ଖଲ୍ଲିକୋଟ ୨୨/୦୫: ଅଟୋକୁ ପିଟିଲା ଯାତ୍ରୀବାହୀ ବସ। ଧକ୍କା ଦେବା ପରେ ଶହେରୁ ମିଟିର ଘୋଷାଡି ନେଲା ବସ୍‌। ଖଲ୍ଲିକୋଟ ଲଡ଼କାପଲ୍ଳୀ ଛକରେ ଭୟଙ୍କର ଦୁର୍ଘଟଣା। ଘଟଣାସ୍ଥଳରେ ଚାଲିଗଲା ୬ ଜୀବନ। ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି। ଘଟଣାସ୍ଥଳରେ ପୁଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଆହତଙ୍କୁ ଊଦ୍ଧାର କରି କୋଦଳା ମେଡିକାଲକୁ ପଠାଇଛନ୍ତି। ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ଅନୁଯାୟୀ,  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ନିକଟ ଲଡକାପଲ୍ଲୀ ଛକରେ ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ପୁରୁଷ, ୨ ଶିଶୁ ରହିଛନ୍ତି। ସମସ୍ତେ ଅଟୋ ଯାତ୍ରୀ ଓ ଏରେଣ୍ଡ୍ରା, ଚିକିଟି ଓ ପୁରୁଷୋତ୍ତମପୁର ଅଞ୍ଚଳର ଅଟନ୍ତି। ଏକ ଅଟୋ ଯୋଗେ ଏମାନେ ସିଂହାସିନୀ  ପୀଠ ଅଭିମୁଖେ ଯାଉଥିଲେ। ଏକ ବସ୍ ଅଟୋକୁ ଦ୍ରୁତ ଗତିରେ ଆସି ଧକ୍କା ଦେବା ସହ କିଛି ଦୂର ଘୋଷାଡି ନେଇ ଏକ ଗଛ ସହ ପିଟି ଦେଇଥିଲା। ଗୁରୁତର ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।‌ ମୃତଦେହ କୋଦଳା ଡାକ୍ତରଖାନାରେ ରହିଛି। ଅନ୍ୟ ୨ ଆହତ ମଧ୍ୟ ସେଠି ଚିକିତ୍ସିତ ହେଉଛନ୍ତି।