ପୁରୀ,୨୧/୧୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ମାଟିତୋଟାରେ ଥିବା ୬୪ ଏକର ଜମି ଉପରେ ରହିଥିବା  ଘର ଉପରେ ବୁଲିବ ବୁଲ୍‌ଡୋଜୋର । ମହାପ୍ରଭୁଙ୍କ ଜମିକୁ  ବେଆଇନ ଭାବେ ଜମି ମାଫିଆଙ୍କଠାରୁ ହାତେଇ ଘର  କରିଥିବା ୧୨୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ପୁରୀ  ତହସିଲଦାର ଓ ଶ୍ରୀମନ୍ଦିର ରାଜସ୍ୱ ବିଭାଗର ଅଧିକାରୀ ।  

ମଙ୍ଗଳବାର ପ୍ରଶାସନିକ ଏକ ଯୁଗ୍ମ ସ୍କ୍ୱାଡ ମହାପ୍ରଭୁଙ୍କ  ଏହି ପ୍ଲଟ୍‌କୁ ଯାଇ ମାପଚୁପ୍‌ କରିବା ସହ ବେଆଇନ  ଭାବେ ଘର କରିଥିବା ଲୋକଙ୍କ ନାମ ସଂଗ୍ରହ କରିଛନ୍ତି ।  ଏହି ଟିମ୍‌ରେ ବାସେଳିସାହି ଥାନା ଅଧିକାରୀ, ଶ୍ରୀମନ୍ଦିର  ପ୍ରଶାସନର ଅଧିକାରୀ, ପୁରୀ ସଦର ତହସିଲଦାରଙ୍କ  ସମେତ ଅନ୍ୟ ପ୍ରାଶାସନିକ କର୍ମଚାରୀ ଓ ପୁଲିସ ଫୋର୍ସ  ଉପସ୍ଥିତ ଥିଲେ । ସମସ୍ତ ୧୨୫ ଜଣ ଜବରଦଖଲକାରୀଙ୍କୁ  ଆସନ୍ତା ସପ୍ତାହକ ଭିତରେ ନୋଟିସ୍‌ କରାଯିବ ।  ଜବରଦଖଲକାରୀଙ୍କ ଜବାବକୁ ଅନୁଧ୍ୟାନ ପରେ ୩୦  ଦିନ ପରେ ଉଚ୍ଛେଦ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି  ପୁରୀ ସଦର ତହସିଲଦାର ଅଭିଷେକ ଦାଶ କହିଛନ୍ତି ।  ଏହି ଜମି ଜବରଦଖଲ ନେଇ ବାସେଳିସାହି ଥାନାରେ  ମାମଲା ରୁଜୁ ହୋଇଥିବାରୁ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର୍‌  କରିଛି ପୁଲିସ। 

ମାଟିତୋଟା ମୌଜା ୟୁନିଟ୍‌ ନଂ-୧, ଖାତା  ନମ୍ବର-୩୮ର ସମୁଦାୟ ୧୦୯ଟି ପ୍ଲଟର ଏହି ଜମିକୁ  ବେଆଇନ୍‌ ଭାବେ ହସ୍ତାନ୍ତର କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଏନେଇ ଅବଗତ ହେବା ପରେ ବେଆଇନ  ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏ ବାବଦରେ ବାସେଳିସାହି  ଥାନାରେ ଶ୍ରୀମନ୍ଦିର ରାଜସ୍ୱ ଉପବିଭାଗ ଓଏସ୍‌ଡି ଏତଲା  ଦେବା ପରେ ମହାବୀର ଜନସେବା ସଂଘର ୭ ଜଣଙ୍କ  ନାମରେ ମାମଲା ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ  ଭିତ୍ତି କରି ତହସିଲଦାର ଓ ଶ୍ରୀମନ୍ଦିର ରାଜସ୍ୱ ଉପବିଭାଗ  ମହାପ୍ରଭୁଙ୍କ ଜମି ସୁରକ୍ଷା ନିମନ୍ତେ ଗୋଡ଼ କାଢ଼ିଛନ୍ତି ।  ରାଜ୍ୟର ୭ ଜିଲ୍ଲା ଅନ୍ତର୍ଗତ ୭ ତହସିଲ ଅଞ୍ଚଳରେ  ମହାପ୍ରଭୁଙ୍କ ୧୬୯ ଏକରରୁ ଅଧିକ ଜମିରୁ ଜବରଦଖଲ  ଉଚ୍ଛେଦ ନେଇ ୯୭୪ଟି ମାମଲା ରୁଜୁ ହୋଇଛି । ଯାହା  ଭିତରେ ପୁରୀ ତହସିଲରେ ୨୨ ଏକରରୁ ଅଧିକ ଜମିରୁ  ଜବରଦଖଲ ମୁକ୍ତ ନିମନ୍ତେ ୩୮୪ଟି ମାମଲା ରହିଛି।