ଭୁବନେଶ୍ୱର, ୧୩/୦୩ : ମଧ୍ୟପ୍ରାଚ୍ୟରେ ସଙ୍କଟ ଯୋଗୁ ଏବେ ଏଲ୍ପିଜି ମିଳିବାରେ ଗ୍ରାହକ ସମସ୍ୟାର ସାମ୍ନା କରୁଛନ୍ତି । ଗୋଟିଏ ଥର ସିଲିଣ୍ଡର ବୁକିଂର ୨୫ ଦିନ ଯାଏ ନୂଆ ବୁକିଂ ହେବନି । ଏମିତିକି କିଛି କିଛି ସ୍ଥାନରେ ଗ୍ୟାସ ବିତରକ ଏଜେନ୍ସିଗୁଡ଼ିକ ଡେଲିଭରି ଦେବା ବନ୍ଦ କରି ଦେଇଛନ୍ତି । ବିଭିନ୍ନ ସ୍ଥାନରେ ବୁକିଂ ନମ୍ବର ବନ୍ଦ ଦେଖାଉଛି । ଜରୁରୀ ସ୍ଥିତିରେ ଗ୍ୟାସ ସରିଗଲେ ନୂଆ ସିଲିଣ୍ଡର ମିଳିବା କଷ୍ଟକର ହୋଇପଡୁଛି । ଯୌଥ ପରିବାର ନାହିଁ ନ ଥିବା ସମସ୍ୟାର ସାମ୍ନା କରୁଛନ୍ତି । ଏପଟେ କଳାବଜାରୀଙ୍କ ଦୌରାତ୍ମ୍ୟ ବଢ଼ିଛି । ଏଭଳି ସ୍ଥିତିରେ ଲୋକେ ଇଣ୍ଡକ୍ସନ ଚୁଲାଟିଏ ଘରେ ରଖିବାକୁ ଚାହୁଁଛନ୍ତି । ଫଳରେ ଇଣ୍ଡକ୍ସନ ଚାହିଦା ଏବେ ହଠାତ ବଢ଼ିଯାଇଛି । ଅନ୍ଲାଇନ ସାଇଟ୍ଗୁଡ଼ିକରୁ ମଧ୍ୟ ଗ୍ରାହକ ଏଭଳି ଚୁଲା ଅର୍ଡର କରୁଛନ୍ତି । ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଷ୍ଟୋରଗୁଡ଼ିକରେ ଏଭଳି ଚୁଲା ଚାହିଦା ଏତେଟା ନ ଥିଲା । ମାତ୍ର ସଙ୍କଟ ସ୍ଥିତିରେ ଲୋକେ ଏବେ ଷ୍ଟୋରଗୁଡ଼ିକରେ ଭିଡ଼ ଜମାଉଥିବା ଦେଖାଯାଉଛି ।

ବଜାରରେ ହଠାତ ଏଭଳି ଚାହିଦା ପୂରଣ କରିବାକୁ କମ୍ପାନି ସମସ୍ୟାର ସାମ୍ନା କରୁଛନ୍ତି । ପ୍ରମୁଖ ବ୍ରାଣ୍ଡ ସନ୍ଫ୍ଲେମ-ଭିଗାର୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡର ବିଏମ୍ ସମରେନ୍ଦ୍ର ରାଉତ କହିଛନ୍ତି, ଗତ ୩ରୁ ୪ ଦିନ ହେବ ହଠାତ ଚାହିଦା ବଢ଼ିଛି । ଷ୍ଟକ ସରିଯାଉଛି । ଗ୍ରାହକଙ୍କୁ ଉତ୍ପାଦ ଯୋଗାଣ ଉପରେ ଆମ ଧ୍ୟାନ ରହିଛି । ବାପୁଜୀ ନଗର ସ୍ଥିତ ରାଜ୍ ଇଲେକ୍ଟ୍ରୋନିକ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗ୍ୟାସ ପାଇବାରେ ସମସ୍ୟା ଯୋଗୁ ଏବେ ଲୋକେ ଇଣ୍ଡକ୍ସନ ମୁହାଁ ହୋଇଛନ୍ତି । ଗତ କିଛି ଦିନ ହେବ ଇଣ୍ଡକ୍ସନକୁ ଏଲ୍ପିଜି ବିକଳ୍ପ ଭାବେ ସହରୀ ଦେଖୁଛନ୍ତି । ଆମ ଷ୍ଟୋରରେ ଦୈନିକ ପ୍ରାୟ ୪୦ଟି ଇଣ୍ଡକ୍ସନ ବିକ୍ରି ହେଉଛି । ବିଭିନ୍ନ ବ୍ରାଣ୍ଡ୍ର ଇଣ୍ଡକ୍ସନ ଆମେ ଗ୍ରାହକଙ୍କୁ ଯୋଗାଇ ଦେଉଛୁ । ଅନ୍ୟ ପଟେ ଯୁଦ୍ଧ ସ୍ଥିତିରେ ବଜାର ଚାହିଦା ପୂରଣ କରିବା ମଧ୍ୟ କମ୍ପାନିଙ୍କ ପାଇଁ ଆହ୍ୱାନ ପାଲଟିଛି ।

ସ୍ଥାନୀୟ ବାପୁଜୀ ନଗର ଭାରତ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ହୋମ୍ ଆପ୍ଲାଏନ୍ସର ସ୍ୱତ୍ତ୍ୱାଧିକାରୀ ସତ୍ୟ ରଞ୍ଜନ ଦାସ କହିଛନ୍ତି, ଏବେ ଷ୍ଟୋରରେ ଇଣ୍ଡକ୍ସନ କିଣିବା ନେଇ ଲୋକେ ଅଧିକ ମାତ୍ରାରେ ପଚାରି ବୁଝୁଛନ୍ତି । ଆମ ଷ୍ଟୋରରେ ପୂର୍ବ ତୁଳନାରେ ଇଣ୍ଡକ୍ସନ ବିକ୍ରି ବଢ଼ିଛି । ୧୪୦୦ରୁ ୨୦୦୦ ୱାଟ୍ ଯାଏ ବିଭିନ୍ନ ନାମୀଦାମୀ କମ୍ପାନିର ବ୍ରାଣ୍ଡ୍ ଉପଲବ୍ଧ ରହିଛି । ଉତ୍ପାଦ ଗୁଡ଼ିକର ମୂଲ୍ୟ ୨ରୁ ୪ ହଜାର ଟଙ୍କା ରହିଛି । ଏବେ ଷ୍ଟକ ରହିଛି । ସରିବା ଆଗରୁ ଗ୍ରାହକ ଏହାକୁ ସୁବିଧାରେ କିଣିପାରିବେ । ସ୍ଥାନୀୟ ରସୁଲଗଡର ସାବିତ୍ରୀ ନାୟକ କୁହନ୍ତି, ଏବେ ଏଲ୍ପିଜି ଉପଲବ୍ଧତା ସହ ବୁକିଂରେ ସମସ୍ୟା ହେଉଛି । ଇଣ୍ଡକ୍ସନ ଚୁଲାଟିଏ ଜରୁରୀ ସ୍ଥିତିରେ ଏବେ କିଣୁଛୁ । ଏପରିକି ହୋଟେଲ ଏବଂ ରେସ୍ତୋରାଗୁଡ଼ିକରେ ବି ଇଣ୍ଡକ୍ସନ ବ୍ୟବହାର ବଡ଼ ଆକାରରେ ବଢ଼ିଯାଇଛି ।

ଏହି ଖବରଟିକୁ ପଢନ୍ତୁ-ଗ୍ୟାସ୍ ସିଲିଣ୍ଡରକୁ ପୂଜା କଲେ ମହିଳା କଂଗ୍ରେସ; ଦରବୃଦ୍ଧି ବିରୋଧରେ କଂଗ୍ରେସ ଭବନରୁ ଆସିଲା ନିଆରା ଚିତ୍ର