ବାରିପଦା, ୧୧/୦୭ : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭୁଗୁଡ଼ା କଟା ଅନ୍ତର୍ଗତ ଏକ ଭଡା ଘରୁ ସେକ୍ସ ରାକେଟ୍ ଠାବ। ଦେହ ବ୍ୟବସାୟ ଚାଲିଥିବା ବେଳେ ଭଞ୍ଜପୁର ପୁଲିସର ଚଢାଉ। ୨ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାଣୀ ମହୁମାଛିକୁ ଗିରଫ କଲା ପୁଲିସ। ଚଢାଉ ବେଳେ ମହିଳାଙ୍କ ସ୍ଵାମୀ ଫେରାର ହୋଇଯାଇଛନ୍ତି। ଭଡ଼ା ଘରୁ ନଗଦ ୨୧ ହଜାର ୪୯୦ ଟଙ୍କା, ୩ଟି ମୋବାଇଲ, ଆପତ୍ତିଜନକ ଜିନିଷ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ ହୋଇଛି।
ଭୁଗୁଡା କଟା ଅଞ୍ଚଳରେ ଜନୈକ ମହିଳା ଏବଂ ତାଙ୍କ ସ୍ଵାମୀ ମିଶି ଗରିବ ଘରର ଚାକିରି ପାଇଁ ଆଶାୟୀ ଥିବା ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ। ସେମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବାରିପଦା ଆଣୁଥିଲେ। ଏକ ଭଡ଼ା ଘରେ ଦେହ ବ୍ୟବସାୟରେ ଲଗାଇ ଟଙ୍କା ରୋଜଗାର କରୁଥିଲେ। ଉକ୍ତ ଭଡ଼ା ଘରକୁ ପ୍ରତିଦିନ ନୂଆ ନୂଆ ଝିଅମାନେ ଆସୁଥିବା ଦେଖି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ଏନେଇ ଭଞ୍ଜପୁର ଥାନାକୁ ସୂଚନା ଦିଆଯାଇଥିଲା। ଖବର ମୁତାବକ ପୁଲିସ ଭଡ଼ା ଘରେ ଚଢାଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିଛି। ଏହା ସହ ରାଣୀ ମହୁମାଛିକୁ ଗିରଫ କରିଛି। ତେବେ ଚଢାଉ ସମୟରେ ଉକ୍ତ ମହିଳାଙ୍କ ସ୍ଵାମୀ ଫେରାର୍ ହୋଇଯାଇଛନ୍ତି। ଉଦ୍ଧାର ହୋଇଥିବା ୨ ଯୁବତୀଙ୍କ ମଧ୍ୟରୁ ଜଣକର ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିଛି। ସେମାନଙ୍କ ପରିବାର ଲୋକେ ନେବାକୁ ନଆସିବାରୁ ଦୁହିଁଙ୍କୁ ୱାନ୍ ଷ୍ଟପ୍ ସେଣ୍ଟରକୁ ପଠାଇ ଦିଆଯାଇଛି। ଭଡ଼ା ଘରୁ ନଗଦ ୨୧ ହଜାର ୪୯୦ ଟଙ୍କା, ୩ଟି ମୋବାଇଲ, ଆପତ୍ତିଜନକ ଜିନିଷ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ ହୋଇଛି।