ନୂଆଦିଲ୍ଲୀ,୨୧\୭ : ହାର୍ଟଆଟାକ୍ ପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ ପଡ଼େ । ଏହା ସାଧାରଣତଃ ବାରମ୍ବାର ଛାତି ଯନ୍ତ୍ରଣା ହେଲେ ଜଣା ପଡ଼ିଥାଏ । କିନ୍ତୁ କ'ଣ ଆପଣ ଜାଣନ୍ତି ଯେ ଛାତି ଯନ୍ତ୍ରଣା ବିନା ହୃଦଘାତ ବି ହୋଇପାରେ ? । ଏହି ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ । 

ବିଶେଷଜ୍ଞ ମତ କଣ : ଡକ୍ଟର ଅମର ସିଂହଲ (ଦିଲ୍ଲୀସ୍ଥିତ ଶ୍ରୀ ବାଲାଜୀ ଆକ୍ସନ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ର ହୃଦରୋଗ ନିର୍ଦ୍ଦେଶକ) କୁହନ୍ତି ଯେ , ଛାତିରେ ଯନ୍ତ୍ରଣା ବିନା ବି ହୃଦଘାତ ହୋଇପାରେ । ଏବଂ ଏହି ଅବସ୍ଥା ଅଧିକ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ । କାରଣ, ଲୋକମାନେ ଏହାର ଲକ୍ଷଣ ଗୁଡ଼ିକୁ ଚିହ୍ନି ପାରନ୍ତି ନାହିଁ । ବିଶେଷକରି ମହିଳା, ବୟସ୍କ ଏବଂ ମଧୁମେହ ରୋଗୀଙ୍କ କ୍ଷେତ୍ରରେ, ତୀବ୍ର ଛାତିରେ ଯନ୍ତ୍ରଣା ବଦଳରେ ହୃଦଘାତ ସମୟରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଇପାରେ । 

ଦେଖା ଦେଉଥିବା ଲକ୍ଷଣ ଗୁଡ଼ିକ କ'ଣ : ଡାକ୍ତରମାନେ କୁହନ୍ତି ଯେ ଏଥିରେ ହଠାତ୍ ନିଶ୍ୱାସ ନେବା, ଅତ୍ୟଧିକ ଥକ୍କାପଣ, ଥଣ୍ଡା ଝାଳ ଆସିବା, ମୁଣ୍ଡ ବୁଲାଇବା, ବାନ୍ତି ହେବା କିମ୍ବା ମନ ଅସ୍ଥିର ହେବା ଭଳି ଲକ୍ଷଣ ଦେଖା ଦିଏ । ବେକ, ପିଠି କିମ୍ବା ବାମ ହାତରେ ଯନ୍ତ୍ରଣା ହେବା ଓ ଶରୀର ଭାରୀ ଲାଗିବା ଭଳି ଅନୁଭବ ହୁଏ । ଅନେକ ଲୋକ ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି, ଏହାକୁ ଗ୍ୟାସ୍, ଦୁର୍ବଳତା କିମ୍ବା ସାଧାରଣ ଥକ୍କାପଣ ଭାବି ଭୁଲ କରନ୍ତି । ଯାହା ଚିକିତ୍ସାରେ ବିଳମ୍ବ କରେ। ଫଳରେ ବିଳମ୍ବ ଭାରି ପଡେ ।

ସେ ଆହୁରି କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ହଠାତ୍ କୌଣସି ସ୍ପଷ୍ଟ କାରଣ ବିନା ଏହି ଲକ୍ଷଣଗୁଡ଼ିକୁ ଅନୁଭବ କରନ୍ତି । ଏବଂ କିଛି ମିନିଟ୍ ରୁ ଅଧିକ ସମୟ ପାଇଁ ଏହା ରହିଥାଏ, ତେବେ ସେଗୁଡ଼ିକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । ହୃଦଘାତ ପାଇଁ ଯଥା ଶିଘ୍ର ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ରୋଗୀ ଯେତେ ଶୀଘ୍ର ହସ୍ପିଟାଲରେ ପହଞ୍ଚନ୍ତି, ହାର୍ଟ ମାଂସପେଶୀର କ୍ଷତିକୁ ସେତେ ଜଲଦି ରୋକା ଯାଇପାରେ । ତେଣୁ, ଛାତିରେ ଯନ୍ତ୍ରଣା ନ ଥିଲେ ମଧ୍ୟ, ଏହି ସବୁ ଶାରୀରିକ ସଙ୍କେତ ଗୁଡ଼ିକୁ ଗମ୍ଭୀରତାର ସହିତ ନେବା ଉଚିତ । ଏବଂ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ ।

ଖାଦ୍ୟ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ : ଡାକ୍ତରଙ୍କ ମତରେ ଜଙ୍କ୍ ଫୁଡ୍ ବିନା ଭାରତୀୟଙ୍କ ଦିନ ସମ୍ପୁର୍ଣ୍ଣ ହୋଇନଥାଏ । ଏ ପ୍ରକାରର ଖାଦ୍ୟ ଆମ ଶିରା ପ୍ରଶିରାରେ ଖରାପ କୋଲେଷ୍ଟ୍ରଲର ସ୍ତରକୁ ବୃଦ୍ଧି କରେ । LDL,କିମ୍ବା ଖରାପ କୋଲେଷ୍ଟ୍ରଲ, ଶିରାରେ ଜମା ହୁଏ, ଯାହା ଜମାଟ ବାନ୍ଧିଥାଏ ଏବଂ ରକ୍ତ ପ୍ରବାହକୁ ବାଧା ଦିଏ । ଏହା ହୃଦଘାତର ଏକ ପ୍ରମୁଖ କାରଣ ।