ମୁମ୍ବାଇ,୨୨/୩ : ୨୦୦୨ରେ ଫିଲ୍ମ ହଲରେ ଏକ ଏଭଳି ଫିଲ୍ମ ରିଲିଜ ହୋଇଥିଲା ଯିଏ ଅକ୍ଷୟ କୁମାର, ସନି ଦେଓଲ, ସୁନୀଲ ସେଟ୍ଟୀ ଏବଂ ମନୀଷା କୋଇରାଲାଙ୍କ ଭଳି ଷ୍ଟାରଙ୍କ ଉପସ୍ଥିତିରେ ଖୁବ୍ ଚର୍ଚ୍ଚା ସାଉଁଟିଥିଲା । ଏହି ଭାରି ଷ୍ଟାରକାଷ୍ଟ ପରେ ବି ଫିଲ୍ମର କେନ୍ଦ୍ରବିନ୍ଦୁ ଏହି ସୁପରଷ୍ଟାର୍ସ ନ ଥିଲେ । ସମ୍ପୂର୍ଣ୍ଣ କାହାଣୀଟି ଜଣେ ଅଭିନେତାଙ୍କ ଚାରିପାଖରେ ବୁଣାଯାଇଥିଲା ଯିଏ ବଡ଼ ପରଦାରେ ପୁନଃପ୍ରତିଷ୍ଠିତ ହେବାକୁ ଚେଷ୍ଟା କରୁଥିଲେ।
ଏହି ଫିଲ୍ମ ଥିଲା ନିର୍ଦେଶକ ରାଜକୁମାର କୋହଲୀଙ୍କ ‘ଜାନୀ ଦୁଶମନ : ଏକ ଅନୋଖୀ କାହାନୀ’। ଫିଲ୍ମ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ହୋଇଥିଲା କିନ୍ତୁ ପରେ ଟିଭିରେ ଦେଖାଯାଇଥିଲା । ଏହି ଫିଲ୍ମ ମାଧ୍ୟମରେ ନିର୍ଦେଶକ ରାଜକୁମାର କୋହଲୀ ନିଜ ପୁଅର କ୍ୟାରିୟରକୁ ସାହାରା ଦେବାକୁ ନିଜର ସମ୍ପୂର୍ଣ୍ଣ ପୁଞ୍ଜି ଏବଂ ପ୍ରତିଷ୍ଠା ସବୁ କିଛି ବାଜିରେ ଲଗାଇଦେଇଥିଲେ। ଫିଲ୍ମରେ ‘ଇଛାଧାରୀ ନାଗ’ର ଭୂମିକା ନିଭାଉଥିବା ଅଭିନେତା ଆଉ କେହି ନଥିଲେ ବରଂ ଅରମାନ କୋହଲୀ ଥିଲେ ।
ଅରମାନ କୋହଲୀଙ୍କ ଜନ୍ମ ୨୩ମାର୍ଚ୍ଚ ୧୯୭୨ରେ ହୋଇଥିଲା । ତାଙ୍କ ବାପା ରାଜକୁମାର କୋହଲୀ, ୭୦ ଏବଂ ୮୦ର ଦର୍ଶକରେ ବଲିଉଡ଼ର ଏକ ଏଭଳି ନିର୍ଦେଶକ ଥିଲେ ଯାହାଙ୍କ ନାଁ ହିଁ ଫିଲ୍ମ ହିଟ୍ ହେବାର ଗ୍ୟାରେଣ୍ଟି କୁହାଯାଉଥିଲା । ‘ନାଗିନ’ ଏବଂ ‘ଜାନୀ ଦୁଶମନ‘ ଭଳି ମଲ୍ଟି ଷ୍ଟାରର ଫିଲ୍ମର ନିର୍ମାତା ଏବଂ ଅରମାନ କୋହଲୀଙ୍କ ବାପା ରାଜକୁମାର କୋହଲୀ ପୁରା ଇଣ୍ଡଷ୍ଟ୍ରି ଉପରେ ରାଜ କରିଥିଲେ । ସେହିଭଳି ଅରମାନ କୋହଲୀଙ୍କ ମା’, ନିଶି କୋହଲୀ, ନିଜ ସମୟର ଏକ ବହୁ ଭଲ ଏବ ପ୍ରତିଷ୍ଠିତ ଅଭିନେତ୍ରୀ ଥିଲେ, ଯିଏ ହିନ୍ଦୀ ଏବଂ ପଞ୍ଜାବୀ ସିନେମାରେ ନିଜ ଛାପ ଛାଡ଼ିଥିଲେ । ୧୯୯୫ରେ ଆଦିତ୍ୟ ଚୋପ୍ରା ଯେତେବେଳେ ତାଙ୍କୁ ‘ଦିଲଓ୍ବାଲେ ଦୁଲହନିୟା ଲେ ଯାଏଗେଁ’ରେ କାଜୋଲଙ୍କ ମଙ୍ଗେତର (କୁଲଜିତ) ଭୂମିକା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଅରମାନ କୋହଲି କହିଥିଲେ ଯେ ସେ କେବଳ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତି। ପରେ ପରମୀତ ସେଟ୍ଟୀ ଏହି ଭୂମିକା କରିଥିଲେ।
ଅରମାନ ଯେଉଁ ଫିଲ୍ମ ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରୁଥିଲେ ସେ ଗୁଡ଼ିକ ବଲିଉଡର ସବୁଠାରୁ ବଡ଼ ବ୍ଲକବଷ୍ଟର ହୋଇଉଠିଥିଲା । ଯେତେବେଳେ ତାଙ୍କ ବାପା ତାଙ୍କୁ ଲଗାତାର ଲଞ୍ଚ କରୁଥିଲେ ଏବଂ ପୁନଃ ଲଞ୍ଚ କରୁଥିଲେ ଫିଲ୍ମ ଗୁଡ଼ିକ ବକ୍ସ ଅଫିସରେ ବିଫଳ ହେଉଥିଲା।