PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପଖାଳ ପ୍ରିୟ ମହାପ୍ରଭୁ, ଠାକୁରଙ୍କୁ ଭୋଗରେ ଲାଗେ ୫ ପ୍ରକାର ପଖାଳ

ପୁରୀ,୨୦/୦୩: ଓଡ଼ିଆଙ୍କ ପସନ୍ଦ ପଖାଳ । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ମଧ୍ୟ ପଖାଳ ପ୍ରିୟ । ବଡ଼ଦେଉଳରେ ଛପନ ପଉଟି ଭୋଗ ବ୍ୟବସ୍ଥା ଥିଲେ ମଧ୍ୟ କାଳିଆ ସାଆନ୍ତଙ୍କ ଆଦର ପଖାଳରେ । ଠାକୁରଙ୍କ ପାଇଁ ଖଞ୍ଜା ୫ ପ୍ରକାର ପଖାଳ ଭୋଗ । ସୁବାସିତ ପଖାଳ, ମିଠା ପଖାଳ, ଟଭା(କମଳା) ପଖାଳ, ଚିପୁଡ଼ା ଓ ଦହି ପଖାଳ ଭୋଗ ଲାଗେ । ନୀତି ତିନି ଧୂପରେ ଠାକୁରଙ୍କୁ ପଖାଳ ପରଷାଯାଏ । ଏହାକୁ ପ୍ରସ୍ତୁତ କରନ୍ତି ମହାପ୍ରଭୁଙ୍କ ତୁଣ ସୁଆର ଓ ଥାଳି ସୁଆର ସେବକ । ରୋଷଘରେ ଅଛି ୨ଟି ସ୍ୱତନ୍ତ୍ର ପଖାଳ କୁଣ୍ଡ । ପଖାଳ ବାଢ଼ିବା ପାଇଁ ସ୍ୱତନ୍ତ୍ର ମାଟିପାତ୍ର ତଥା ପଖାଳ ଓଳି ରହିଛି । ସନ୍ଧ୍ୟା ଧୂପରେ ମୁଖ୍ୟ ଭୋଗ ହେଉଛି ପଖାଳ । କୋଠଭୋଗ ରୋଷରେ ପଖାଳ କୁଣ୍ଡ ରହଥିବା କହନ୍ତି ବରିଷ୍ଠ ସେବାୟତ ତଥା କୋଠଭୋଗ ସୁଆର ବିଶ୍ୱନାଥ ସାମନ୍ତରା।

ତୁଣ ସୁଆର ସେବକ ଭୁବନେଶ୍ୱର ପଣ୍ଡା କହନ୍ତି, ସୁବାସିତ ପଖାଳ ପ୍ରସ୍ତୁତିର ନିଆରା ପ୍ରକ୍ରିୟା । ସକାଳୁ ମଲ୍ଲୀ ଓ ଜୁଇ ଆଦିି ସୁବାସିତ ଫୁଲକୁ ଜଳରେ ପକାଇ ରଖାଯାଏ । ପରେ ସେଥିରୁ ଫୁଲ କାଢି ଉକ୍ତ ସୁବାସିତ ଜଳରେ ପ୍ରସ୍ତୁତ ହୁଏ ପଖାଳ । ଠାକୁରଙ୍କୁ ବଡ଼ସିଂହାର ଭୋଗରେ ଲାଗେ ମିଠା ପଖାଳ । ଅନ୍ନ ଚିପୁଡ଼ା ହୋଇ ଦହି, ଜୀରା, ଅଦା, ଚିନି ମିଶାଇ ମିଠା ପଖାଳ ପ୍ରସ୍ତୁତ ହୋଇଥାଏ । ସନ୍ଧ୍ୟାଧୂପରେ ଥାଳି ସୁଆର ତିଆରି କରିବେ ଦହି ପଖାଳ । ଚିପୁଡ଼ା ଅନ୍ନରେ ଜୀରା, ଅଦା ଓ ଦହି ପଡ଼ି ପ୍ରସ୍ତୁତ ହୋଇଥାଏ । ଚନ୍ଦନଯାତ୍ରା ସମୟରେ ଠାକୁରଙ୍କୁ ଯାତ ଭୋଗ ଅର୍ପଣ କରାଯାଏ । ସେଥିରେ ୪୬ ଓଳି ପଖାଳ ଭୋଗ ଲାଗେ । ଚାରି ବାଡ଼ରେ ପନ୍ତିରେ ଭୋଗ ଲାଗିବ । ଅକ୍ଷୟତୃତୀୟା ଠାରୁ ସ୍ନାନଯାତ୍ରା ପୂର୍ବଦିନ ପର୍ଯ୍ୟନ୍ତ ପଖାଳ ଭୋଗ ଲାଗିବ ।

ଶ୍ରୀମନ୍ଦିର ଚୂନରା ସେବାୟତ ତଥା ଗବେଷକ ଡା. ଶରତ ଚନ୍ଦ୍ର ମହାନ୍ତି କହନ୍ତି ନେପଥ୍ୟରେ ସ୍ୱୟଂ ମହାଲକ୍ଷ୍ମୀ ସୁନା ଚଟୁ ଧରି ଠାକୁରଙ୍କ ଭୋଗ ପ୍ରସ୍ତୁତ କରନ୍ତି । ମହଣ ମହଣ ସୁନା ପିନ୍ଧୁଥିବା ଠାକୁରେ ପୁଣି ପଖାଳରେ ଆଗ୍ରହ ରଖନ୍ତି । ୨୦୧୧ ମସିହାରୁ ହୁଏତ ପାଳନ କରାଯାଉଛି ପଖାଳ ଦିବସ । କିନ୍ତୁ ଶ୍ରୀମନ୍ଦିର ପରମ୍ପରାରେ ମହାପ୍ରଭୁଙ୍କୁ କାହିଁ କେଉଁ କାଳରୁ ପଖାଳ ଭୋଗ ଅର୍ପଣ ହୋଇଆସୁଛି । ପଖାଳରୁ ସୃଷ୍ଟି ଟଙ୍କ ତୋରାଣି । ଯେଉଁଥିରେ ଭକ୍ତଙ୍କ ମନ ରହିଥାଏ ।