ଗୌହାଟୀ,୨୦/୧୧: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ୍ ଖେଳିବେ ନାହିଁ । କୋଲକାତାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ସେ ଆହତ ହୋଇଥିଲେ । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଫିଟ୍ ହେବାର ସମ୍ଭାବନା ନାହିଁ । ତେଣୁ ତାଙ୍କ ସ୍ଥାନରେ ରିଷଭ ପନ୍ତ ନେତୃତ୍ୱ ନେବେ ।
ଗିଲ୍ ଭାରତୀୟ ଦଳ ସହ ଗୌହାଟୀ ଯାତ୍ରା କରିଛନ୍ତି । ମାତ୍ର ଆଗାମୀ ୨ଦିନ ମଧ୍ୟରେ ସେ ମ୍ୟାଚ ଫିଟ୍ନେସ୍ ଫେରି ପାଇବା ସମ୍ଭାବନା ନାହିଁ । ଗିଲ୍ ଖେଳି ନପାରିଲେ ତାଙ୍କ ସ୍ଥାନରେ ସାଇ ସୁଦର୍ଶନ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବେ । ପ୍ରଥମ ଟେଷ୍ଟରେ ସୁଦର୍ଶନ ଏକାଦଶରୁ ବାଦ ପଡ଼ିଥିଲେ । ତାଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ୩ନଂ ସ୍ଥାନରେ ବ୍ୟାଟିଂ କରିଥିଲେ । ଗିଲ୍ ଆଗାମୀ ଦିନିକିଆ ସିରିଜ ମଧ୍ୟ ଖେଳିବା ନେଇ ସନ୍ଦେହ ରହିଛି । ଆଗାକୁ ଟି-ଟ୍ୱେଣ୍ଟି ସିରିଜ ରହିଥିବାରୁ ଫିଟ୍ ହେଲେ ମଧ୍ୟ ଗିଲଙ୍କୁ ଉପଯୁକ୍ତ ବିଶ୍ରାମ ଦିଆଯିବ । ଦିନିକିଆ ଦଳର ଉପ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଆହତ ଅଛନ୍ତି । ଫଳରେ ଦିନିକିଆ ସିରିଜରେ ଜଣେ ନୂଆ କାମଚଳା ଅଧିନାୟକଙ୍କୁ ଦେଖିବାକୁ ମିଳିବ ।