ମୁମ୍ବାଇ, ୧୦/୦୩: ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୬ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ମହାରାଷ୍ଟ୍ରରେ ସମସ୍ତ ୭ ଜଣ ପ୍ରାର୍ଥୀ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶାସକ ପକ୍ଷ ମହାୟୁତିରୁ ୬ ଜଣ ପ୍ରାର୍ଥୀ ଥିବା ବେଳେ ବିରୋଧୀ ପକ୍ଷ ମହାବିକାଶ ଅଘାଡ଼ିରୁ ଏନ୍ସିପି ନେତା ଶରଦ ପାୱାର ରହିଛନ୍ତି । ପ୍ରାର୍ଥିପତ୍ର ପ୍ରତ୍ୟାହାର ନିମନ୍ତେ ସୋମବାର ଶେଷ ତାରିଖ ଥିଲା ।
ରାଜ୍ୟରେ ୭ଟି ରାଜ୍ୟସଭା ଆସନ ଖାଲି ଥିଲା । ଗତ ୫ ତାରିଖରେ କେବଳ ୭ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡ଼େ, ଦଳୀୟ ନେତା ରାମରାଓ ୱାଡ଼କୁଟେ ଏବଂ ମାୟା ଇବ୍ନାତେ ରହିଛନ୍ତି । ସେହିଭଳି ଶିବସେନା ସିନ୍ଦେ ଗୋଷ୍ଠୀରୁ ଜ୍ୟୋତି ୱାଘମାରେ ଏବଂ ଏନ୍ସିପି ଅଜିତ ଗୋଷ୍ଠୀରୁ ଅଜିତ ପାୱାରଙ୍କ ପୁତ୍ର ପାର୍ଥ ପାୱାର ବି ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।