ନୂଆଦିଲ୍ଲୀ,୧୧/୦୭:ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡ଼ାରେ ଥିବା କାଫେରେ ଗୁଳିକାଣ୍ଡ। କିଛି ଅଜଣା ବ୍ୟକ୍ତିମାନେ କାଫେରେ ଅନେକ ରାଉଣ୍ଡ ଗୁଳି ଚଳାଇଛନ୍ତି। ଯେଉଁ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ କିଛି ଦିନ ପୂର୍ବରୁ କପିଲ ଶର୍ମା ନୂତନ ଭାବରେ ଏକ କପ୍ସ କାଫେ ଆରମ୍ଭ କରିଥିଲେ। ହେଲେ ଗତ ବୁଧବାର ବିଳମ୍ବିତ ରାତିରେ ଏଠାରେ ଗୁଳିକାଣ୍ଡ ଘଟିଥିଲା । କୌଣସି ମୃତାହତଙ୍କ ଖବର ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କ୍ୟାପ୍ସ କାଫେରେ ଏକ କାରରେ ବସିଥିବା ଜଣେ ବ୍ୟକ୍ତି ଅତି କମରେ 9 ରାଉଣ୍ଡ ଗୁଳି ଚଳାଇଥିବାର ଦେଖାଯାଉଛି । ଘଟଣା ଘଟାଇବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କପିଲ ଶର୍ମାଙ୍କ କାଫେକୁ ଟାର୍ଗେଟ କରାଯାଇଥିଲା ନା ଏହି ଗୁଳିକାଣ୍ଡ କମେଡିଆନଙ୍କୁ ଧମକାଇବା ପାଇଁ କରାଯାଇଥିଲା । ସେପଟେ ଖାଲିସ୍ତାନୀ ଆତଙ୍କବାଦୀ ହରଜିତ ସିଂହ ଲାଡି ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛନ୍ତି । ଲାଡି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଜଡିତ ଜଣେ ପ୍ରମୁଖ ବ୍ୟକ୍ତି ଏବଂ ଏନଆଇଏର ସବୁଠାରୁ ୱାଣ୍ଟେଡ୍ ପଳାତକଙ୍କ ମଧ୍ୟରୁ ଜଣେ ।