PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିରରେ ମୂଷା ଅଣାୟତ୍ତ, ଦାରୁଦିଅଁଙ୍କ ଶ୍ରୀଅଙ୍ଗ ପାଇଁ ବଡ଼ ବିପଦ: ଆସିବ ବଡ଼ ଲୁହାଯନ୍ତା, ରଖାଯାଇଛି ଗୁଡ଼ବଣା…

ପୁରୀ,୨୩/୦୩: ଶ୍ରୀମନ୍ଦିରରେ ମୂଷା ଅଣାୟତ୍ତ । ଦୈନିକ ଗର୍ଭଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗଙ୍କୁ କ୍ଷତି ପହଞ୍ଚାଉଛନ୍ତି । ରତ୍ନସିଂହାସନ ରୁନ୍ଧା ଠଣାରେ ହିଁ ମୂଷା ଘର କରିଥିବା କୁହାଯାଉଛି । ଗର୍ଭଗୃହ ଚାନ୍ଦୁଆ ଉପରେ ମଧ୍ୟ ରହୁଛନ୍ତି । ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗର କ୍ଷତି କରୁଛନ୍ତି । ଦେଖଣାହାରୀଙ୍କ ଅନୁସାରେ, ବିଲେଇ ଭଳି ଏହିସବୁ ମୂଷା ଯନ୍ତାରେ ଧରା ପଡ଼ୁନାହାନ୍ତି । ମୂଷାଙ୍କୁ ଜଗିବାକୁ ଗୋଟିଏ କାଠ ଯନ୍ତା ରହିଛି । କାଁ ଭାଁ ମୂଷା ସେଥିରେ ପଡ଼ୁଥିବା ସୂଚନା ମିଳିଛି ।

ଶ୍ରୀମନ୍ଦିରରେ ମୂଷା ବଂଶ ବିସ୍ତାର କରି ନିୟନ୍ତ୍ରଣ ବାହାରକୁ ଚାଲିଗଲେଣି । ଆଜିକାଲି କଦଳୀ କିମ୍ବା ଖୁଆପେଡ଼ା ବାସ୍ନାକୁ ମଧ୍ୟ ଶୁଣୁନାହାନ୍ତି । ମଝିରେ କିଛି ଦିନ ମୂଷା ଧରିବାକୁ ବଜାରରୁ ଖୋଜି ଖୋଜି ପାଚିଲା ପୋଟଳ ଅଣାଗଲା । ହେଲେ ସେଥିରେ ମଧ୍ୟ ମୂଷା କବଳକୁ ଆସୁ ନାହାନ୍ତି । କାଠ ଯନ୍ତାଟିରେ ଫଳ ଟିକିଏ ଯୋଖି ମୂଷା ଧରିବାକୁ ଚେଷ୍ଟା ହେଉଥିବା ବେଳେ ସେମାନଙ୍କ ଦୌରାତ୍ମ୍ୟ ସୀମା ପାର କରିଯାଇଛି । ରତ୍ନସିଂହାସନ ସଂଲଗ୍ନ କାନ୍ଥି ରୁପା ଚେନ୍‌ରେ ଛନ୍ଦା ହୋଇ ଠାକୁରେ ରୁନ୍ଧା ହୋଇଛନ୍ତି । ରୁନ୍ଧା କାନ୍ଥରେ ରହିଛି ୬ଟି ଠଣା । ପ୍ରାୟ ହାତେ ଲମ୍ବର ଗର୍ତ୍ତ । ତା’ଭିତରେ ମୂଷା ଘର କରିଥିବା କହନ୍ତି ସେବାୟତ । ରଥଯାତ୍ରା ଅବସରରେ ବର୍ଷକୁ ଥରେ ଠାକୁରେ ଆସ୍ଥାନ ଛାଡ଼ୁ ଥିବା ବେଳେ ଠଣାରେ ପ୍ୟାକିଂ ଦେବାକୁ ସେବାୟତ ଦାବି କରୁଛନ୍ତି ।

ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ । ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣି ଦଉଡ଼ି କାଟିଛନ୍ତି । ଦେଖଣାହାରୀ କହନ୍ତି ହାତେ ଲମ୍ବା ଭଳି ମୂଷା । ରତ୍ନସିଂହାସନରେ ଠାକୁରଙ୍କୁ ରୁନ୍ଧାଯାଇଥିବା ନାଗନାଗୁଣୀ ଦଉଡ଼ିର ଯଥେଷ୍ଟ କ୍ଷତି ହୋଇସାରିଛି । ନାଗନାଗୁଣୀ ଦଉଡ଼ି ଢିଲା ହେବାରେ ମୂଷା ଉକ୍ତ ରାସ୍ତାରେ ଶ୍ରୀଅଙ୍ଗରେ ପହଞ୍ଚୁଛନ୍ତି । ଠାକୁରଙ୍କ ଲାଗି ପୁଷ୍ପ ଅଳଙ୍କାର ଓ ବସ୍ତ୍ର କାଟୁଛନ୍ତି । ଶ୍ରୀଅଙ୍ଗ ପାଗପାଟି କାଟିଦେଲେ ବଡ଼ ଅଘଟଣ ଘଟିଯିବ ବୋଲି ସେବାୟତଙ୍କ ଚିନ୍ତା ବଢୁଛି ।

ମୂଷାଙ୍କ ଦୌରାତ୍ମ୍ୟ ଯୋଗୁ କ୍ଷତି ପହଞ୍ଚିଥିବା ସ୍ଥାନରେ ଚୁଆ ଚନ୍ଦନ ବୋଳା ଯାଉଛି । ସୁଗନ୍ଧ ରହିଲେ ମୂଷାକୁ ବାରଣ କରାଯାଇପାରେ । କିନ୍ତୁ ଏହା ସ୍ଥାୟୀ ପ୍ରତିକାର ନୁହେଁ ବୋଲି ସେବାୟତ ମତ ବ୍ୟକ୍ତ କରିଛନ୍ତି । ଗର୍ଭଗୃହରେ ମୂଷା ଧରିବାକୁ ଜଣେ ଭକ୍ତ ଏକ ମେସିନ୍‌ ଯନ୍ତା ଦାନ କରିଥିଲେ । ଏହି ଯନ୍ତ୍ରାର ଶବ୍ଦ ମହାପ୍ରଭୁଙ୍କ ଶୟନରେ ବିଘ୍ନ ସୃଷ୍ଟି କରିବା ଆଶଙ୍କାରେ ତାହାକୁ ବାହାର କରିଦିଆଗଲା । ଏବେ ସେ ଯନ୍ତା ବସିଛି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ।

ମୂଷାଙ୍କୁ ଆୟତ୍ତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଥିବା ଜଣାଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହନ୍ତି, ଆଗଠାରୁ ଟିକିଏ କମିଛନ୍ତି ମୂଷା ଓ ଅସରପା । ଗୁଡ଼ ହାଣ୍ଡି ରଖି ଅସରପାଙ୍କୁ ଜବତ କରାଯାଉଛି । ଅସରପା ଭରିଗଲେ ଏହାର ଘୋଡ଼ଣି ପକାଇ ବାହାରେ ଛଡ଼ାଯାଉଛି । ମୂଷା ପାଇଁ ଏବେ ଗୁଡ଼ ବଣା ବ୍ୟବସ୍ଥା ହେଉଛି । ବଡ଼ ମାଠିଆ ବା ବଣାରେ ଗୁଡ଼ ରଖି ମୂଷାଙ୍କୁ ଧରାଯିବ । ବଣାରେ ମୂଷା ପଶିିଲେ ବାହାରିପାରିବ ନାହିଁ । ପରବର୍ତ୍ତୀ ସମୟରେ ଲୁହା ତିଆରି ବଡ଼ ଯନ୍ତା ତିଆରି ହେବ ବୋଲି ପ୍ରଶାସକ ଶ୍ରୀ ସାହୁ କହିଛନ୍ତି ।