ଭୀର ଚିନ୍ତା ଅଛି…
୬. ଓଡ଼ିଶାରେ ପୋଲିସ ନିଯୁକ୍ତି ଦୁର୍ନୀତିର ସିବିଆଇ ଦ୍ୱାରା ତଦନ୍ତ କରାଯାଉଛି…
୭. ପୋଲାଭରମ୍ ଏବଂ ମହାନଦୀ ବିବାଦ…
୮. ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଦ୍ୱିଗୁଣିତ କରାଯିବା ଆବଶ୍ୟକ…
୯. କୋଇଲା ରୟାଲ୍ଟି ଏବଂ ସବୁଜ ଟିକସ ସଂଶୋଧନ…
୧୦. ସମ୍ବଲପୁର, କୋରାପୁଟ ଏବଂ ବାଲେଶ୍ୱରରେ ପୂର୍ଣ୍ଣାଙ୍ଗ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା…
୧୧. ଆଦିବାସୀ ବିକାଶ-ଓଡ଼ିଶାର ଏସଟି ତାଲିକା ପାଇଁ ୧୩୯ ଟି ବିଚାରାଧୀନ ପ୍ରସ୍ତାବ, ୮ମ ସୂଚୀରେ ହୋ, ମୁଣ୍ଡାରୀ, ଭୂମିଜ, ସାଓରା ଏବଂ କୁଇ ଭାଷା ଅନ୍ତର୍ଭୁକ୍ତ କରିବା, କେନ୍ଦୁ ପତ୍ର ଉପରେ ଜିଏସଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା…
୧୨. ସଂଯୋଗୀକରଣ-ଜାତୀୟ ରାଜପଥ, ଉପକୂଳ ରାଜପଥ, ରେଳ ସଂଯୋଗୀକରଣ, ମୋବାଇଲ୍ ଏବଂ ଡିଜିଟାଲ୍ ସଂଯୋଗୀକରଣ…