ଶ୍ରୀଲିଙ୍ଗରାଜଙ୍କ ହାତଧରିଲେ ମା’ ପାର୍ବତୀ, ଆଜି ନଗର ପରିକ୍ରମା ପରେ ମନ୍ଦିରକୁ ବାହୁଡ଼ିବେ ଦେବଦମ୍ପତି

ଭୁବନେଶ୍ୱର,୨୫/୫: ବୁଧବାର ବିଳମ୍ବିତ ରାତିରେ ବିଧିମତେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହିତ ମା’ପାର୍ବତୀଙ୍କ ଶୁଭପରିଣୟ ସମ୍ପନ୍ନ ହୋଇଛି । ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ପରେ ବିବାହ ଉତ୍ସବ ଆରମ୍ଭ ହୋଇଥିଲା । ପ୍ରଥମେ ବରଯାତ୍ରୀଙ୍କ ପାଇଁ ଭୋଜିଭାତ ଆୟୋଜନ କରାଯାଇଥିଲା । ରାତି ୧୧ଟାରେ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀ ବିମାନରେ ବିଜେ କରି ସେବାୟତ, ଶ୍ରଦ୍ଧାଳୁଙ୍କ ଗହଣରେ କେଦାରଗୌରୀ ପୀଠ ଅଭିମୁଖେ ବାହାରିଥିଲେ । ଶ୍ରୀଜିଉଙ୍କ ସହିତ କ୍ଷେତ୍ରାଧିପତି ଶ୍ରୀଅନନ୍ତ ବାସୁଦେବ ଯୋଗ ଦେଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ମହାପ୍ରଭୁ ନଗର ପରିକ୍ରମା କରି କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ କନ୍ୟା ପକ୍ଷ ଶ୍ରୀଜିଉଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।
ଶ୍ରୀଜିଉଗଣ ମନ୍ଦିର ପରିସରରେ ଥିବା ବିବାହ ମଣ୍ଡପରେ ବିଜେ ହୋଇଥିଲେ । ବରଯାତ୍ରୀ ଭାବେ ଆସିଥିବା ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କୁ ଭୋଜିଭାତରେ ଆପ୍ୟାୟିତ କରା ଯାଇଥିଲା । ରାତିର ଶୁଭ ମୁହୂର୍ତ୍ତରେ ବୈଦିକ ରୀତିରେ ଶ୍ରୀଲିଙ୍ଗରାଜଙ୍କ ସହିତ ମା’ ପାର୍ବତୀଙ୍କ ପାଣିଗ୍ରହଣ ସମ୍ପନ୍ନ ହୋଇଥିଲା । କ୍ଷେତ୍ରବାସୀ ବ୍ରାହ୍ମଣ ବିବାହ କର୍ମ ସମ୍ପାଦନ କରିଥିଲେ । ସେହିପରି ଅନ୍ୟାନ୍ୟ ସେବାୟତମାନେ ନିଜ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ବିବାହ ପରେ ଦେବଦମ୍ପତି କେଦାରଗୌରୀ ପୀଠରେ ଅବସ୍ଥାନ କରୁଛନ୍ତି ।
ଗୁରୁବାର ରାତି ୧୦ଟାରେ ଦେବଦମ୍ପତି ନଗର ପରିକ୍ରମା କରି ଶ୍ରୀଲିଙ୍ଗରାଜ ମନ୍ଦିର ବାହୁଡିବେ । ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ଦେବନୀତି ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିଲା ।