ବିନା ଦୋକାନୀରେ ଚାଲୁଛି ଦୋକାନ, ଜାଣନ୍ତୁ କେମିତି…

source:unsplash.com
କନ୍ନୁର,୩ ।୨(ଏଜେନ୍ସି): ଆପଣମାନେ କେବେ ଏଭଳି ଏକ ଦୋକାନ ଦେଖିଛନ୍ତି କି ଯେଉଁଠାରେ ତା’ର ମାଲିକ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ରହୁନଥିବେ? ଅଥଚ ସେଇ ଦୋକାନ ନିୟମିତ ଭାବେ ଖୋଲା ହେଉଥିବ ଏବଂ ସେଠାରୁ ବିଭିନ୍ନ ଜିନିଷ ବି ବିକ୍ରି ହେଉଥିବ । ଏଭଳି ଦୋକାନ କଥା ଭାବିଲେ ସମସ୍ତଙ୍କ ମନକୁ ପ୍ରଥମେ ଧାରଣା ଆସିବ କି ମାଲିକ କିମ୍ବା କର୍ମଚାରୀ ନଥିବାରୁ ସେଇ ଦୋକାନରୁ ଯିଏ ଯାହା ଚାହିଁବ ନେଇଯିବ ଏବଂ ଟଙ୍କା ବି ପକାଇବ ନାହିଁ । ତେଣୁ ଏଭଳି ଦୋକାନ କେବେହେଲେ ଚାଲିପାରିବ ନାହିଁ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେରଳରେ ଏବେ ଏଭଳି ଗୋଟିଏ ଦୋକାନ ଖୁବ ଭଲ ଭାବରେ ଚାଲୁଛି । ରାଜ୍ୟର କନ୍ନୁର ଜିଲା ଅନ୍ତର୍ଗତ ଆଝିକୋଡରେ ଚଳିତ ବର୍ଷ ଜାନୁଆରୀ ୧ରେ ଏହି ଦୋକାନ ଖୋଲାଯାଇଛି । ଜନଶକ୍ତି ଚାରିଟେବଲ ଟ୍ରଷ୍ଟ ନାମକ ଏକ ଏନଜିଓ ଏହି ଦୋକାନ ଖୋଲିଛି ।
ଏହି ଦୋକାନର ବିଶେଷତ୍ୱ ହେଉଛି ଯେ ଏଠାରେ କୌଣସି କର୍ମଚାରୀ ରହିନଥାନି । ଏଠାରେ ରଖାଯାଇଥିବା ସାମଗ୍ରୀଗୁଡିକୁ ଲୋକଙ୍କୁ ନିଜେ ନିଜେ ନେବାକୁ ପଡ଼ିବ ଏବଂ ପ୍ୟାକେଟରେ ଉଲ୍ଲେଖ କରାଯାଇଥିବା ମୂଲ୍ୟ ମୁତାବକ ଅର୍ଥ ସେଠାରେ ଥିବା ଗୋଟିଏ ବାକ୍ସରେ ପକାଇବାକୁ ପଡ଼ିବ । ଗ୍ରାହକଙ୍କୁ ନିଜେ ନିଜେ ଏପରି କରିବାକୁ ପଡ଼ୁଥିବାରୁ ଏହି ଦୋକାନକୁ ‘ସେଲ୍ଫ ସର୍ଭିସ ସପ’ ବୋଲି ମଧ୍ୟ କୁହାଯାଉଛି । ତେବେ ଏହା ହିଁ କେବଳ ଏହି ଦୋକାନର ଏକମାତ୍ର ବିଶେଷତ୍ୱ ନୁହେଁ । ଏହାର ଆଉ ଏକ ବିଶେଷତ୍ୱ ହେଉଛି କି ଏଠାରେ ବିକ୍ରି କରାଯାଉଥିବା ସମସ୍ତ ସାମଗ୍ରୀକୁ ଦିବ୍ୟାଙ୍ଗମାନେ ପ୍ରସ୍ତୁତ କରିଛନ୍ତି । ଏହି ଦୋକାନ ଖୋଲା ହେବା ପର ଠାରୁ ସ୍ଥାନୀୟ ଲୋକେ ଏହା ପ୍ରତି ଯଥେଷ୍ଟ ଆଗ୍ରହ ଦେଖାଉଛନ୍ତି ଏବଂ ଏଥିରୁ ଦିନକୁ ୧୦୦୦ ଟଙ୍କା ଲାଭ ବି ହେଉଛି ।
ଦୋକାନରେ କୌଣସି ପ୍ରକାର ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ତା’ ଭିତରେ ସିସିଟିଭି କ୍ୟାମେରା ଲଗାଯାଇଛି । ପାଖରେ ଥିବା ଜଣେ ପରିବା ଦୋକାନୀ ପ୍ରତିଦିନ ସକାଳ ୬ଟାରେ ଏହାକୁ ଖୋଲିଥାନ୍ତି ଏବଂ ରାତି ୧୦ଟାରେ ଏହାକୁ ବନ୍ଦ କରିଥାନ୍ତି । ସ୍ଥାନୀୟ ବ୍ୟବସାୟୀମାନେ ବି ଦୋକାନ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି । ସେମାନଙ୍କ ସହଯୋଗ ଯୋଗୁ ଦୋକାନଟି ଠିକ୍ ଭାବେ ଚାଲିଛି ।
ଏହାକୁ ଖୋଲିଥିବା ଏନଜିଓର କର୍ମକର୍ତ୍ତା କହିଛନ୍ତି କି ସେମାନେ ଜଣେ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ ଯିଏକି ଅନେକ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । କିନ୍ତୁ ଦିବ୍ୟାଙ୍ଗ ହୋଇଥିବାରୁ ଏଗୁଡିକର ମାର୍କେଟିଙ୍ଗ୍ କରିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା । ତେଣୁ ତାଙ୍କୁ ଏବଂ ତାଙ୍କ ଭଳି ଅନ୍ୟ ଦିବ୍ୟାଙ୍ଗମାନଙ୍କୁ ନିଜ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବାରେ ସହାୟତା କରିବାକୁ ଏଭଳି ଦୋକାନ ଖୋଲିବା ଚିନ୍ତାଧାରା ସେମାନଙ୍କ ମନକୁ ଆସିଥିଲା । ଏଥିପାଇଁ ସେମାନେ ଦିବ୍ୟାଙ୍ଗମାନଙ୍କ ଠାରୁ ଆବଶ୍ୟକ ପରିମାଣର ସାମଗ୍ରୀ ଆଗୁଆ କିଣିଥାନ୍ତି ଏବଂ ସେମାନଙ୍କୁ ତୁରନ୍ତ ତାହାର ପାରିଶ୍ରମିକ ପ୍ରଦାନ କରିଥାନ୍ତି । ଦୋକାନରେ କମ ବିକ୍ରି ଯୋଗୁ ସେମାନେ ଯେମିତି ପ୍ରଭାବିତ ନହେବେ, ସେଥିପାଇଁ ସେମାନଙ୍କ ଠାରୁ ସବୁ ସାମଗ୍ରୀ ଆଗୁଆ କିଣାଯାଇଥାଏ । ଏସବୁର ବିକ୍ରିରୁ ମିଳୁଥିବା ଲାଭାଂଶକୁ ସେମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯାଉଛି । ଏହି ଦୋକାନ ସମ୍ପର୍କରେ ଜାଣିବା ପରେ ଏବେ ଜିଲାର ଅନ୍ୟ କେତେକ ଭାଗରେ ବି ଏଭଳି ଦୋକାନ ଖୋଲିବାକୁ ସେଠାକାର ଲୋକେ ଉକ୍ତ ଏନଜିଓକୁ ନିବେଦନ କରିଛନ୍ତି ।