ଭୁବନେଶ୍ୱର, ୩୦/୫ : ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବସ୍ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏହାର ସୁପରିଚାଳନା ପାଇଁ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡି ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ ତଳକୁ ତିସ୍ତା ନଦୀକୁ ଖସିପଡିଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ଇଣ୍ଡୋ-ତିବତ ସୀମା ସୁରକ୍ଷା ବଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ। ଗୁରୁତରମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡିରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଅନେକ ଯାତ୍ରୀ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସ୍ଥାନର ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେବି ୮ ଜଣ ନିଖୋଜ ଥିବା ସୂଚନା ମିଳିଛି।
ଏହି ଦୁର୍ଘଟଣାରେ ଯାଜପୁର ରୋଡ୍ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ ଅଛନ୍ତି। ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ହୋଇଛନ୍ତି।