• ରୁପା ଦାମ୍ ଆକାଶ ଛୁଆଁ
  • ଦିନକରେ ବଢିଲା ୧୧ ହଜାର ୫୦୦ ଟଙ୍କା
  • ୨ ଲକ୍ଷ ଛୁଇଁବା ନେଇ ଆଶା
  • ୨୦୨୪ରୁ ଏପର୍ଯ୍ୟନ୍ତ କିଲୋଗ୍ରାମ୍ ପିଛା ୧,୦୨,୩୦୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୧୧।୧୨: ସୁନା ପରେ ଏବେ ରୁପା ଦାମ୍ ଲଗାତାର ଆକାଶ ଛୁଆଁ ରହିଛି। ଗୋଟିଏ ଦିନରେ କେବଳ ରୁପା କିଲୋଗ୍ରାମ ପ୍ରତି ୧୧ ହଜାର ୫୦୦ ଟଙ୍କା ବୃଦ୍ଧି ପାଇଛି। ଏହା ସହ ଏହାର ଦାମ୍ କିଲୋଗ୍ରାମ ପିଛା ୧,୯୨,୦୦୦ ପହଁଞ୍ଚି ଯାଇଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁସାରେ, ମଙ୍ଗଳବାର ରୁପା ଦାମ୍ ୧,୮୦,୫୦୦ କିଲୋଗ୍ରାମ ପ୍ରତି ରହିଥିଲା। ବୁଧବାର ଏଥିରେ ୧୧ ହଜାର ୫୦୦ବଢିଛି। ଏହି ବୃଦ୍ଧି ସହ ରୁପା ଦେଶର ଖୁଚୁରା ବଜାରରେ ଅସ୍ଥିରତା ଆଣି ଦେଇଛି। ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହାର ଦାମ୍ ୨ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ୍ ପର୍ଯ୍ୟନ୍ତ ଯାଇପାରେ। କିଛି ବିଶେଷଜ୍ଞଙ୍କ ମତରେ ବଡ଼ ଧରଣର ହ୍ରାସ ମଧ୍ୟ ଦେଖିବାକୁ ମିଳିପାରେ। ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଅର୍ଥାତ ୩୧ ଡିସେମ୍ବର ୨୦୨୪ ରୁ ନେଇ ଏପର୍ଯ୍ୟନ୍ତ ରୁପାରେ ୧,୦୨,୩୦୦ ପ୍ରତି କିଲୋଗ୍ରାମ୍ ବୃଦ୍ଧି ହୋଇଛି। ଏହା ୧୧୪%ରୁ ବଢିଛି, ଯାହା କମୋଡିଟି ବଜାରରେ ବଡ ଧରଣର ବୃଦ୍ଧି ବୋଲି କୁହାଯାଉଛି।

ଏହା ପୂର୍ବରୁ ୧୦ ଅକ୍ଟୋବର ୨୦୨୪ ଏଭଳି ଦେଖିବାକୁ ମିଳିଥିଲା। ସେତେବେଳେ ରୁପା ଦାମ୍ ଦିନକରେ ୮,୫୦୦ ବଢି ୧,୭୧,୫୦୦ ପ୍ରତି କିଲୋଗ୍ରାମରେ ପହଁଞ୍ଚି ଯାଇଥିଲା। ତେବେ ବୁଧବାର ଆସିଥିବା ଏହି ବୃଦ୍ଧି ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ସେଭଳି ରୁପା ତୁଳନାରେ ସୁନା ବୁଧବାର ଅପେକ୍ଷାକୃତ ସୀମିତ ବୃଦ୍ଧି ସହ କାରବାର କରିଛି। ୯୯.୯% ଶୁଦ୍ଧତା ସୁନା ଅର୍ଥାତ ୨୪ କ୍ୟାରେଟ୍ ସୁନାର ଦାମ୍ ୮୦୦ ଟଙ୍କା ବଢି ୧,୩୨,୪୦୦ ପ୍ରତି ୧୦ ଗ୍ରାମ୍‌ରେ ପହଁଞ୍ଚି ଯାଇଥିଲା। ମଙ୍ଗଳବାର ଏହା ୧,୩୧,୬୦୦ ପ୍ରତି ୧୦ ଗ୍ରାମ୍‌ରେ ବନ୍ଦ ହୋଇଥିଲା। କମୋଡିଟି ବିଶେଷଜ୍ଞଙ୍କ ମତରେ ସୁନାକୁ ମଧ୍ୟ ବିଶ୍ବ ସ୍ତରୀୟ ସଙ୍କେତରୁ ସାହାରା ମିଳିଛି, କିନ୍ତୁ ରୁପା ତୁଳନାରେ ଏହା ଖୁବ୍ କମ୍।

ଆହୁରି ପଢନ୍ତୁ:ଭାରତର ଜିଡିପି କେତେ?ଅଭିବୃଦ୍ଧିରେ ଏକ ବଡ଼ ବୃଦ୍ଧି ଆଶା କରାଯାଉଛି;କ'ଣ କହୁଛି ରିପୋର୍ଟ?

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ବରିଷ୍ଠ ବିଶ୍ଳେଷକ ସୌମିଲ୍ ଗାନ୍ଧୀ କହିଛନ୍ତି, ଆମେରିକାନ୍ ଡଲାର ୬୦ ସ୍ତର ଅତିକ୍ରମ କରିବା ପରେ ରୁପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବା ଆରମ୍ଭ କରିଛି। ତାଙ୍କ ଅନୁଯାୟୀ, ଏହି ବୃଦ୍ଧି ଅନେକ କାରଣ ଯୋଗୁଁ ହୋଇଛି। ଆନ୍ତର୍ଜାତୀୟ ଖଣି ଏବଂ ପ୍ରକ୍ରିୟାକରଣ ଚ୍ୟାଲେଞ୍ଜ ରୁପା ଉପଲବ୍ଧତାକୁ ହ୍ରାସ କରୁଛି। ରୁପା ସହ ଜଡିତ ଏକ୍ସଚେଞ୍ଜ-ଟ୍ରାଡେଡ୍ ଫଣ୍ଡ (ETF) ରେ ଲଗାତର ଇନଫ୍ଲୋ ବଢିବାରେ ଲାଗିଛି, ଯାହାର ମୂଲ୍ୟକୁ ଅତିରିକ୍ତ ଶକ୍ତି ପ୍ରଦାନ କରୁଛି। ଗାନ୍ଧୀଙ୍କ ଅନୁଯାୟୀ, ଏହି ଧାରା ସୂଚାଇ ଦେଉଛି ଯେ ରୁପା ଆହୁରି ମଜବୁତ ହୋଇପାରେ।