କଟକ,୦୬/୦୩: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍ ରଘୁବୀର ଦାଶ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବା ପାଇଁ ରୁଜୁ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି । ଏହି ରିପୋର୍ଟ ଯଥାଶୀଘ୍ର ବିଧାନସଭା ତଥା କ୍ୟାବିନେଟ୍ ବୈଠକରେ ଦାଖଲ କରାଯିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ କରିବା ପରେ ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି । ସମାଜସେବୀ ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ୍ ମୃଙ୍ଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଯାଇଥିବା ନେଇ ୨୦୧୮ରେ ହଠାତ୍ ଜଣାପଡ଼ିଥିଲା । ବାହାର ରତ୍ନଭଣ୍ଡାରର ତିନିଟି ଚାବି ରହିଥାଏ । ଗୋଟିଏ ଚାବି ଗଜପତି ମହାରାଜଙ୍କ ନିକଟରେ, ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଆଉ ଏକ ଚାବି ଭଣ୍ଡାର ମେକାପଙ୍କ ନିକଟରେ ରହିଥାଏ । କିନ୍ତୁ ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରୀରେ ଥାଏ । ଭିତର ରତ୍ନଭଣ୍ଡାର ମରାମତି ଆବଶ୍ୟକତା ଥିବାରୁ ସେତେବେଳେ ଚାବି ଖୋଜାପଡ଼ିଲା । କିନ୍ତୁ ଚାବି ନମିଳିବାରୁ ପୁରୀର ତତ୍କାଳୀନ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀରେ ଚାବି ନଥିବା କହିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଜିଲ୍ଲାପାଳ ଜିଲ୍ଲା ରେକର୍ଡ ରୁମ୍ରେ ରତ୍ନଭଣ୍ଡାରର ଏକ ଡୁପ୍ଲିକେଟ୍ ଚାବି ଜଉମୁଦ ଲଫାପାରେ ରହିଥିବା କହିଥିଲେ । ଏହାକୁ ନେଇ ଅଧିକ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ତତ୍କାଳୀନ ରାଜ୍ୟ ସରକାର ୨୦୧୮ ଜୁନ୍ରେ ଜଷ୍ଟିସ୍ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିସନ ବସାଇଥିଲେ । ସେହିବର୍ଷ ନଭେମ୍ବର ୨୯ରେ କମିସନ ତାଙ୍କ ରିପୋର୍ଟ ଗୃହ ବିଭାଗକୁ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଉକ୍ତ ରିପୋର୍ଟକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶ କରିବା ପରିବର୍ତ୍ତେ ରିପୋର୍ଟ ଚାପି ଦେଇଛନ୍ତି ବୋଲି ଅଭିଯୋଗ ହୋଇଥିଲା । ନିୟମ ଅନୁଯାୟୀ ଏହି ରିପୋର୍ଟ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରାଯିବା କଥା । କିନ୍ତୁ ବିଧାନସଭାରେ ଉପସ୍ଥାପନ ନହେବାରୁ ଆବେଦନକାରୀ ଶ୍ରୀ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଏବଂ ହରପ୍ରିୟା ରାଉତରାୟ ମାମଲା ପରିଚାଳନା କରୁଛନ୍ତି।